କାମରେ ଆସୁନି ନୂତନ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ

କେନ୍ଦ୍ରାପଡ଼ା: ଉଦଘାଟନକୁ ବିତିଛି ମାସେ। ହେଲେ କାମରେ ଆସୁନି ନୂତନ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ। କେନ୍ଦ୍ରାପଡ଼ା ସହର ଉପକଣ୍ଠ ଶାମାଗୁଡ଼ିଆ ଚିକିତ୍ସାଳୟର ନୂତନ କୋଠାଘର ଉଦଘାଟନକୁ ମାସେ ବିତିଲାଣି । କିନ୍ତୁ ଅଦ୍ୟାବଧି ତାହା କାର୍ଯ୍ୟକ୍ଷମ ହୋଇପାରୁନାହିଁ । ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସେବା ଉପଲବ୍ଧ ସତ୍ତ୍ୱେ ରୋଗୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି । ସେପଟେ ଆବଶ୍ୟକୀୟ ଡାକ୍ତର ନଥିବାରୁ ତେଜୁଛି ଅସନ୍ତୋଷ।

କେନ୍ଦ୍ରାପଡ଼ା ଜିଲ୍ଲା ଶାମାଗୁଡ଼ିଆରେ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ। ପ୍ରାଥମିକ ପର୍ଯ୍ୟାୟରେ ନବନିର୍ମିତ ଗୃହରେ ମାତୃ ଓ ଶିଶୁ ମଙ୍ଗଳ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିବାବେଳେ ନାହାନ୍ତି ଆବଶ୍ୟକୀୟ ଡାକ୍ତର। ଅକ୍ଟୋବର ୧୫ ତାରିଖରୁ ନବନିର୍ମିତ ଗୃହକୁ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ପ୍ରସୂତି ଏବଂ ଶିଶୁ ବିଭାଗର ବହିର ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା। ଅକ୍ଟୋବର ୨୦ରେ ଅବଶିଷ୍ଟ ବିଲଡିଂର ଉଦ୍‌ଘାଟନ ସହ ଚିକିତ୍ସାଳୟରେ ୨୦୦ଟି ଶଯ୍ୟା ପ୍ରସ୍ତୁତ କରାଯାଇଥିଲା। ଅତ୍ୟାଧୁନିକ ଓପିଡି ୟୁନିଟ୍, କାଳୁଆଲଟି ଓ ଟ୍ରମା କେୟାର, ୫ ଶଯ୍ୟା ବିଶିଷ୍ଟ ଆଇସିୟୁ, ରେଡିଓଲୋଜି, ଏମଆରଆଇ, ସିଟି ସ୍କାନ ଆଦି ବ୍ୟବସ୍ଥା କରାଯାଇଛି । ହେଲେ ଆବଶ୍ୟକ ଡାକ୍ତର ଅଭାବ ଯୋଗୁଁ ତାହା କାମରେ ଲାଗିପାରୁନାହିଁ।

ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ପାଇବା ପରେ ୨୦୧୬ ମସିହା ଡିସେମ୍ବର ମାସରେ ଏହି ବିଲ୍‌ଡିଂ ନିର୍ମାଣ ଆରମ୍ଭ ହୋଇଥିଲା। ହେଲେ ବିଭିନ୍ନ କାରଣରୁ କାର୍ଯ୍ୟ ବାଧାପ୍ରାପ୍ତ ହେବାରୁ କାମ ଧାର୍ଯ୍ୟ ୨ ବର୍ଷ ମଧ୍ୟରେ ସରିନଥିଲା । ୨୦୨୧ ଡିସେମ୍ବର ମାସ ୧୫ ରେ ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲରେ ଏହି  ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ହେଲେ ପ୍ରାୟ ୧୦ ମାସ ପରେ ଏମ୍ସିଏଚ କାର୍ଯ୍ୟକ୍ଷମ ହୋଇଥିଲା । ଅନ୍ୟପଟେ ଏ ବିଷୟରେ କେନ୍ଦ୍ରାପଡ଼ା ସିଡିଏମଓଙ୍କୁ  ପଚାରିବାରୁ ସେ କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ରଖିବାକୁ ମନା କରିଛନ୍ତି।

 ଦିଲ୍ଲୀପ ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *