ଓଡ଼ିଶା

ଅବହେଳିତ ଅବସ୍ଥାରେ ସହୀଦ ବାଜିରାଉତଙ୍କ ଗାଁ

ଢେଙ୍କାନାଳ: ଅବହେଳିତ ଅବସ୍ଥାରେ ସର୍ବ କନିଷ୍ଠ ସହୀଦ ବୀର ବାଜିରାଉତଙ୍କ ଗାଁ।  ଏହି ଗାଁର ଅଧିବାସୀମାନେ ବେଶ୍ ପରିଶ୍ରମ କରି ସମସ୍ତଙ୍କୁ ଖାଦ୍ୟ ଯୋଗାଇଥିବାବେଳେ ଏମାନଙ୍କ ଦୁଃଖ ବୁଝିବାକୁ ସତେଯେପରି କେହି ନାହାନ୍ତି। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ନିଳକଣ୍ଠପୁର ଗାଁରୁ ଦେଖିବା ଏହି ରିପୋର୍ଟ।

ଏ ହେଉଛି ସର୍ବକନିଷ୍ଠ ସହୀଦ ବୀର ବାଜି ରାଉତଙ୍କ ଗାଁର ନିଳକଣ୍ଠପୁର । ଏହି ଗାଁରେ ୨୪୫ଟି ପରିବାରର ମୋଟ ୧୫୨୫ ଜଣ ଲୋକ ବସବାସ କରନ୍ତି । ନଦୀରୁ ମାଛ ଧରି ଓ ପନିପରିବା ଚାଷ କରି ଏମାନେ ନିଜ ପରିବାର ପ୍ରତିପୋଷଣ କରନ୍ତି।  ଅନ୍ୟପଟେ ଗାଁରେ ରହିଛି ୪ ଶହ ଏକରରୁ ଉର୍ଦ୍ଧ ଚାଷଜମୀ। ହେଲେ ମଝିରେ ପ୍ରତିବନ୍ଧକ ସାଜିଛି ରଙ୍ଗମାଟିଆ ନାଳ। ନିଳକଣ୍ଠପୁର ଗାଁର ଏହି ଉର୍ବର ଚାଷଜମୀରୁ ଦୈନିକ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ପରିବା ଭୁବନ ଡେଲିମାର୍କେଟରେ ବିକ୍ରି ହେଉଛି। କିନ୍ତୁ ଏହି ପନିପରିବା ଚାଷପାଇଁ ପ୍ରତ୍ୟେକ ଦିନ ଚାଷୀମାନେ ନାଳରେ ଟିଉ ଓ ହାଣ୍ଡି ଧରି ବିପଦ ସଂକୁଳ ଭାବେ ଯିବାଆସିବା କରୁଛନ୍ତି।  ଅଧିକାଂଶ ସମୟରେ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି । ସେହିପରି ପୁରୁଷମାନେ ପନିପରିବା ବିକ୍ରିକରିବା ପାଇଁ ମାର୍କେଟ ଯାଉଥିବା ବେଳେ ନାଳ ସମସ୍ୟା ଯୋଗୁଁ ଅଧିକାଂଶ ସମୟରେ ମହିଳା ନିଜ ଚାଷଜମିକୁ ଯାଇନପାରିବାରୁ ଗଛରେ ଫସଲ ନଷ୍ଟ ହେଇଯାଉଛି।

ତେବେ ଗ୍ରାମବାସୀଙ୍କ ଦୈନିକ ରୋଜଗାରରେ ରଙ୍ଗମାଟିଆ ନାଳ ପ୍ରମୂଖ ସମସ୍ୟା ପାଲଟିଥିବାରୁ ଏହାର ସମାଧାନ ପାଇଁ ବହୁ ବାର ପ୍ରଶାସନ ଓ ରାଜନେତାଙ୍କ ନିକଟରେ ଗ୍ରାମବାସୀମାନେ ଦୁଃଖ ଜଣାଇଥିଲେ। କିନ୍ତୁ ବିଫଳ ହୋଇଥିଲେ ।  ବାଧ୍ୟ ହୋଇ  ନାଳ ଉପରେ ଏକ ବାଉଁଶପୋଲ ନିର୍ମାଣ କରି ନିଜର ସମସ୍ୟା ନିଜେ ଦୂର କରିବାରେ ସହାୟ ହୋଇପାରିଛନ୍ତି। କିନ୍ତୁ ବାଉଁଶପୋଲ ଚିରସ୍ଥାୟୀ ହୋଇଥିବା କାରଣରୁ ଏକ ସ୍ଥାୟୀ କଂକ୍ରିଟ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ସରକାରଙ୍କ ନିକଟରେ ଦାବି କରିଛନ୍ତି। ସେପଟେ ଘଟଣାରେ ସର୍ଭେ କରି ନାଳ ଉପରେ ଏକ ବିଜୁ ସେତୁ ନିର୍ମାଣ ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି  ଭୁବନ ବିଡିଓ।

ସୈାମେନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button