ରାତିରେ ଘୋଷଣା, ଭୋରରୁ ଭାଙ୍ଗିଦେଲେ

ରାତିରେ ଘୋଷଣା। ଭୋରରୁ ଭାଙ୍ଗିଦେଲେ। ଯାହାକୁ ନେଇ ଆଜି ଦିନ ତମାମ ଝାରପଡାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା। ମାର୍କେଟ କମ୍ପ୍ଲେକ୍ସ କରିବାକୁ ପ୍ରାୟ ୩ ଶହ ଦୋକାନୀଙ୍କୁ ଉଛେଦ କରିଥିଲା ବିଡିଏ। ଆଉ ପ୍ରଶାସନର ଏଭଳି ମନୋଭାବ ପଛରେ ରାଜନୈତିକ ପେଞ୍ଚ ଥିବାର ଅଭିଯୋଗ ଆଣି ବେଶ୍ ହଲ୍ଲାପଟ୍ଟା କରିଥିଲା ବିଜେପି। ସମୟ ବି ଦେଲେନି। ବୁଲଡ୍ରୋଜର ଚଳାଇଦେଲେ। ଦେଖୁ ଦେଖୁ ସବୁ ମାଟିରେ ମିଶାଇଦେଲେ। ଅତି କମରେ ଉଛେଦ ଆଗରୁ ନୋଟିସ ତ ଦେଇଥାଆନ୍ତେ। ଏମିତି ନ କରି ପ୍ରାୟ ୩ ଶହ ଦୋକାନୀଙ୍କ ଦୋକାନକୁ ବିଡିଏ ଭାଙ୍ଗିଦେବାରୁ ଏଭଳି ସ୍ଥିତି। ଲୋକେ ତ ତାତିଲେ। ତା ସାଙ୍ଗକୁ ଏମାନଙ୍କ ସମର୍ଥନରେ ବିଜେପି ବାହାରିବାରୁ ଘଟଣା ଆହୁରି ଜଟିଳ ଆକାର ନେଇଯାଇଥିଲା। ଉଛେଦକାରୀ ଟିମ୍‌ ସହ ଯୁକ୍ତିତର୍କ, ଧସ୍ତାଧସ୍ତି ବେଳକୁ ବିଡିଏ ଅଧିକାଂଶ ଦୋକାନକୁ ଭାଙ୍ଗିସାରିଥିଲା। ନେବର ହୁଡ୍ ମାର୍କେଟ କମ୍ପ୍ଲେକ୍ସ ହେବ। ସେଥିଲାଗି ଉଛେଦ ଜରୁରୀ ବୋଲି ବୁଝାଇଥିଲା ଟିମ୍। ହେଲେ ପେଟପାଟଣା ପାଇଁ ଏଠାରେ ଦୋକାନ କରି ମୁଣ୍ଡ ଗୁଞ୍ଜିଥିବା ବେପାରୀଙ୍କୁ ବିନା ନୋଟିସରେ ଏମିତି ଉଛେଦ କରିବାକୁ ସହଜରେ କେହି ଗ୍ରହଣ କରିପାରୁନଥିଲେ। ଆଖିରେ ଲୁହ। ମନରେ କୋହ। ଆଉ ମୁହଁରେ ଅସହାୟତା। ଏପରିକି ଜଣେ ଦୋକାନୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।
ଜୀବିକାକୁ ଏମିତି ବିପନ୍ନ କରିବା ପଛରେ ରାଜନୀତିକ ଷଡ଼ଯନ୍ତ୍ରର ଆରୋପ ଲଦିଥିଲା ବିଜେପି। ଏଠାରୁ ବିଜେପି କର୍ପୋରେଟର ଜିତିଥିବାରୁ ପ୍ରତିଶୋଧ ପରାୟଣ ସାଜି ପ୍ରଶାସନ ଏଭଳି ଆଭିମୁଖ୍ୟ ଗ୍ରହଣ କରିଥିବା ପ୍ରତିବାଦରେ ପୁରୀ-କଟକ ରାସ୍ତା ଅବରୋଧ କରିବା ସହ ଡିସିପି ଅଫିସକୁ ପଦଯାତ୍ରା କରିଥିଲା ବିଜେପି। ମାତ୍ରାଧିକ ବଳପ୍ରୟୋଗ ଉପରେ ଡିସିପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଦଳ। ତେବେ ଉଛେଦ ହୋଇଥିବା ଦୋକାନୀଙ୍କୁ ପୁନଃ ଥଇଥାନ, କ୍ଷତିପୂରଣ ବାବଦରେ ପ୍ରଶାସନକୁ ଦୁଇ ଦିନର ମହଲତ ଦେଇଛି ଦଳ। ସେପଟେ ବିଡିଏ ଏ ନେଇ ମୁହଁ ଖୋଲିବାକୁ ନାରାଜ। ୩ ଏକର ୨୭୦ ଡିସିମିଲ ଜାଗାରୁ ଜବରଦଖଲ ଉଚ୍ଛେଦ କରିଛି ବିଡିଏ। ହେଲେ ସଂଧ୍ୟାରେ ଘୋଷଣା ଓ ପାହାନ୍ତାରୁ ଉଛେଦ ପଛରେ ରାଜନୀତିକ ଉଦେଶ୍ୟ ଥିବା କହି ଆଜି ଦିନ ତମାମ ଲାଗିଥିଲା ଏମିତି ହଟ୍ଟଚମଟ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *