ଭୁବନେଶ୍ବର: କାହା ସ୍ୱାର୍ଥରେ ବିଧାନସଭା। କା ମନ୍ତ୍ରୀରେ ଚାଲିଛି ଗୃହ। ବିଧାୟକ, ମନ୍ତ୍ରୀ ମରୁଡ଼ି। ଆନ୍ଦୋଳନକାରୀଙ୍କ ଦାବି ପ୍ରତି ଦୃଷ୍ଟି ଆକର୍ଷଣ କଲେ ବି ଉପର ଠାଉରିଆ ଆଲୋଚନା। ପଦ୍ମପୁରକୁ ଛାଡ଼ିଦେଲେ ଯେମିତି ବିଧାନସଭାରେ କାହାରି ମନ ଲାଗୁନି। ତାହା ହେଲେ ବିଧାନସଭା ଅଧିବେଶନ ଜାରି ରଖିବାର ଅର୍ଥ କଅଣ। କିଛି ଏମିତି ଢଙ୍ଗରେ ବିଧାନସଭାର ପରିବେଶ ଦେଖି ବିରୋଧୀ ଅଙ୍ଗୁଳି ଉଠାଇଛନ୍ତି। କିନ୍ତୁ ଶାସକ ଦଳର କହିବା କଥା, ଉତ୍ତରଦାୟିତ୍ୱ ନିର୍ବାହ କରିବାରେ କା ମନ୍ତ୍ରୀ କେଉଁଠି ଉଣା କରୁନାହାନ୍ତି।
ବିଧାନସଭା ଭିତରେ ଖାଁ ଖାଁ। ସିଂହଭାଗ ଆସନ ଖାଲି। ହାତଗଣତି ମନ୍ତ୍ରୀ, ବିଧାୟକଙ୍କୁ ନେଇ ଚାଲିଛି ଶୀତକାଳୀନ ଅଧିବେଶନ। କାରଣ ସବୁ ଡେରା ପକାଇଛନ୍ତି ପଦ୍ମପୁରରେ। କା ମନ୍ତ୍ରୀ ଉତ୍ତର ଦେଉଛନ୍ତି। ହେଲେ ସେ ଉତ୍ତର ଗୋଳମାଳିଆ, ଭ୍ରମାତ୍ମକ ଓ ଅସତ୍ୟ। ପ୍ରଶ୍ନ ପଚାରିବା ଅର୍ଥହୀନ ହୋଇପଡ଼ୁଛି। ଦେହ ଅସୁସ୍ଥ କହି ମୁଖ୍ୟମନ୍ତ୍ରୀ ଭିସିରେ ରହିବେ କହି ଅନୁମତି ନେଇଗଲେ। କିନ୍ତୁ ଯିଏ ବିଧାନସଭା ଆସୁନାହାନ୍ତି, ସେ ଓଡ଼ିଶା କନକ୍ଲେଭକୁ ପୁଣି କେମିତି ଯାଉଛନ୍ତି। ସର୍ବୋପରି ବାଚସ୍ପତି ବି ଗୃହରେ ସୁରକ୍ଷା ଦେଇପାରୁନାହାନ୍ତି। ବିଧାନସଭା ସମ୍ମୁଖରେ ଗର୍ଜୁଥିବା ଆନ୍ଦୋଳନକାରୀଙ୍କ ସମସ୍ୟା ବିରୋଧୀ ଯେତେ ଉଠାଇଲେ ବି ନିଦାବିଷ୍ଣୁ ସାଜିଛନ୍ତି ସରକାର। ବୋଧହୁଏ ଆଉ ଦିନେ ଦୁଇ ଦିନ ପରେ ବିଧାନସଭା ବନ୍ଦ କରିବା ଚକ୍କରରେ ଅଛନ୍ତି ସରକାର। ତା ହେଲେ ଗୃହ ଚାଲିବ କାହିଁକି। ପଦ୍ମପୁର ଉପ-ନିର୍ବାଚନ ଯେମିତି ସର୍ବସ୍ୱ ହୋଇପଡ଼ିଛି। କିଛି ଏମିତି ଢଙ୍ଗରେ ବିଧାନସଭାର ଗାରିମା କ୍ଷୁର୍ଣ୍ଣ ହେଉଥିବା କହି ବିରୋଧୀ ଜୋରଦାର ଗର୍ଜିଛନ୍ତି।
ସେପଟେ ଅଧିବେଶନ ଆରମ୍ଭରୁ ମନ୍ତ୍ରୀ ମରୁଡିକୁ ନେଇ ବିରୋଧୀ ଟାର୍ଗେଟ କରି ଆସୁଥିଲା ବେଳେ ଆଜି ଶାସକ ଦଳ ବି ବିରୋଧୀଙ୍କ ଆଡ଼କୁ ନିଶାନା ଲଗାଇଥିଲା। କୁଆଡ଼େ ଗଲେ ବିରୋଧୀ ଦଳ ନେତା ବୋଲି ପଚାରିଥିଲା। ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଅନ୍ୟ ମନ୍ତ୍ରୀ ଉତ୍ତର ଦେବା ମିଳିତ ଦାୟିତ୍ୱବୋଧ। ସେମାନେ ଅଧିକୃତ ବି। କିନ୍ତୁ ବିରୋଧୀ ଦଳ ନେତା ପଦ୍ମପୁର ପ୍ରଚାରରେ ଥାଇ ମୋହନ ମାଝୀଙ୍କୁ ଏହି ଭୂମିକା ନିର୍ବାହ କରିବାକୁ ଅଧିକୃତ କରିଛନ୍ତି କି ବୋଲି ପଚାରିଛି।
ପଦ୍ମପୁର ପାଇଁ ବିଧାନସଭା ଖାଁ ଖାଁ। ଅବଶ୍ୟ କଂଗ୍ରେସ ଦଳର ଅଧିକାଂଶ ବିଧାୟକଙ୍କ ଉପସ୍ଥିତି ବାରି ହୋଇପଡ଼ୁଛି। ହେଲେ ବିଜେଡି ଓ ବିଜେପି ଶିବିରରୁ ଆସୁଥିବା ଏହି ଚିତ୍ର ଓ ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଭିତରେ ସାଧାରଣରେ ପ୍ରଶ୍ନ ଉଠିଲାଣି, ବାସ୍ତବରେ ବିଧାନସଭା କାହା ସ୍ୱାର୍ଥରେ।
ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now