ପଦ୍ମପୁର: ସରିଲା ପଦ୍ମପୁର ପ୍ରଚାର। ୫ରେ ପଦ୍ମପୁରରେ ପଡ଼ିବ ଭୋଟ୍। ୮ରେ କାହା ମୁଣ୍ଡରେ କଳସ ଢାଳିବେ ଭୋଟର, ସ୍ପଷ୍ଟ ହେବ। କିନ୍ତୁ ପଦ୍ମପୁର ଉପ-ନିର୍ବାଚନ ଯେମିତି କର ବା ମର ଭଳି ସ୍ଥିତି ଉତ୍ପନ୍ନ କରିଦେଇଛି ଉଭୟ ବିଜେଡି ଓ ବିଜେପି ପାଇଁ। ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପରେ ପଦ୍ମପୁର ଇଲେକ୍ସନ ଜିତିବା ଯେମିତି ବିଜେଡି ଲାଗି ସବୁଠୁ ବଡ଼ ଆହ୍ୱାନ ପାଲଟିସାରିଛି। ଆଉ ଧାମନଗରର ଇଫେକ୍ଟକୁ କେମିତି ପଦ୍ମପୁରରେ ଦୋହରାଇବ, ତାକୁ ନେଇ ବିଜେପି ଚିନ୍ତାରେ।
ପଦ୍ମପୁରରେ ପୁଳା ପୁଳା ପ୍ରସଙ୍ଗ ଓ ମାଳ ମାଳ ପ୍ରତିଶୃତି। ପଦ୍ମପୁର ବାଇ-ଇଲେକ୍ସନ ଯେମିତି ସମସ୍ତଙ୍କୁ ବାଇ କଲାଣି। ବହୁ ହେଭିଓ୍ୱେଟଙ୍କ ମାରାଥନ ପ୍ରଚାରରେ ଦୀର୍ଘ ଦିନ ହେଲା କମ୍ପୁଥିବା ପଦ୍ମପୁର ମାଟି ସିନା ଏବେ ଶାନ୍ତି। ଜିଲ୍ଲା ବାହାରର ନେତା ପଦ୍ମପୁର ଛାଡିସାରିଲେଣି। କିନ୍ତୁ ନିଦ ନାହିଁ ଦଳକୁ କି ନିଦ ନାହିଁ ନେତାଙ୍କୁ। ଧାମନଗର ରେଜଲ୍ଟ ବିଜେଡି ବିଜୟଧାରାରେ ବ୍ରେକ୍ ଲଗାଇଥିବାର କ୍ଷତକୁ ଭୁଲିପାରୁନି ଦଳ। ସେଥିଲାଗି ପଦ୍ମପୁର ଜିତିବା ବିଜେଡି ଲାଗି ବଡ଼ ସମ୍ମାନର କଥା। ଧାମନଗର ବିଜେପି ହାତରେ ଥିଲା, ସେଥିଲାଗି ଚାଲିଗଲା କହିବାର ଆଳ ନେଇପାରିବନି ବିଜେଡି। ସେଥିଲାଗି ତ ପଦ୍ମପୁର ପ୍ରଚାର ପାଇଁ ୧୫ ମନ୍ତ୍ରୀ ଓ ୫୦ରୁ ଅଧିକ ବିଧାୟକ ଆରମ୍ଭରୁ ଡେରା ପକାଇଥିଲେ ସେଠି। ବର୍ଷା ସିଂ ବରିହାଙ୍କୁ ଜିତାଇବାକୁ ଦିନରାତି ଏକ କରିଦେଇଥିଲେ। ତେବେ କୌଣସି ପ୍ରକାର ରିସ୍କ ନେବା ପରିସ୍ଥିତିରେ ନଥିବାରୁ ଶେଷରେ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଶେଷରେ ପ୍ରଚାର ପାଇଁ ଗଲେ। ୨୦୨୩ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରତିଶୃତି ଦେବା ସହ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବର୍ଷିଥିଲେ। ହକ୍ ଲାଗି ପଲ୍ଲୀରୁ ଦିଲ୍ଲୀ ଯାଏ ଲଢ଼ିବି ବୋଲି କହିଛନ୍ତି।
ସେପଟେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଲାଗି ପ୍ରଚାର ମଙ୍ଗ ସମ୍ଭାଳିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିୟମିତ ଶାସକ ଦଳକୁ ଶାଣିତ ଆକ୍ରମଣ କରିଥିଲେ। ପ୍ରଚାରର ଶେଷ ଦିନରେ ବି ଜୋରଦାର ବର୍ଷିଥିଲେ ନବୀନଙ୍କ ଉପରେ। ଆଉ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଘୋଷଣା ସନ୍ଦର୍ଭରେ କଥା ଦେଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ଭୋଟ ପାଇଁ ବିକଳ ନବୀନ ଲୋକଙ୍କୁ ମିଛ କହୁଥିବାର ଆରୋପ ଲଦିଛନ୍ତି ଧର୍ମେନ୍ଦ୍ର। ମୁଖ୍ୟମନ୍ତ୍ରୀ ଥକିଗଲେଣି କହି ନିର୍ବାଚନୀ ସଭାରୁ ବର୍ଷିଛନ୍ତି। ୨୨ ବର୍ଷ ହେଲା କଅଣ କରୁଥିଲ କହି ପଚାରିଛନ୍ତି। କେନ୍ଦୁପତ୍ର ତୋଳାଳି, ରେଳ ପ୍ରକଳ୍ପ ବାବଦରେ ନବୀନଙ୍କ ଶାଣିତ ଟାର୍ଗେଟର କାଉଣ୍ଟର ବି କରିଛନ୍ତି ଧର୍ମେନ୍ଦ୍ର।
ସେପଟେ ପ୍ରଚାରର ଶେଷ ଦିନରେ ପାଇକମାଳ ବ୍ଲକରେ ପିସିସି ସଭାପତି, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପ୍ରମୁଖ ସାମ୍ୱାଦିକ ସମ୍ମିଳନୀ କରିଛନ୍ତି। ଭୋଟ ପାଇଁ କେଉଁ ସ୍ତରକୁ ଦୁଇ ଦଳ ବିଜେଡି ଓ ବିଜେପି ଯାଇପାରନ୍ତି, ତାକୁ ବିଚାର କରି ପଦ୍ମପୁରବାସୀ ବିଚାର କରିବେ ବୋଲି କହିଛି କଂଗ୍ରେସ। ଉଭୟ ଦଳ ହିଂସାରେ ଲିପ୍ତ ରହିବା ସହ ପ୍ରତିଶୋଧ ପରାୟଣ ହୋଇ କିଭଳି ପରସ୍ପର ବିରୁଦ୍ଧରେ ତଦନ୍ତକାରୀ ସଂସ୍ଥାକୁ ଲଗାଇ କ୍ଷମତାର ଦୁରୁପଯୋଗ କରିଛନ୍ତି, ସେ କଥାର ଅବତାରଣା କରିଛି କଂଗ୍ରେସ। ସେଥିଲାଗି କଂଗ୍ରେସକୁ ଭରସା କରିବେ ପଦ୍ମପୁରବାସୀ।
ପ୍ରଚାର ସରିଲା ପରେ କମ୍ପୁଥିବା ପଦ୍ମପୁରର ମାହୋଲ ଏବେ ଶାନ୍ତ। କିନ୍ତୁ ପଦ୍ମପୁର ବାଜି ବିଜେଡି ଲାଗି ସମ୍ମାନର କଥା ସାଜିଥିଲା ବେଳେ ବିଜେପି ଲାଗି ମର୍ଯ୍ୟାଦାର କଥା। ଆଉ କଂଗ୍ରେସ ଲାଗି କିଛି କରିସ୍ମା କରିବାର ପ୍ଲାଟଫର୍ମ।
ଧୃବ କର୍ମୀଙ୍କ ସହ ଭୁବନେଶ୍ୱରରୁ ପ୍ରଦୀପ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now