ବ୍ରହ୍ମପୁର: ଆକ୍ସନ ମୋଡରେ ବ୍ରହ୍ମପୁର ମହାନଗର ନିଗମ । ବେଆଇନ କୋଠା ଉପରେ ନେବ ଆକ୍ସନ। ଆଉ ବେଆଇନ କୋଠାକୁ ଅନୁମତି ଦେବନି ବିଏମସି। ଏପରି ବେଆଇନ କୋଠା ଉପରେ ବିଏମସି ନେବ କଡ଼ା କାର୍ଯ୍ୟାନୁଷ୍ଠାନ । ନିଜ ଭୁଲ ସୁଧାରିବାକୁ ଦିଆଯାଇଛି ୧୫ ଦିନ ସମୟ। ଏହାପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ବିଏସ୍ସି କମିଶନର ଜେ. ସୋନାଲ ।
ବ୍ରହ୍ମପୁର ସହରରେ ବହୁ ସଂଖ୍ୟାରେ କୋଠା ନିୟମକୁ ଫୁ କରି ଗଢିଉଠିଛି। ଫଳରେ ସେଠାକାର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ଫଳରେ ସହର ଭିତରେ ବିଭିନ୍ନ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଗାଡି ଚାଳକଙ୍କୁ ଅଟକି ହିନସ୍ତା ହେବାକୁ ପଡୁଛି। ବିଏମସିର ବିନା ଅନୁମତିରେ ସୁଉଚ୍ଚ ଅଟ୍ଟାଳିକା ଗଢ଼ି ତୋଳିଛନ୍ତି। ଏହି ବେଆଇନ ଅଟ୍ଟାଳିକା ସବୁ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଶହେ କୋଠାକୁ ଚିହ୍ନଟ କରାଯାଇ ନୋଟିସ ଜାରି କରାଯାଇଛି। ନିଜ ଭୁଲ୍ ସୁଧାରିବାକୁ ୧୫ ଦିନ ସମୟ ଦିଆଯିବ । ଏହି ସମୟ ଭିତରେ କିଛି କୋଠା ମାଲିକ ନିଜ ଭୁଲର ସଂଶୋଧନ କରି ନ ଥିଲେ ପଦକ୍ଷେପ ନିଆଯିବ ବୋଲି ଶୁଣାଇ ଦେଇଛନ୍ତି ବିଏମ୍ସି କମିଶନର।
ବିଏମସି କମିଶନର କହିଛନ୍ତି, ବହୁ ସଂଖ୍ୟାରେ ବ୍ରହ୍ମପୁର ସହରର ବାସିନ୍ଦା ପ୍ଲାନ୍ ନ ନେଇ କୋଠା ନିର୍ମାଣ କରିଛନ୍ତି। ଫଳରେ ଡ୍ରେନେଜ୍ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବହୁ ସମସ୍ୟା ଦେଖାଦେଉଛି। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ପ୍ରଥମେ ନିୟମ ଉଲ୍ଲଘଂନକାରୀ ଆର୍ଥିକ ସ୍ୱଚ୍ଛଳ ତଥା ଧନୀ ଶ୍ରେଣୀର ଲୋକଙ୍କୁ ନୋଟିସ ପଠାଯାଇଛି। ଏହାପରେ ମଧ୍ୟମ ଓ ପରେ ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କୁ ନୋଟିସ କରାଯିବ । ଆଇନ ଉଲ୍ଲଙ୍ଘନକାରୀଙ୍କୁ କୌଣସି ରିହାତି ମିଳିବ ନାହିଁ ବୋଲି ରୋକଠୋକ୍ ଜଣାଇଦେଇଛି ବିଏମସି।
Naxatra News is now on Whatsapp
Join and get latest news update delivered to you via whatsapp
Join Now