ଶୀତ ସହ ତାଳ ଦେଇଛି ଚୀନରେ ମହାମାରୀ

() ଶୀତ ସହ ତାଳ ଦେଇ ଚୀନରେ ବୃଦ୍ଧି ପାଇବାରେ ଲାଗିଛି ମହାମାରୀ କୋଭିଡ-୧୯ର ତାଣ୍ଡବ। ଗୋଟିଏ ପଟେ ଶୀତର ପ୍ରକୋପ, ଅନ୍ୟପଟେ ହଟିଛି ଜିରୋ କୋଭିଡ ନିୟମ। ଯାହା କୋଭିଡ ସଂକ୍ରମଣରେ ଲଗାଇଛି ପର। ସ୍ଥିତି ଏମିତି ହୋଇଛି କି, ସରକାର ପକ୍ଷରୁ ଦେଶବ୍ୟାପୀ କ୍ବାରେଣ୍ଟିନ ସେଣ୍ଟର ଖୋଲାଯାଇଛି। ଯୁଆଡେ ଦେଖିବ ସିଆଡେ ମହାମାରୀ ରଚିବାରେ ଲାଗିଛି ମୃତ୍ୟୁର ତାଣ୍ଡବ। ସେପଟେ ଦେଶରେ କୋଭିଡକୁ ନିମୋନିଆର ନାମ ଦେଉଛି ସରକାର।

ଚୀନରେ ଶୀତ ସହ ତାଳ ଦେଇଛି ମହାମାରୀ କରୋନା। ଦେଶବ୍ୟାପୀ ବିରୋଧ ପରେ ଡ୍ରାଗନ ସରକାର ଜିରୋ କୋଭିଡ ନିୟମକୁ ଉଠାଇ ଦେଇଥିବା ବେଳେ  ପୁଣି ସଂକ୍ରମଣ ବିସ୍ଫୋଟକ ସ୍ଥିତିରେ ପହଞ୍ଚିଲାଣି। ଦୈନିକ ସଂକ୍ରମଣ ସର୍ବାଧିକ ରେକର୍ଡ କରିଚାଲିଛି।  ସ୍ଥିତି ଏମିତି ହୋଇଛି କି, ସୋମବାର ଠାରୁ ସାଂଘାଇରେ ସ୍କୁଲ ସବୁକୁ ବନ୍ଦ କରିବାକୁ ନିଆଯାଇଛି ନିଷ୍ପତ୍ତି। ଏନେଇ ଶିକ୍ଷା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି କି, ବର୍ତ୍ତମାନ କୋଭିଡ ସଂକ୍ରମଣ ବୃଦ୍ଧି ପାଇଁ ସୋମବାରଠାରୁସ୍କୁଲ ସବୁକୁ ବନ୍ଦ କରାଯାଉଛି। ତେଣୁ  ଛାତ୍ରଛାତ୍ରୀଙ୍କୁ ଘରେ ରହି ପାଠ ପଢିବାକୁ ହେବ। ସେଠାକାର ମିଡିଆ ରିପୋର୍ଟ ମୁତାବକ, ସରକାରୀ ଆଦେଶରେ କୁହାଯାଇଛି, କୋଭିଡର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ଏବେ ସମସ୍ତ ଦେଶବାସୀଙ୍କୁ ସାବଧାନ ରହିବାକୁ ହେବ। କାରଣ ରାଜଧାନୀ ବେଜିଂରେ ସଂକ୍ରମଣ ବଢିଯାଇଛି। ବହୁ ପରିବାର ସଂକ୍ରମିତ ଚିହ୍ନଟ ହେଲେଣି। 

ଦେଶବ୍ୟାପୀ ବିରୋଧ ପରେ ସାଙ୍ଘାଇରେ ଡିସେମ୍ୱର ମାସରେ ୧୧ ଜିଲ୍ଲାର  ୨୪ ହାଇରିସ୍କ ସ୍ଥଳୀରେ ଲାଗୁ ହୋଇଥିବା ଲକଡାଉନ ଉଠାଇ ଦିଆଯାଇଥିଲା। ଏହା ପରେ ସଂକ୍ରମଣ ଦ୍ରୁତ ବୃଦ୍ଧି ଘଟିଛି। ତେବେ ଚୀନ ପକ୍ଷରୁ କୁହାଯାଉଛି କି ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ହଜାର ଭିତରେ ରହିଛି। କିନ୍ତୁ ବାସ୍ତବ ତଥ୍ୟ ଭିନ୍ନ। ଏପରି କହିବାର କାରଣ, ଡ୍ରାଗନ ପ୍ରକୃତ ସଂଖ୍ୟା କହୁନଥିବା ବେଳେ କିନ୍ତୁ ପ୍ରତ୍ୟେକ ସହରରେ ହଜାର ହଜାର ସଂଖ୍ୟାରେ ଲୋକ ହସ୍ପିଟାଲରେ ଭର୍ତ୍ତି ହେବାକୁ ଲମ୍ବା ଲାଇନରେ ଠିଆ ହେଉଛନ୍ତି। ବେଜିଂ ଷ୍ଟାଡିୟମରେ  ବିରାଟ ଅସ୍ଥାୟୀ  କୋଭିଡ ହସ୍ପିଟାଲ କରାଯାଇଛି। ସେଠାରେ କାମ କରୁଥିବା ବହୁ ଡାକ୍ତର ମଧ୍ୟ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କୁ ରୋଗୀଙ୍କ ଚିକିତ୍ସା ପାଇଁ ବାଧ୍ୟ କରାଯାଉଛି। ଏହାକୁ ଦେଖି ଦେଶରେ ସଂକ୍ରମିତ ସଂଖ୍ୟା ହଜାର ନୁହେଁ ଲକ୍ଷ ପାର କରିଥିବା ଅନୁମାନ କରାଯାଉଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଉଛି କି, ଚୀନରେ ଜିରୋ କୋଭିଡ ପଲିସି କାଳରେ ମଧ୍ୟ ସଂକ୍ରମଣ ଚିହ୍ନଟ ହୋଇଥିଲା। କିନ୍ତୁ ହଠାତ୍ ପଲିସିକୁ ଉଠାଇବା ପରେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି।

ତେବେ ଖାଲି ସାଙ୍ଘାଇ ନୁହେଁ, ରାଜଧାନୀ ବେଜିଂ ସମେତ ବହୁ ରାଜ୍ୟରେ ଏହି ଭୂତାଣୁର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କୋଭିଡ କଟକଣା ହଟିବାର ସପ୍ତାହ ଦୁଇଟା ଭିତରେ ସଂକ୍ରମଣଜନିତ ମୃତ୍ୟୁ ମାମଲା ସାମ୍ନାକୁ ଆସିବାରେ ଲାଗିଛି। ସରକାର ସେଠାରେ କୋଭିଡ ମୃତ୍ୟୁକୁ ଲୁଚାଇବାକୁ ଆପ୍ରାଣ ଚେଷ୍ଟା ଚଳାଇଛି। ଦୁଇ ସପ୍ତାହ ହେଲା କୋଭିଡ ମୃତ୍ୟୁ ସମ୍ବନ୍ଧିତ ରିପୋର୍ଟ ପ୍ରକାଶ ପାଉ ନ ଥିବା  ବେଳେ କିନ୍ତୁ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଯୋଗୁ ଅନ୍ତିମ ସଂସ୍କାରରେ ବିଳମ୍ବ ଦେଖିବାକୁ ମିଳୁଛି।  ରାଜଧାନୀର କୋଭିଡ ଅନ୍ତିମ ସଂସ୍କାର କେନ୍ଦ୍ରରେ ଠିଆ ହୋଇଥିବା କାରର ଲମ୍ୱା ଧାଡି  କରୋନା ମୃତ୍ୟୁର ଭୟାବହତାକୁ ଦର୍ଶାଉଛି। ଅନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ବୁଧବାର ଦିନ ବେଜିଂ ଶବଦାହ କେନ୍ଦ୍ରରେ ୩୦ କୋଭିଡ ସଂକ୍ରମିତଙ୍କ ଅନ୍ତିମ ସଂସ୍କାର ହୋଇଥିବା ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସୂତ୍ରରୁ କୁହାଯାଇଛି। ସେହିପରି ମୃତକଙ୍କ ପରିବାର ପକ୍ଷରୁ ମଧ୍ୟ କୋଭିଡ ମୃତ୍ୟୁ ନେଇ ମିଡିଆକୁ ସୂଚନା ଦିଆଯିବା ପରେ ପୁଣି ଚୀନରେ କରୋନା ମୃତ୍ୟୁ ପିକ୍‌ରେ ଥିବା ଜଣାପଡିଛି।

୨୦୧୯ କୋଭିଡ ଆରମ୍ଭରୁ ବର୍ତ୍ତମାନ ଭିତରେ ଚୀନରେ କୋଭିଡ ମୃତ୍ୟୁ  ୫ହଜାର ୨୩୫ କୋଭିଡ ମୃତ୍ୟୁ ହୋଇଥିବା ଚୀନ ସରକାର ରିପୋର୍ଟ ଦେଇଛି। ଅର୍ଥାତ୍ ଦେଶରେ କୋଭିଡ ପରିଚାଳନା ଓ ନିୟନ୍ତ୍ରଣକୁ ସରକାର ବେଶ ଦକ୍ଷତାର ସହ କରୁଥିବା ଦେଖାଇବାକୁ କୋଭିଡ ମୃତ୍ୟୁର ବାସ୍ତବ ଚିତ୍ରକୁ ସେଠାକାର ସରକାର ଲୁଚାଇ ଚାଲିଛି। ଅନ୍ୟପଟେ ଚୀନ ସରକାରର କୋଭିଡ ତଥ୍ୟ ଲୁଚାଇବା କାରଣରୁ ଦେଶରେ କୋଭିଡରେ କେତେ ମୃତ୍ୟୁ ହେଉଛି ତାର ବାସ୍ତବ ଚିତ୍ର ବିଶ୍ବ ସମ୍ମୁଖକୁ ଆସିପାରୁ ନାହିଁ। ତେଣୁ ଅନେକ ସମୟରେ କରୋନା ସମ୍ପର୍କିତ ତଥ୍ୟ ଦେଉଥିଲେ ମଧ୍ୟ ସେଠାକାର ନାଗରିକ ନିଜ ପରିଚୟ ଗୁପ୍ତ ରଖିବାକୁ ଅନୁରୋଧ କରୁଛନ୍ତି ଗଣମାଧ୍ୟମକୁ। ଏହି ପରିଚୟ ଗୁପ୍ତ ରଖିବା ସର୍ତ୍ତରେ  ଜଣେ କୋଭିଡ ମୃତକଙ୍କ ପରିଜନ କହିଛନ୍ତି କି, ଜରୁରୀକାଳୀନ ୱାଡରେ ବହୁ କୋଭିଡ ସଂକ୍ରମିତ ଭର୍ତ୍ତି ହେଉଛନ୍ତି। କିନ୍ତୁ ସେଠାରେ ସେମାନଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ନର୍ସ ନାହାନ୍ତି। 

ଆଉ କିଛି ଲୋକ କହିଛନ୍ତି କି, କୋଭିଡ-୧୯ରେ ସଂକ୍ରମିତ ମିଳିବା ସତ୍ତ୍ୱେ ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ ନିମୋନିଆ ଦର୍ଶାଯାଉଛି। ଅନ୍ତିମକ୍ରିୟା ହେଉଥିବା ସ୍ଥାନରେ ଥିବା ଦୋକାନର କର୍ମଚାରୀମାନେ ସୂଚନା ଦିଅନ୍ତି କି, ଦୈନିକ ଅନ୍ୟୁନ ୧୫୦ରୁ ଅଧିକ ଲୋକଙ୍କ ଅନ୍ତେଷ୍ଟି କ୍ରିୟା ହେଉଛି। ଅନ୍ୟପଟରେ ରାଜଧାନୀ ବେଜିଂର ଅନ୍ତିମକ୍ରିୟା କେନ୍ଦ୍ରରେ  ଶନିବାର ଦିନ ଏହି କାର୍ଯ୍ୟରେ ନିୟୋଜିତ ଡ୍ରାଇଭର ଓ କର୍ମଚାରୀଙ୍କ ଠାରେ କୋଭିଡ ଭୂତାଣୁ ଚିହ୍ନଟ ହୋଇଛି। ତେବେ ଚୀନ କରୋନା ସଂକ୍ରମଣ ଓ ମୃତ୍ୟୁ ସମ୍ବନ୍ଧିତ ତଥ୍ୟ ଯେତେ ଲୁଚାଇଲେ ମଧ୍ୟ ଚଳିତ ଜାନୁଆରୀ ୩ ସୁଦ୍ଧା ଅଢେଇ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ସୂତ୍ରରୁ ସୂଚନା ରହିଛି।

ସେପଟେ କେବଳ ଚୀନ କୋଭିଡ ସହ ଲଢୁନାହିଁ, ଆମେରିକାରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଛି। ଆମେରିକାରେ ସଂକ୍ରମଣ ବୃଦ୍ଧିକୁ ଦେଖି ଏକ ସପ୍ତାହ ହେବ ସେଠାରେ ପୁନଃ ମାସ୍କ ପରିଧାନ ଫେରିଆସିଛି। ଦୁଇ ସପ୍ତାହରେ ଆମେରିକାରେ ୫୬ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ହସ୍ପିଟାଲରେ ଭର୍ତ୍ତି ହେଉଥିବା ସଂଖ୍ୟା ୨୪ ପ୍ରତିଶତ ବୃଦ୍ଧି ହୋଇଛି। ନ୍ୟୁୟର୍କ ପରି ସହରରେ ମାସ୍କ ପିନ୍ଧିବାକୁ ଅପିଲ କରାଯାଇଛି। ଚୀନ ଓ ଆମେରିକାର କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଭାରତ ପାଇଁ ମଧ୍ୟ ଚିନ୍ତାର କାରଣ ହେବାକୁ ଯାଉଛି।

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *