ଭୁବନେଶ୍ବର: ପାଳନ ହେଲା ନନ୍ଦନକାନନର ୬୩ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ନନ୍ଦନକାନନ ପରିସର ପର୍ଯ୍ୟଟକଙ୍କୁ ଭେଟି ଦେଇଚି ଶିଶୁ ଉଦ୍ୟାନ, ଶିଶୁ ସାବକଙ୍କ ପାଇଁ ତାଲିମ୍ କକ୍ଷ ଓ କ୍ଷୁଦ୍ରସ୍ତନ୍ୟପ୍ରାଣୀ ସଲଗ୍ନ କମ୍ପ୍ଲେକ୍ସ। ଖୁବ୍ ଶୀଘ୍ର ପର୍ଯ୍ୟଟକଙ୍କ ପାଇଁ ମିଳିବ ରୋପ ୱେ ସୁବିଧା । ଅନ୍ୟପଟେ ନୂତନ ବର୍ଷରେ ନନ୍ଦନକାନନ ପର୍ଯ୍ୟଟକଙ୍କ ପ୍ରଥମ ପର୍ଯ୍ୟଟନସ୍ଥଳୀ ପାଲଟିଥିବା ବେଳେ ଟଏ ଟ୍ରେନ ଓ ରୋପ ୱେ ସୁବିଧା ସଠିକ୍ ଭାବେ କେବେଠୁ ମିଳିବ ବୋଲି ପ୍ରଶ୍ନ କରିଛନ୍ତି ପର୍ଯ୍ୟଟକ ।
ନୂଆ ବର୍ଷରେ ନନ୍ଦନକାନନର ହେବ ନବକଲେବର। ବଦଳିବ ଚିଡ଼ିଆଖାନାର ରୂପରେଖ । ନିର୍ମଳ ଜଳରାଶି ଉପରେ ରୋପ ୱେର ମଜା ନେବେ ପର୍ଯ୍ୟଟକ । ନନ୍ଦନକାନନର ୬୩ ତମ ପ୍ରତିଷ୍ଠା ଦିବସ ଅବସରରେ ଏଭଳି ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ । ଏଥିସହ ଶିଶୁ ଉଦ୍ୟାନ, ଶିଶୁ ସାବକଙ୍କ ତାଲିମ୍ କକ୍ଷ, ସ୍ୱତନ୍ତ୍ର ଅସ୍ତ୍ରୋପଚାର କକ୍ଷର ମଧ୍ୟ ଉଦ୍ଘାଟନ କରିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଆଗାମୀ ଏକ ମାସ ଭିତରେ ନନ୍ଦନକାନନରେ ରୋପ ୱେ ସୁବିଧା ମିଳିବ । ଏହା ସହିତ ଜିରାଫ, ଗେଣ୍ଡା ଭଳ ଯେଉଁ ଜୀବ ମାନେ ଉପଲବ୍ଧ ନାହାନ୍ତି ତାଙ୍କୁ ମଧ୍ୟ ଅଣାଯିବ । ଟିକେଟ ମୂଲ୍ୟ ବଢିବ ନାହିଁ। କେବଳ ଓଡିଶା ନୁହେ ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେ ଆସି କିପରି ନିରାଶ ହୋଇ ଫେରିବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଏହି ସମ୍ମିଳନୀରେ ବିଧାୟକ ସୁରେଶ ରାଉତରାୟ , ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ , ନନ୍ଦନକାନନ ନିର୍ଦେଶକ ମନୋଜ ଭି ନାୟାର ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ପର୍ଯ୍ୟାୟରେ ଭଲ କାର୍ଯ୍ୟ କରିଥିବା କର୍ମକର୍ତ୍ତାଙ୍କୁ ପୁରସ୍କୃତ କରିଥିଲେ ।
ଆଜି ସକାଳୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଟିକେଟ ଘରଠାରୁ ଆରମ୍ଭ କରି ପରିସର ହୋଇ ଉଠିଥିଲା ଲୋକାରଣ୍ୟ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକମାନେ ୨୨୦ ଖୁଆଡ଼ ମଧ୍ୟରେ ଥିବା ୧୬୧ ପ୍ରଜାତିର ୪୦୫୪ ଜୀବଜନ୍ତୁଙ୍କୁ ବୁଲି ଦେଖିଥିଲେ। ଏହାଛଡ଼ା ବାଘ ସଫାରି, ସିଂହ, ଭାଲୁ ଓ ତୃଣଭୋଜି ସଫାରି ମଧ୍ୟ ବୁଲି ଦେଖିବା ସହ ବ୍ୟାଟେରି ଚାଳିତ ଗାଡି ଯାତ୍ରାର ମଜା ନେଇଥିଲେ । ନୂତନ ବର୍ଷରେ ଶିଶୁମାନଙ୍କ ପାଇଁ ଖେଳକୁଦ ପାଇଁ ଉଦ୍ୟାନ ଖୋଲିଥିବା ବେଳେ ପିଲାମାନଙ୍କ ମଧ୍ୟରେ ବେଶ୍ ଖୁସି ଦେଖିବାକୁ ମିଳିଛି ।
୬୩ ତମ ପ୍ରତିଷ୍ଠା ଦିବସରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଅନ୍ୟପଟେ ବାରମ୍ବାର ଟଏ ଟ୍ରେନ ଖରାପ ହେଉଥିବା ବେଳେ ରୋପ ୱେ କେବେ ଠାରୁ ନନ୍ଦନକାନନରେ ଆରମ୍ଭ ହେବ ସେନେଇ ଦାବି ହୋଇଛି।
ସ୍ବରୁପା ମହାପାତ୍ର
Naxatra News is now on Whatsapp
Join and get latest news update delivered to you via whatsapp
Join Now