() ବିଚାରପତି ନିଯୁକ୍ତିକୁ ନେଇ କିଛି ମାସ ହେଲା କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟ କଲେଜିୟମ ମଧ୍ୟରେ ଟଣାଓଟରା ଲାଗିରହିଛି। ହେଲେ ଏହାର ସମାଧାନର ରାସ୍ତା ବାହାରିପାରୁନି। ବରଂ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। କଲେଜିୟମରେ ସରକାରଙ୍କ ପ୍ରତିନିଧିତ୍ୱକୁ ସାମିଲ ଲାଗି ସିଜେଆଇଙ୍କୁ ଆଇନ ମନ୍ତ୍ରୀ ଚିଠି ଲେଖିବାର ୪ ଦିନ ନ ଯାଉଣୁ କିର୍ପାଲଙ୍କ ନିଯୁକ୍ତି ଉପରେ ପୁଣି କେନ୍ଦ୍ର ଆପତ୍ତି ଉଠାଇବାରୁ ଏହାକୁ କଲେଜିୟମ ପ୍ରତ୍ୟାଖ୍ୟାନ କରିଛି।
ଘନେଇବାରେ ଲାଗିଛି କେନ୍ଦ୍ର-କଲେଜିୟମ ବିବାଦ। ବିଚାରପତି ନିଯୁକ୍ତିରେ ସ୍ୱଛତା ରଖିବାକୁ ହୋଇଥିବା ସୁପ୍ରିମକୋର୍ଟ କଲେଜିୟମକୁ ନେଇ ଅନେକ ଫୋରମରେ କେନ୍ଦ୍ର ସରକାର ସିଧା ନିଶାନା ଲଗାଇଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁ ୪ ଦିନ ତଳେ ସିଜେଆଇଙ୍କୁ ଲେଖିଥିବା ଚିଠି ଚାରିଆଡ଼େ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଥିଲା। ଏବେକାର କଲେଜିୟମ ବ୍ୟବସ୍ଥା ସ୍ୱଛ ନୁହେଁ। ସେଥିଲାଗି ବିଚାରପତି ଚୟନ ବ୍ୟବସ୍ଥାରେ ସରକାରଙ୍କ ପ୍ରତିନିଧିତ୍ୱ ରହୁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କୁ ଏଭଳି ମର୍ମରେ ଲେଖିଥିବା ଚିଠିକୁ ନେଇ ରାଜନୀତି ବି ଘମାସାନ ଧରିଥିଲା। ଜାତୀୟ ନ୍ୟାୟିକ ଆୟୋଗ ଆଇନ ବା ଏନଜେଏସିକୁ ୨୦୧୫ରେ ସୁପ୍ରିମକୋର୍ଟ ଅସାମ୍ୱିଧାନିକ କହି ରଦ୍ଦ କରିଛନ୍ତି। ଆଉ ରଦ୍ଦ କରି ଦେଇଥିବା ଟିପ୍ପଣୀ ଓ ନିର୍ଦେଶ ଅନୁସାରେ ସରକାର କଲେଜିୟମ ବ୍ୟବସ୍ଥାରେ ସଂସ୍କାର ଚାହୁଁଥିବା ରିଜ୍ଜୁ କହିଥିଲେ।
ସେହିଭଳି ହାଇକୋର୍ଟ କଲେଜିୟମ ଗୁଡ଼ିକରେ ସଂପୃକ୍ତ ରାଜ୍ୟର ପ୍ରତିନିଧିଙ୍କୁ ନେବା ଲାଗି ବି ସିଜେଆଇଙ୍କୁ ଦିଆଯାଇଥିବା ଚିଠିରେ ପ୍ରସ୍ତାବ ରହିଥିଲା। ଏମିତି ହେଲେ ସାମ୍ୱିଧାନିକ କୋର୍ଟର ବିଚାରପତି ଚୟନ ପ୍ରକ୍ରିୟାରେ ସ୍ୱଛତା ରଖାଯାଇପାରିବ। ହେଲେ କେନ୍ଦ୍ର ସରକାର ନ୍ୟାୟପାଳିକାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି। ଆଉ ଏଭଳି ପ୍ରସ୍ତାବ ନ୍ୟାୟପାଳିକା ଲାଗି ବିଷ ଔଷଧ ବୋଲି କଂଗ୍ରେସ କହିଥିଲା ଆଉ ଆପ୍ କହିଥିଲା, ଏହା ବିପଦପୂର୍ଣ୍ଣ। ବିଚାରପତି ନିଯୁକ୍ତିରେ ସରକାରୀ ହସ୍ତକ୍ଷେପ ଆଦୌ ସମୀଚିନ ନୁହେଁ। କିନ୍ତୁ ଚିଠିର କଣ୍ଟେଣ୍ଟକୁ ନ ବୁଝି ଏଭଳି ବିଭ୍ରାନ୍ତିକର କଥା କହି ନ୍ୟାୟପାଳିକା ନାଁରେ ରାଜନୀତି କରନ୍ତୁନି ବୋଲି ବିରୋଧୀଙ୍କୁ ଜବାବ ଦେଇଥିଲେ ରିଜ୍ଜୁ। ଭାରତର ସମ୍ୱିଧାନ ସବୁଠୁ ବଡ଼ ଆଉ ଏହାଠୁ ଉର୍ଦ୍ଧ୍ୱରେ କେହି ନୁହଁନ୍ତି ବୋଲି କହିଥିଲେ ରିଜ୍ଜୁ। ସରକାରଙ୍କ ପ୍ରତିନିଧି କେମିତି କଲେଜିୟମରେ ରହିବେ। ସୁପ୍ରିମକୋର୍ଟଙ୍କ ସାମ୍ୱିଧାନିକ ଖଣ୍ଡପୀଠ ହିଁ କହିଥିଲେ, ମେମୋରାଣ୍ଡମ ଅଫ୍ ପ୍ରୋସିଡ୍ୟୋରର ପୁନର୍ଗଠନ କରିବାକୁ। ଅର୍ଥାତ କଲେଜିୟମ ବ୍ୟବସ୍ଥାର ପୁନର୍ଗଠନ ଜରୁରୀ। ଯେଉଁ ଖଣ୍ଡପୀଠ ଏନଜେଏସିକୁ ଖାରଜ କରିଦେଇଥିଲେ। ଆଉ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶର ଅନୁପାଳନ ଉଦ୍ଦେଶ୍ୟରେ କେବଳ ଏହି ଚିଠି ତାହାର ଫଲୋଅପ୍।
ତେବେ ଏ ବିବାଦର ପ୍ରତିଫଳନ ବି ଦେଖିବାକୁ ମିଳିଲାଣି ବିଚାରପତି ନିଯୁକ୍ତି ଲାଗି କଲେଜିୟମ ପଠାଉଥିବା ପ୍ରସ୍ତାବ ଉପରେ କିଭଳି କେନ୍ଦ୍ର ମୋହର ଲଗାଉନି। ସବୁଠୁ ବଡ଼ ଉଦାହରଣ ହେଉଛି, ବରିଷ୍ଠ ଆଇନଜୀବୀ ସୌରଭ କିର୍ପାଲଙ୍କୁ ଦିଲ୍ଲୀ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ସୁପ୍ରିମକୋର୍ଟ କଲେଜିୟମ ୫ ବର୍ଷ ଭିତରେ ୨ଥର ସୁପାରିଶ କଲେଣି। ତେବେ କିର୍ପାଲଙ୍କୁ ସମଲିଙ୍ଗୀ ଓ ତାଙ୍କ ପାର୍ଟନର ଜଣେ ବିଦେଶୀ ହୋଇଥିବା କହି କେନ୍ଦ୍ର ସରକାର ଏହାକୁ ଗ୍ରହଣ କରୁନାହାନ୍ତି। ଏବେ କଲେଜିୟମ ପୁଣି ତୃତୀୟ ଥର ଲାଗି ସୁପାରିଶ କରିଛନ୍ତି କିର୍ପାଲଙ୍କ ନାଁ। କିର୍ପାଲଙ୍କୁ ବିଚାରପତି ନିଯୁକ୍ତି ଦେବା ପ୍ରସ୍ତାବ ଉପରେ କେନ୍ଦ୍ରର ପ୍ରତିବାଦକୁ କଲେଜିୟମ ଖାରଜ କରିବା ପରେ ପୁଣି କେନ୍ଦ୍ର-କଲେଜିୟମ ମୁହାଁମୁହିଁ ହୋଇଛନ୍ତି। କିର୍ପାଲଙ୍କ ନିଯୁକ୍ତି ଫଳରେ ବେଞ୍ଚ ସମ୍ମାନ ବଢ଼ିବା ସହ ଏଥିରେ ବିବିଧତାର ସମାବେଶ ହୋଇପାରିବ ବୋଲି ଦର୍ଶାଇଥିଲେ କଲେଜିୟମ। ସେଥିଲାଗି ୨୦୨୧ ନଭେମ୍ୱର ୧୧ରେ ଏଭଳି କହିଥିବା କଲେଜିୟମ ବିଷୟକୁ ଏବେ ପୁଣି ଥରେ କିର୍ପାଲଙ୍କ ନାଁ ସୁପାରିଶ ବେଳେ ପୁନର୍ବାର ଦୋହରାଯାଇଛି। ସମଲିଙ୍ଗୀ ହେବା ଜଣଙ୍କ ବ୍ୟକ୍ତିଗତ ଅଭିରୁଚି। ବିଚାରପତି ଲାଗି ସମ୍ଭାବ୍ୟ ପ୍ରାର୍ଥୀ ହୋଇ ବି କିର୍ପାଲ ନିଜର ଅଭିରୁଚିକୁ ଲୁଚାଇନାହାନ୍ତି। ପ୍ରାର୍ଥୀଙ୍କ ବିବାହ ଅଧିକାରକୁ ସମ୍ୱିଧାନ ସ୍ୱୀକୃତି ଦେଇଛି। ତେଣୁ କିର୍ପାଲଙ୍କୁ ସମଲିଙ୍ଗୀ ଦର୍ଶାଇ ତାଙ୍କର ପ୍ରାର୍ଥୀତ୍ୱକୁ ଖାରଜ କରିବା ସାମ୍ୱିଧାନିକ ନୀତିର ବିରୁଦ୍ଧାଚରଣ କରୁଛି।
ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏସ.କେ. କୌଲ ଓ କେ.ଏମ.ଜୋସେଫଙ୍କୁ ନେଇ ଗଠିତ ୩ ଜଣିଆ କଲେଜିୟମ କହିଛନ୍ତି। ଭାରତର ପୂର୍ବତନ ପ୍ରଧାନ ବିଚାରପତି ବି.ଏନ୍. କିର୍ପାଲଙ୍କ ପୁଅ ସୌରଭ କିର୍ପାଲ୍। ସୌରଭଙ୍କୁ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ଦିଲ୍ଲୀ ହାଇକୋର୍ଟଙ୍କ କଲେଜିୟମ୍ ୨୦୧୭ରେ ସୁପାରିଶ କରିଥିଲେ। ଏହାକୁ ସୁପ୍ରିମକୋର୍ଟର କଲେଜିୟମ୍ ୨୦୨୧ ନଭେମ୍ୱରରେ ସ୍ୱୀକୃତି ପ୍ରଦାନ ସହ ସୌରଭଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସରକାରଙ୍କୁ ସୁପାରିଶ କରିଥିଲେ।
ପ୍ରଦୀପ ନାୟକଙ୍କ ରିପୋର୍ଟ