ପ୍ଲାଷ୍ଟିକ ସର୍ଜରିରେ ଇତିହାସ ରଚିଲା ଏସସିବି

() ଏସସିବି ବଡ଼ ମେଡିକାଲରେ ବିରଳ ଅସ୍ତ୍ରୋପଚାର। କଟି ଯାଇଥିବା ଡାହାଣ ହାତ ବୁଢ଼ା ଆଙ୍ଗୁଠି ଜାଗାରେ ଲାଗିଲା ବାମ ଗୋଡ଼ର ଦ୍ବିତୀୟ ଆଙ୍ଗୁଠି । ଭଦ୍ରକ ଜିଲ୍ଲାର ସୀତାକାନ୍ତ ବାରିକ ହାତରେ ହୋଇଛି ଏହି ବିରଳ ଅସ୍ତ୍ରୋପଚାର । ଓଡ଼ିଶାରେ ତଥା SCBରେ  ପ୍ରଥମ ଥର ପାଇଁ ହୋଇଛି ଏହି ବିରଳ ଅସ୍ତ୍ରୋପଚାର ।  ଅସ୍ତ୍ରୋପଚାର କୁ ନେଇ ବେଶ ଖୁସି ଅଛନ୍ତି ସୀତାକାନ୍ତ।

ଏସସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରି ବିଭାଗ ପୁଣି ରଚିଲା ଇତିହାସ । ବିଭାଗ ସଫଳତାର ସହିତ  କରି ଦେଖାଇଛି ଏହି ବିରଳ ଅସ୍ତ୍ରୋପଚାର। ଯାହା ଓଡିଶାରେ ପ୍ରଥମ। ଡାହାଣ ହାତରେ ଲାଗିଲା ବାମ ଗୋଡ଼ ଅଙ୍ଗୁଳି ।   10 ଦିନ ପୂର୍ବରୁ ହୋଇଥିଲା ଏହି ଅପରେସନ।  ଦୀର୍ଘ 8 ଘଂଟାର ଅକ୍ଲାନ୍ତ ପରିଶ୍ରମ କରି ଅସ୍ତ୍ରୋପଚାର କରିଥିଲେ ଡାକ୍ତରୀ ଦଳ ।  ବାମ ଗୋଡ଼ର ଦ୍ବିତିୟ ଅଙ୍ଗୁଳି ରକ୍ତ ନଳୀ , ସ୍ନାୟୁ , ହାଡ଼କୁ ଅଲଗା କରାଯାଇ ହାତ ବୁଢା ଅଙ୍ଗୁଳିରେ ଯୋଡ଼ା ଯାଇଛି।  8 ଜଣ ଦକ୍ଷ ଡାକ୍ତର ଏହି ବିରଳ ଅପରେସନରେ ସାମିଲ ଥିଲେ।  ଏହାସହ ଆଗାମୀ ଭବିଷ୍ୟତରେ ଯୁବକଙ୍କର କୌଣସି ପ୍ରକାର ସ୍ୱାସ୍ଥ୍ୟଗତ ଅସୁବିଧା ଉପୁଜିବନି ବୋଲି କହିଛନ୍ତି । ସେହିପରି ଗୋଡ଼ ମଧ୍ୟ ପୂର୍ବ ପରି କାର୍ଯ୍ୟ କରିବ ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟ।

ଭଦ୍ରକ ର ସୀତାକାନ୍ତ ବାରିକ ତାମିଲନାଡୁ ରେ ଏକ କମ୍ପାନୀରେ କାର୍ଯ୍ୟ କରିବା ସମୟରେ ତାଙ୍କ ଡାହାଣ ହାତର ବୁଢା ଅଙ୍ଗୁଳି ମେସିନରେ ପଶି ସମ୍ପୂର୍ଣ୍ଣ କଟି ଯାଇଥିଲା। ପରିବାର ଲୋକେ ସୀତାକାନ୍ତଙ୍କୁ ଏସିବି ମେଡିକଲର  ପ୍ଲାଷ୍ଟିକ ସର୍ଜରି ବିଭାଗରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ତେବେ ପ୍ରଥମ ପର୍ଯ୍ୟାୟ ରେ କାଉନସେଲିଂ କରିବା ପରେ ଅପରେସନ ପାଇଁ ଆରମ୍ଭ ହୋଇଥିଲା ସମସ୍ତ ପ୍ରସ୍ତୁତି। ଅପରେସନ ପରେ ନୂଆ ଜୀବନ ପାଇଛନ୍ତି 25 ବର୍ଷୀୟ ସୀତାକାନ୍ତ  । ଅସ୍ତ୍ରୋପଚାର ପରେ ସେ ସ୍ୱାଭାବିକ କାମ କରିପାରିବେ ବୋଲି ଦୃଢ଼ ବିଶ୍ୱାସ ରଖିଥିବା ବେଳେ  ଭଗବାନ ସଦୃଶ ଡାକ୍ତର ଦଳ କୁ ଧନ୍ୟବାଦ ଦେଇଛନ୍ତି ସୀତାକାନ୍ତ ।

ସୀତାକାନ୍ତ ଙ୍କ ସଫଳ ଅସ୍ତ୍ରୋପଚାର ଡାକ୍ତରୀ ଚିକିତ୍ସା ପାଇଁ ପ୍ରେରଣା ର ଉତ୍ସ ହେବା  ସହିତ ଏଭଳି ଘଟଣାର ଶିକାର ହୋଇଥିବା ସମସ୍ତ ବ୍ୟକ୍ତି ଙ୍କ ପାଇଁ ଉଦାହରଣ ପାଲିଟିବ । ଦୀପ୍ତିରଞ୍ଜନ ଶତପଥୀଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *