ଓଡ଼ିଶା

ନିଦ ହଜାଇଲା ହାତୀ ପଲ

ଚାଷୀଙ୍କ ନିଦ ହଜାଇ ଦେଇଛନ୍ତି ହାତୀ ପଲ। ରାୟଗଡା ଗୁଣପୁର ରେଞ୍ଜ ର ଭାରସିଂଙ୍ଗ ଅଞ୍ଚଳରେ ଦୀର୍ଘ ଦୁଇମାସ ହେଲା ପନିପରିବା ସହ ବ୍ୟାପକ ପରିମାଣର ଆଖୁଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ସେପଟେ ଢେଙ୍କାନାଳ ବନଖଣ୍ଡ ଡିହଡୋଳ ଫରେଷ୍ଟ ସେକ୍ସନରେ ଦନ୍ତା ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। 

ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ଉପଦ୍ରବ। ରାୟଗଡା ଗୁଣପୁର ରେଞ୍ଜ ର ଭାରସିଂଙ୍ଗ,ପୁଜାରିଗୁଡା,ପ୍ରଧାନିଗୁଡା,ଦଣ୍ଡୁଗୁଡା ଅଞ୍ଚଳରେ ଦୀର୍ଘ ଦୁଇ ମାସ ହେଲା ଛଅ ଟିକିଆ ହାତୀପଲ ଚଳପ୍ରଚଳ କରି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି।ଏଠାକାର ଆଦିବାସି ଚାଷୀମାନେ ବଂଶଧାରା ନଦୀକୂଳରେ ପନିପରିବା ଚାଷ ସହ ଶହଶହ ଏକରରେ ଆଖୁଚାଷ କରି ପରିବାର ଗୁଜୁରାଣ କରିଥାନ୍ତି।ହାତୀପଲ ଆସି ନଷ୍ଟ କରିବା ପରେ ଏବେ ଏକର ଏକର ଚାଷ ଜମିରେ ଥିବା ଆଖୁ ଚାଷ ନଷ୍ଟ କରୁଥିବା ଅଭିଯୋଗ ହୋଇଛି।ଫଳରେ କ୍ଷତିପୂରଣ ଦେବା ସହ ହାତୀ ଘଉଡାଇବାକୁ ଦାବି କରିଛନ୍ତି।

ସେପଟେ ଢେଙ୍କାନାଳ ବନଖଣ୍ଡ ଡିହଡୋଳ ଫରେଷ୍ଟ ସେକ୍ସନରେ ଦନ୍ତା ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଖାଲପାଳ ଗାଁର ଅଲେଖ ନାୟକ ଓ ପରଜଙ୍ଗ ଗଣ୍ଡତଇଲା ଗାଁର  ବାରି ନାୟକ  ବୋଲି ଜଣାପଡିଛି। ଅନ୍ୟପଟେ ଗଞ୍ଜାମ ଦକ୍ଷିଣ ଘୁମୁସର ବନଖଣ୍ତ  ବୁଗୁଡା ବନାଞ୍ଚଳର ସଙ୍କୁରୁ ଗାଁର ୧୩ ଟିକିଆ ବଣୁଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ବିଭିନ୍ନ ଚାଷ ଜମିରେ ହାତୀପଲ  ପଶି ପନିପରିବା ଖାଇବା ସହ ଦଳାଚକଟା କରି ନଷ୍ଟ କରୁଥିବା ଅଭିଯୋଗ  ହୋଇଛି। ଯଥା ଶିଘ୍ର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସହାୟତା ଯୋଗାଇଦେବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ।

ତେବେ ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ବଢୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେଣୁ ବନବିଭାଗ ତୁରନ୍ତ ହାତୀ ଘଉଡାଇବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।

Leave a Reply

Your email address will not be published.

Back to top button