() ସଂସଦରେ କଥା କଟାକଟି। ଆଦାନୀ ଗ୍ରୁପ ବିରୁଦ୍ଧରେ ଜେପିସି ତଦନ୍ତ ଦାବିକୁ ଦୋହରାଉଛନ୍ତି ବିରୋଧୀ। କିନ୍ତୁ ଜେପିସି ତଦନ୍ତର ଆବଶ୍ୟକତା ନାହିଁ ବୋଲି କାଉଣ୍ଟର କରୁଛନ୍ତି ସରକାର। ଏହାରି ଭିତରେ ଆଜି ରାଜ୍ୟସଭାରେ ଯେଭଳି ବିରୋଧୀ ଦଳ ନେତା ମଲ୍ଲିକାର୍ଜ୍ଜୁନ ଖଡ଼ଗେ ସିଧା ନିଶାନା ଲଗାଇଥିଲେ ମୋଦିଙ୍କୁ ଆଉ ଅଧ୍ୟକ୍ଷ ଜଗଦୀପ ଧନକଡଙ୍କ ହସ୍ତକ୍ଷେପ ସାଙ୍ଗକୁ ରାଜ୍ୟସଭାର ନେତା ପିୟୁଷ ଗୋଏଲଙ୍କ କାଉଣ୍ଟର ଶୈଳୀ, ଦେଖିବାର ଥିଲା।
ଆଦାନୀର ସମ୍ପତ୍ତି ଏତେ ବଢ଼ିଗଲା କେମିତି। ଆଦାନୀ ଗ୍ରୁପର ଷ୍ଟକ ହେରଫେର, ଆର୍ଥିକ ଅନିୟମିତତା ମାମଲାର ଜେପିସି ତଦନ୍ତ ହୋଇଗଲେ ସବୁ କିଛି ସ୍ପଷ୍ଟ ହୋଇଯାଆନ୍ତା। ଆଦାନୀ ବିରୁଦ୍ଧରେ ରିପୋର୍ଟ ବାହାର କରିଥିବା ହିଣ୍ଡେନବର୍ଗ ବି ଆସନ୍ତା। ବିରୋଧୀ ଓ ସରକାର ବି ବସନ୍ତେ। ଜେପିସି ଆଗରେ ସବୁ ସ୍ପଷ୍ଟ ହୋଇଯିବ। ଯଦି ହିଣ୍ଡେନବର୍ଗ ମିଛ ବୋଲି ପ୍ରମାଣିତ ହେବ, ତା ହେଲେ ସରକାରଙ୍କୁ ଫୁଲମାଳ ପିନ୍ଧାଇବୁ। ହେଲେ ନା ସରକାର ଶୁଣୁଛନ୍ତି ନା ସଂସଦରେ କୁହାଇଦେଉଛନ୍ତି। ଦେଶର ବିକାଶ ବଦଳରେ ଜାତି, ଧର୍ମ ଆଧାରରେ ବିଦ୍ୱେଷର ମଞ୍ଜି ବୁଣୁଛନ୍ତି ମୋଦିଙ୍କ ମନ୍ତ୍ରୀ। କିନ୍ତୁ ମୋଦି କାହିଁକି ମୌନ ବୋଲି ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ପଚାରିଛନ୍ତି।
ତେବେ ଜେପିସି ତଦନ୍ତର ଆବଶ୍ୟକତା ହିଁ ନାହିଁ ବୋଲି କାଉଣ୍ଟର କରିଥିଲେ ରାଜ୍ୟସଭାର ନେତା ମନ୍ତ୍ରୀ ପିୟୁଷ ଗୋଏଲ। ଜେପିସି ତଦନ୍ତ ସେତେବେଳେ ହୁଏ, ଯେତେବେଳେ ଦେଶର ସୁରକ୍ଷା, ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବାର ବଡ଼ ଆରୋପ ଲାଗିଥାଏ। ଏମିତି ହେଲେ ତ ଖଡ଼ଗେ ବି ଯେଉଁ ବ୍ୟବସାୟ କରୁଛନ୍ତି, ସେଥିରେ କେତେ ମୁନାଫା ପାଇଲେ, ତାହାର ବି କଅଣ ଜେପିସି ତଦନ୍ତ ଜରୁରୀ କି।
ତେବେ ମୋଦିଙ୍କ ଉପରେ ସିଧା ନିଶାନା ଲଗାଇଥିବାରୁ ଖଡଗେଙ୍କ ଭଳି ଅନୁଭବୀ, ଅଭିଜ୍ଞସମ୍ପନ୍ନ ରାଜନେତାଙ୍କ ମୁହଁରେ ଏହା ଶୋଭାପାଉନି ବୋଲି ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼। ବିନା ତଥ୍ୟ ପ୍ରମାଣ ଓ ସତରେ କୌଣସି ମନ୍ତବ୍ୟ ଦେବା ବା କାହାକୁ ଅଙ୍ଗୁଳି ଉଠାଇବା ଉଚିତ ନୁହେଁ ବୋଲି କହିଥିଲେ ଧନକଡ। ଆଉ ଏଥିରେ ଉତକ୍ଷିପ୍ତ ହୋଇ ଖଡଗେ କହିଥିଲେ କି, କେମିତି ସଂସଦରେ ସେ କହିବେ, ତା କଅଣ ଜଗଦୀପଙ୍କଠୁ ଶିଖିବାକୁ ପଡ଼ିବ।
ଆଦାନୀ ବିରୁଦ୍ଧରେ ଜେପିସି ତଦନ୍ତ ହେବନି ବୋଲି ସଫା ସଫା କହିଦେଲେ ସରକାର ସଂସଦରେ। ଏବେ ଦେଖିବାର କଥା, ଆଗକୁ ଆଦାନୀ ଝଡ଼ କେଉଁ ମୋଡ଼ ନେଉଛି।
ପ୍ରଦୀପ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now