ଗୋପାଳଙ୍କୁ ପାଗଳ ସଜାଇବାକୁ ଚାଲିଛି ପ୍ରସ୍ତୁତି!

() ଦିନ ଗଡିବା ସହ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଆରୋପ ପ୍ରତ୍ୟାରୋପ ବଢୁଛି । ଏହାରି ଭିତରେ ଝାରସୁଗୁଡା ବିମାନ ବନ୍ଦରରେ ଗୋପାଳ ଦାସର ଭିଡିଓକୁ ନେଇ ବିରୋଧି ଆଣିଛନ୍ତି ସାଂଘାତିକ ଅଭିଯୋଗ । ଗୋପାଳକୁ ପାଗଳ ସଜେଇବା ପାଇଁ ଜାଣିଶୁଣି ଏହି ଭିଡିଓକୁ ଭାଇରାଲ କରାଯାଉଥିବା କହିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ଏପଟେ ବିରୋଧିଙ୍କ ଅଭିଯୋଗକୁ ମିଛ ବୋଲି କହିଛି ଶାସକ ଦଳ ।  

ଗୋପାଳଙ୍କୁ ପାଗଳ ସଜାଇବାକୁ ପ୍ରସ୍ତୁତ ହେଉଛି କି ପ୍ଲଟ? ବିମାନ ବନ୍ଦରର ଭିଡିଓ କେମିତି ଆସିଲା ବାହାରକୁ?  ସରକାର ଜାଣିଶୁଣି ନୂଆ ଶୁଆଙ୍ଗ ରଚୁଥିବା ଅଭିଯୋଗ ଆଣିଲେ ବିରୋଧି । ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଅଭିଯୋଗର ଫର୍ଦ୍ଦ ଯୋଡି ହେବାରେ ଲାଗିଛି । ଏହାରି ଭିତରେ ହତ୍ୟାକାରୀ ଗୋପାଳ ଦାସକୁ ନାର୍କୋ ଟେଷ୍ଟ ପାଇଁ ଗୁଜୁରାଟ ନେବା ବେଳେ ଝାରସୁଗୁଡା ବିମାନ ବନ୍ଦରର ଭିଡିଓକୁ ନେଇ ଚର୍ଚ୍ଚା ବଢିଛି । କାରଣ ଏୟାରପୋର୍ଟ ଭିତରେ ଗୋପାଳ ଖବର କାଗଜରେ ନିଜ ଫଟୋ ଦେଖି ଅତି ଅସ୍ୱାଭାବିକ ଢଙ୍ଗରେ ହସୁଥିବାର ଚିତ୍ର ସାମ୍ନାକୁ ଆସିଥିଲା । ଏମିତି କି ବିମାନରେ ଚଢିଲା ବେଳେ ମଧ୍ୟ ମୁଣ୍ତିଆ ମାରି ଚଢିବାର ଭିଜୁଆଲ ଭାଇରାଲ ହୋଇଥିଲା । ଯାହାକୁ ସନ୍ଦେହ ଦୃଷ୍ଟିରେ ଦେଖିଛନ୍ତି ବିରୋଧି । ବିମାନ ବନ୍ଦର ଭିତର ଭିଡିଓକୁ ଜାଣିଶୁଣି ଭାଇରାଲ କରାଯାଇଥିବା ବିଜେପି ଅଭିଯୋଗ ଆଣିଛି । କାରଣ ଏମିତି ଭିଡିଓ ଭାଇରାଲ କରି ଗୋପାଳକୁ ପାଗଳ ସଜେଇବାକୁ ଚେଷ୍ଟା କରାଯାଉଥିବା କହିଛି ଦଳ। ଏହାସହ ହତ୍ୟା ପଛରେ ଥିବା ଷଡଯନ୍ତ୍ରକାରୀଙ୍କୁ ସୁରକ୍ଷା ଦେବାକୁ ଏପରି କରାଯାଉଥିବା ଦଳ ଅଭିଯୋଗ କରିଛି। ଏପଟେ କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ।

ଅନ୍ୟପଟେ ଅଭିଯୋଗର କଡା ଜବାବ ରଖିଛି ଶାସକ ଦଳ। ରାଜ୍ୟ ସରକାରର ମନ୍ତ୍ରୀଙ୍କ ହତ୍ୟା କରାଯାଇଛି । ତେଣୁ ରାଜ୍ୟ ସରକାର ତଦନ୍ତ ଦାୟିତ୍ୱପୁର୍ଣ୍ଣ ଭାବେ କରୁଛନ୍ତି । କ୍ରାଇମବ୍ରାଞ୍ଚ ସହ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ତେଣୁ ବିରୋଧି ଶସ୍ତା ରାଜନୀତିରୁ ଦୂରେଇ ରହିବା ଆବଶ୍ୟକ ବୋଲି ବିଜେଡି କହିଛି।

ତେବେ ରାଜ୍ୟ ଆଉ ଏକ ଉପନିର୍ବାଚନ ଦେଖିବାକୁ ଯାଉଥିବା ବେଳେ ଶୁଦ୍ଧକ୍ରିୟାରେ ନବ ଦାସଙ୍କ ଝିଅ ବିଜେଡି ତରଫରୁ ଲଢିବା ନେଇ ସଂକେତ ଦେଇସାରିଛନ୍ତି । ଏହାରି ଭିତରେ ମଞ୍ଚରେ ଦିପାଳିଙ୍କ କଂସ ଆଉ ରାବଣ ଉପାକ୍ଷାନକୁ ନେଇ ଭିନ୍ନ ଚର୍ଚ୍ଚା ମଧ୍ୟ ଜୋର ଧରିଛି ।

ନବ କିଶୋର ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *