କାମାକ୍ଷାନଗର: ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନା ସାତ ସପନ। ବାରମ୍ବାର ଆବେଦନ ସତ୍ତ୍ବେ ଘର ଖଣ୍ଡିଏ ମିଳିପାରୁନାହିଁ। ଗ୍ରାମବାସୀଙ୍କ ସହାୟତାରେ ଚାଳ ଛପର ଘରରେ ବହୁ ଦୁଃଖ କଷ୍ଟରେ ରହୁଛନ୍ତି ମାଆ ଓ ଦୁଇ ଝିଅ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚଳିତ ବର୍ଷ ସୁଦ୍ଧା ସମସ୍ତ କଚ୍ଚା ଘର ଗୁଡିକ ପକାଘର ହେବା ନେଇ ତାଲିକା ପ୍ରସ୍ତୁତି କରିଛନ୍ତି। ଏବଂ ଏଥିପାଇଁ ସ୍ବତନ୍ତ୍ର ଭାବେ କର୍ମଚାରୀ ମଧ୍ୟ ନିୟୋଜିତ କରିଛନ୍ତି। ଗ୍ରାମାଞ୍ଚଳରେ କିମ୍ବା ସହରାଞ୍ଚଳରେ ଆବାସ ଯୋଜନାରୁ ବାଦ ପଡିଥିବା ପ୍ରକୃତ ହିତାଧିକାରୀଙ୍କୁ କିପରି ଘର ମିଳିପାରିବ, ସେ ନେଇ ଗାଁ ଗାଁ ବୁଲି ଚୁଡାନ୍ତ ତାଲିକା ପ୍ରସ୍ତୁତି କରିଛନ୍ତି। କିନ୍ତୁ ସେଥିରେ ବି ପ୍ରକୃତ ହିତାଧିକାରି ବାଦ ପଡିଥିବା ଦେଖିବାକୁ ମିଳିଛି। ଏମିତି କିଛି ଘଟଣା ଦେଖିବାକୁ ମିଳିଛି କଙ୍କଡାହାଡ ବ୍ଲକ ବାଲିକୁମା ପଞ୍ଚାୟତ ଉର୍ବେଙ୍ଗି ଗାଁରେ। ଗାଁର ବାସନ୍ତି ସିଂ ଦୁଇ ଝିଅକୁ ନେଇ ବସବାସ କରନ୍ତି। ଆଜକୁ ୧୦ ବର୍ଷ ହେବ ସ୍ବାମୀଙ୍କ ମୃତ୍ୟୁ ପରେ ବାସନ୍ତି ମୂଲ ମଜୁରୀ ଲାଗି ଯେତିକି ରୋଜଗାର କରନ୍ତି , ଏବଂ ଯେତିକି ଭତ୍ତା ଟଙ୍କା ମିଳେ ସେଥିରେ କଷ୍ଟେମଷ୍ଟେ ପରିବାର ଚଳାନ୍ତି ।
ଘରେ ଖଣ୍ଡିଏ କରିବା ପାଇଁ ସେ ନିଜେ ଅସମର୍ଥ। ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଗୁହାରି କରିଥିଲେ ହେଲେ କିଛି ସୁଫଳ ମିଳିନଥିଲା। ଅଯୋଗ୍ୟ ହିତାଧିକାରିଙ୍କୁ ଏକାଧିକ ଘର ମିଳିପାରୁଛି, କିନ୍ତୁ ଯୋଗ୍ୟ ହିତାଧିକାରି ବାଦ ପଡିଯାଇଛନ୍ତି। ତେଣୁ ଏଠି ଲାଞ୍ଚ କାରବାର ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ସେପଟେ ବିଡିଓ ତଦନ୍ତ କରିବା ପରେ ଖୁବଶୀଘ୍ର ଆବାସ ଯୋଜନାରେ ବାସନ୍ତିଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।
Naxatra News is now on Whatsapp
Join and get latest news update delivered to you via whatsapp
Join Now