୧୨ ବିରୋଧୀ ସାଂସଦଙ୍କ ବିରୁଦ୍ଧରେ ପ୍ରୋସିଡିଂ

() ସଂସଦରେ ସ୍ୱାଧିକାର ଭଙ୍ଗ ହୋଇଛି। ସ୍ୱାଧିକାର ଭଙ୍ଗ କରିଛନ୍ତି ବିରୋଧୀ। ସେଥିଲାଗି ରାଜ୍ୟସଭାର ୧୨ ବିରୋଧୀ ସାଂସଦଙ୍କ ବିରୁଦ୍ଧରେ ପ୍ରୋସିଡିଂ ଲାଗି ଅନୁମତି ଦେଇଛନ୍ତି ଅଧ୍ୟକ୍ଷ ଜଗଦୀପ ଧନକଡ଼। ଯାହାକୁ ନେଇ ପୁଣି ତେଜିଲାଣି ରାଜନୀତି। ରୁଲ୍ସ ୨୬୭ ଆଧାରରେ ନୋଟିସ ଦେବା କେମିତି ବେଆଇନ ହେଲା ଓ ସ୍ୱାଧିକାର ଭଙ୍ଗ ହେଲା, ତାକୁ ନେଇ ଆପତ୍ତି ଉଠାଇଛନ୍ତି ବିରୋଧୀ।

ଆଦାନୀ ଗ୍ରୁପ ବିରୁଦ୍ଧରେ ଜେପିସି ତଦନ୍ତ ନଚେତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ହେଉ ଦାବିରେ ଅଡ଼ି ବସିଥିଲେ ବିରୋଧୀ। କିନ୍ତୁ ଏ ସମ୍ପର୍କରେ ରୁଲ୍ସ ୨୬୭ ଆଧାରରେ ଦେଉଥିବା ନୋଟିସ୍ ବାରମ୍ୱାର ଅଗ୍ରାହ୍ୟ ହେଉଥିବାରୁ ଏହାକୁ ନେଇ ତାତିଥିଲେ ବିରୋଧୀ। କାହିଁକି ଓ କେଉଁ ଆଧାରରେ ନୋଟିସକୁ ଗ୍ରହଣ ହେଉନି। କେମିତି ଦେଲେ ଗ୍ରହଣ ହେବ ବତାଅ ବୋଲି ପଚାରିବାରୁ ଅଧ୍ୟକ୍ଷ ଏମିତି ଢଙ୍ଗରେ ବୁଝାଇଦେଇଥିଲେ। ନିୟମ ପ୍ରଣେତା ଆଇନ ବାବଦରେ ଅଜ୍ଞ  ନୁହଁନ୍ତି। କିନ୍ତୁ ଏହାକୁ ନେଇ ସ୍ୱତନ୍ତ୍ର ଫର୍ମାଟ ତିଆରି କରିବା ଉଚିତ ହେବନି। କାରଣ ନିୟମ ତିଆରି ସହ ଏଥିରେ ସୁଧାର ଆଣିବା ସଭ୍ୟଙ୍କର ଦାୟିତ୍ୱ। ନୋଟିସରେ କେବଳ ତାରିଖ ବଦଳୁଛି। କିନ୍ତୁ କିଛି ନୂଆ କଣ୍ଟେଣ୍ଟ ନାହିଁ। ରାଜ୍ୟସଭା ନେତା କହିଥିଲେ,ବିରୋଧୀ ଦଳ ନେତାଙ୍କ ସମେତ ଅନେକ ବିରୋଧୀ ସଭ୍ୟ ପ୍ରଧାନମନ୍ତ୍ରୀଙ୍କୁ ନେଇ ଅରୁଚିକର ମନ୍ତବ୍ୟ ଓ ଟିକାଟିପ୍ପଣୀ କରିବା ସହ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ବି ଅବମାନନା କରିଛନ୍ତି। ସେଥିଲାଗି ବିରୋଧୀ କ୍ଷମା ମାଗନ୍ତୁ। ଆଉ କାଉଣ୍ଟରରେ ବିରୋଧୀ ଦଳ ନେତା କହିଥିଲେ, ଯାହା କହିଛନ୍ତି, ସରକାରଙ୍କ ଉଦ୍ଦେଶ୍ୟରେ। ଆସନକୁ ନୁହେଁ।

ଆଉ ଶେଷରେ ରାଜ୍ୟସଭାରେ ହଙ୍ଗାମା ପାଇଁ ୧୨ ବିରୋଧୀ ସାଂସଦଙ୍କ ବିରୁଦ୍ଧରେ ଆକ୍ସନ ପାଇଁ ଅନୁମତି ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ। ପ୍ରିଭିଲେଜ୍ କମିଟିକୁ ଏମାନଙ୍କ ଆଚରଣକୁ ନେଇ ତର୍ଜମା ସହ କଅଣ ଆକ୍ସନ ନେଲ, ତାକୁ ନେଇ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି ଧନକଡ଼। ଏମାନଙ୍କ ଭିତରେ କଂଗ୍ରେସର ୯, ଆପ୍ ର ୩ ସାଂସଦ ଅଛନ୍ତି। କଂଗ୍ରେସରୁ ଶକ୍ତିସିଂ ଗୋହିଲ, ନାରନଭାଇ ଜେ ରାଠଓ୍ୱା, ସୟେଦ ନାସିର ହୁସେନ୍, କୁମାର କେତକର, ଇମରାନ୍ ପ୍ରତାପଗଡ଼ି, ଏଲ.ହନୁମନ୍ଥେୟା, ଫୁଲୋ ଦେବୀ ନେତାମ୍, ଜେବି ମାଥେର ହିଶମ ଓ ରଞ୍ଜିତ ରଞ୍ଜନ ଅଛନ୍ତି। ସେହିଭଳି ଆପ୍‌ ରୁ ସଞ୍ଜୟ ସିଂ, ସୁଶୀଲ କୁମାର ଗୁପ୍ତା ଓ ସନ୍ଦୀପ କୁମାର ପାଠକ। ଏ ସବୁ ସଦସ୍ୟଙ୍କ ବିରୁଦ୍ଧରେ ବାରମ୍ୱାର ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ, ନାରାବାଜି, ଜାଣିଶୁଣି ଗୃହ କାର୍ଯ୍ୟରେ ବାଧାଦେବା ଆଦି ଆରୋପ ରହିଛି। ଆଦାନୀ-ହିଣ୍ଡେନବର୍ଗ ମାମଲା ସମେତ କଂଗ୍ରେସ ସାଂସଦ ରଜନି ପାଟିଲଙ୍କୁ ନିଲମ୍ୱନ ପ୍ରସଙ୍ଗରେ ଏ ସବୁ ସଦସ୍ୟ କ୍ରମାଗତ ଗୃହରେ ହଟ୍ଟଗୋଳ କରିବାରୁ ଗୃହ ବାରମ୍ୱାର ମୁଲତବୀ ହୋଇଥିଲା। ସେପଟେ ଅଧ୍ୟକ୍ଷଙ୍କ ଏଭଳି ଆକ୍ସନକୁ ନେଇ ବିରୋଧୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୩ରୁ ଆରମ୍ଭ ହୋଇ ଏପ୍ରିଲ ୬ ଯାଏ ଚାଲିବ। କିନ୍ତୁ ତା ଆଗରୁ ୧୨ ବିରୋଧୀ ସାଂସଦଙ୍କ ବିରୁଦ୍ଧରେ ଆକ୍ସନ ଲାଗି ଅଧ୍ୟକ୍ଷ ଅନୁମତି ଦେଇଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ଏହି ପ୍ରସଙ୍ଗକୁ ନେଇ ପୁଣି ଗୃହ ଅଚଳ ହେବାର ଯଥେଷ୍ଟ ଆଶଙ୍କା ରହିଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *