ହାଇକୋର୍ଟ ମ୍ୟୁଜିୟମ ଉଦ୍‌ଘାଟିତ

କଟକ: କଟକରେ ବାରବାଟୀ କିଲ୍ଲା ଦୁର୍ଗ ପରିସରରେ ହାଇକୋର୍ଟର ମ୍ୟୁଜିୟମ ବା ମ୍ୟୁଜିୟମ୍ ଅଫ ଜଷ୍ଟିସ ଉଦଘାଟିତ ହୋଇଛି ।  ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଏହି ମ୍ୟୁଜିୟମକୁ ଉଦଘାଟନ କରିଛନ୍ତି। ହାଇକୋର୍ଟର ୭୫ ବର୍ଷ ପାଳନ ଅବସରରେ ଉଦଘାଟିତ ଏହି ମ୍ୟୁଜିୟମ୍ ରେ ୨୦୦ ବର୍ଷର ପୁରୁଣା ସାମଗ୍ରୀ ରହିଛି ।

ଓଡିଶା ହାଇକୋର୍ଟ କୁ ପୁରିଛି  ୭୫ ବର୍ଷ । ଆଉ ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଜ୍ୟରେ ପ୍ରଥମ କରି ଉଦଘାଟିତ ହୋଇଛି ହାଇକୋର୍ଟର ମ୍ୟୁଜିୟମ୍ ଅଫ ଜଷ୍ଟିସ । ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମ୍ୟୁଜିୟମ୍ କୁ ଉଦଘାଟନ କରିଛନ୍ତି ।  ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲିଧର, ହାଇକୋର୍ଟର ବିଚାରପତି ବୃନ୍ଦ, ପୋଲିସ ଡିଜି ସମସ୍ତେ ଯୋଗ ଦେବା ସହ ପୁରା ମ୍ୟୁଜିୟମ୍ ବୁଲି ଦେଖିଛନ୍ତି । ଏହି ମ୍ୟୁଜିୟମ୍ କୁ ୧୦୦ ବର୍ଷର ପୁରୁଣା ଏକ ବଙ୍ଗଳାରେ ପ୍ରତିଷ୍ଠା ହୋଇଛି।  ଏଥିରେ ୭ଟି ଗ୍ୟାଲେରୀ ରହିଥିବା ବେଳେ ପ୍ରତ୍ୟେକ ଗ୍ୟାଲେରୀରେ ବହୁ ପୁରାତନ କୋର୍ଟ ସାମଗ୍ରୀ ଓ ଫଟୋ, ଅର୍ଡର ଓ ପୁସ୍ତକ ସ୍ଥାନ ପାଇଛି।ଏହି ମ୍ୟୁଜିୟମ ଦ୍ୱାରା ସାଧାରଣ ଲୋକ ଆଇନ ବିଷୟରେ ଜାଣିବାକୁ ପାଇବା ସହ ଆଇନଜ୍ଞଙ୍କ ପାଇଁ ବେଶ ଲାଭଦାୟକ ହେବ ବୋଲି କହିଛନ୍ତି ରାଜ୍ୟପାଳ ।

ତେବେ ମ୍ୟୁଜିୟମର ଗୋଟିଏ ଗ୍ୟାଲେରୀରେ ହାଇକୋର୍ଟର ଅବିକଳ ମଡେଲ ରହିଛି। ଦ୍ବିତୀୟ ଗ୍ୟାଲେରୀରେ ପୁରୁଣା ଘଣ୍ଟା, ଟାଇପ୍ ରାଇଟର ମେସିନ, କାଲକୁଲେଟର, ଅର୍ଡଲି ବ୍ୟାଚ୍, ହାଇକୋର୍ଟ ଗାଉନ, କାଠ ସିଲ୍ ରହିଛି। ତୃତୀୟ ଗ୍ୟାଲେରୀରେ ମଂକ କୋର୍ଟ ରୁମ ରହିଛି ଯେଉଁଥିରେ ପୁରୁଣା ପଙ୍ଖା ଲାଗିଛି। ଚତୁର୍ଥ ଗ୍ୟାଲେରୀରେ ୧୮୦୮ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୋର୍ଟ ଅର୍ଡର, ଖବର କାଗଜ ଲେଖା, ବିଭିନ୍ନ ଭାଷାରେ କୋର୍ଟଙ୍କ ନିର୍ଦେଶ ମଧ୍ୟ ସ୍ଥାନ ପାଇଛି। ସେହିପରି ଅନ୍ୟ ଗ୍ୟାଲେରୀ ରେ ଆଇନ ପୁସ୍ତକ, ଆସବାବପତ୍ର ରହିଛି ।

ମ୍ୟୁଜିୟମର ପରିସରରେ ସୁନ୍ଦର ଲନ ଓ ସାଜସଜା କରାଯାଇଥିବା ବେଳେ ଆଜିଠୁ ସାଧାରଣ ଲୋକଙ୍କ ପାଇଁ ଏହା ଖୋଲା ରହିବ।

ଚିତ୍ତରଞ୍ଜନ ସାମନ୍ତରାୟଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *