ରାହୁଲଙ୍କ ପାଇଁ ବିଧାନସଭା ଅଚଳ

() ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ଆଜି ବିଧାନସଭାକୁ ଅଚଳ କରିଦେଇଛି କଂଗ୍ରେସ। ମୋଦିଙ୍କ ବିରୁଦ୍ଧରେ ନାରାବାଜି କରିବା ସହ କଳା ପୋଷାକ ପିନ୍ଧି ଗୃହ ଭିତରେ ଅଭିନବ ପ୍ରତିବାଦ କରିଥିଲେ ସଭ୍ୟ। ସେପଟେ ଗୃହ ବାହାରେ ଗଣତନ୍ତ୍ର ସୁରକ୍ଷା ପାଇଁ ସର୍ବଦଳୀୟ ପ୍ରତିନିଧି ଦଳ ରାଜଭବନ ଚାଲ ଅଭିଯାନରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛି। ଆଉ ବିଜେପି କହିଛି, ଆଇନରୁ ଉର୍ଦ୍ଧ୍ୱରେ ରାହୁଲ ନୁହଁନ୍ତି। ଗଣତନ୍ତ୍ର କଥା କହୁଥିବା କଂଗ୍ରେସର ଏମର୍ଜେନ୍ସି ସମୟକୁ ମନେ ପକାଇଦେଇଛି।

ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା ପ୍ରତିବାଦର ନିଆଁବାଣ କଂଗ୍ରେସ ବିଧାନସଭାକୁ ଅଚଳ କରିଦେଲା। କଂଗ୍ରେସ ବିଧାୟକ କଳା ପୋଷାକ ପିନ୍ଧି ଗୃହକୁ ଆସିଥିଲେ। କଂଗ୍ରେସକୁ ସମର୍ଥନ କରି ମୁଣ୍ଡରେ କଳା ପଟି ବାନ୍ଧିଥିଲେ ସିପିଆଇଏମର ବିଧାୟକ ଲକ୍ଷ୍ମଣ ମୁଣ୍ଡା। ପ୍ରଶ୍ନୋତ୍ତର କାଳ ଆରମ୍ଭ ମାତ୍ରେ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ମୋଦିଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ। ଗଣତନ୍ତ୍ର ହତ୍ୟାକାରୀ ମୋଦି ବୋଲି ଗୃହକୁ କମ୍ପାଇଥିଲେ। ଫଳରେ ବାଧ୍ୟହୋଇ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଦେଇଥିଲେ। ଏହା ପରେ ଗଣତନ୍ତ୍ର ବଞ୍ଚାଅ ରାଲି କରି ସର୍କିଟ ହାଉସରୁ ସର୍ବଦଳୀୟ  ଶୋଭାଯାତ୍ରା ବାହାରିଥିଲା ରାଜଭବନ ଅଭିମୁଖେ। ରାହୁଲଙ୍କ ସଦସ୍ୟତା ରଦ୍ଦ ଗଣତନ୍ତ୍ର ଓ ସମ୍ୱିଧାନ ପ୍ରତି ମୋଦି ସରକାରଙ୍କ ଆକ୍ରମଣ ବୋଲି ଅଭିହିତ କରି ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି।

ସେପଟେ ବିଜେପି କହିଛି, ଆଇନରୁ ଉର୍ଦ୍ଧ୍ୱରେ କେହି ନୁହନ୍ତି। କଂଗ୍ରେସ ପାଇଁ ରାହୁଲ ଗାନ୍ଧୀ ଯଦି ଆଇନରୁ ଉର୍ଦ୍ଧ୍ୱରେ, ତାହେଲେ କିଛି କହିବାର ନାହିଁ। ପଛୁଆ ବର୍ଗକୁ ଗାଳି ଦେବା କେତେଦୂର ଯୁକ୍ତିଯୁକ୍ତ। ଗଣତନ୍ତ୍ର କହୁଥିବା କଂଗ୍ରେସ ଯେତେବେଳେ ଏମର୍ଜେନ୍ସି ଲଗାଇ ଗିରଫ କରୁଥିଲା, ତାହା କଅଣ ଆଇନସଙ୍ଗତ ଥିଲା। ଆଉ ବିଜେଡି କହିଛି, ନିଜସ୍ୱ ଢଙ୍ଗରେ କିଏ କେମିତି ମତ ରଖିବ, ସେଥିରେ ସମସ୍ତଙ୍କର ଅଧିକାର ରହିଛି। କିନ୍ତୁ ମାସେ ହେଲା ଉଭୟ ବିଜେପି ଓ କଂଗ୍ରେସ ହାତରେ ହାତ ମିଳାଇ, ପରସ୍ପର ସହ କୋଳାକୋଳି ହୋଇ ବିଧାନସଭା ବନ୍ଦ କରୁଛନ୍ତି, ତାହା କେତେଦୂର ସମୀଚିନ। ଗୃହ ଚାଲିବାକୁ ଦିଅନ୍ତୁ ବିରୋଧୀ।

ରାହୁଲ ଗାନ୍ଧୀଙ୍କ ଲୋକସଭାରେ ଅଯୋଗ୍ୟତା ପ୍ରସଙ୍ଗର ନିଆଁ ଗୃହ ଭିତରେ ଓ ବାହାରେ ଜଳୁଛି। ଯାହାକୁ ନେଇ ଗୃହ ସୁରୁଖୁରୁରେ ଚାଲିବା ସମ୍ଭବ ହୋଇପାରିଲାନି।

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *