LUMEX RESOURCES CONSPIRACY (ଲୁମେକ୍ସ ମହାଠକେଇ ମାମଲା)

15/04/23

() ସବୁ ତ ପ୍ରମାଣ ଅଛି। ତା ହେଲେ କେଉଁଠି ରହୁଛି କେଁ। ଲୁମେକ୍ସ ମହାଠକେଇ ମାମଲାରେ ଅଭିଯୁକ୍ତ ରାଜୀବ ଓ ସେମାନଙ୍କ ସହଯୋଗୀଙ୍କ ପାଖରେ ପହଞ୍ଚିବାକୁ ତା ହେଲେ ଆଉ କେଉଁ ଆଧାର ଖୋଜୁଛି ତଦନ୍ତକାରୀ ସଂସ୍ଥା। ଚାପରେ ଅରୁଣ ବୋଥ୍ରା ଓ ତାଙ୍କ ଟିମ୍ ନାହାନ୍ତି ତ। ଅନ୍ତତଃ ରାଜୀବଙ୍କର କାରସାଦିର କାରନାମାକୁ ନେଇ ଯେତିକି ପ୍ରମାଣ ଖୋଲା ବହି ଭଳି ଅଛି। ସେହି ତୁଳନାରେ ଇଓଡବ୍ଲୁ ବେଶ୍ ଆଗକୁ ମାଡ଼ିଯିବା କଥା। ହେଲେ ସେମିତି କିଛି ଘଟୁନଥିବା ଭଳି ହୃଦବୋଧ ହେଲାଣି।

ଜିଓକେମ୍, ଜିନ୍ଦଲ, ଆଦିତ୍ୟ ବିର୍ଲା ଭଳି ନାମୀଦାମୀ ସଂସ୍ଥା ସହ ବ୍ୟବସାୟିକ କାରବାର ଚାଲୁଥିଲା କି ଲୁମେକ୍ସର । ଏହାର ଉତ୍ତର କେବେଠୁ ମିଳିସାରିଲାଣି। ଏ ସବୁ ସଂସ୍ଥା ସ୍ପଷ୍ଟ କରିସାରିଲେଣି, କୌଣସି ବ୍ୟବସାୟିକ କାରବାର ତ ଦୂରର କଥା। ସେମାନେ ନା ଜାଣିଛନ୍ତି ଲୁମେକ୍ସ କୁ ନା ଜାଣିଛନ୍ତି ଲୁମେକ୍ସର ଏମ୍‌ଡି ରାଜୀବ ଓ ଅନ୍ୟ ୪ ନିର୍ଦେଶକଙ୍କୁ। ଲୁମେକ୍ସ ଓ ରାଜୀବ ଉଭୟ ଫ୍ରଡ୍। ଏ କଥା ଆଉ କେହି ନୁହେଁ। ଏହାର ଖୋଳତାଡ଼ କରି ପ୍ରମାଣ ବାହାର କରିଥିଲେ ନିଜେ ଠକାମୀର ଶୀକାର ହୋଇଥିବା ନିଶାରାଣୀ ମହାପାତ୍ର।  ଇମେଲ୍ ଯୋଗେ ନିରନ୍ତର ଯୋଗାଯୋଗ କରି ଲୁମେକ୍ସ ସଂସ୍ଥାର ଜାଲିଆତିକୁ ଧରିବାରେ ସକ୍ଷମ ହୋଇଥିଲେ। କୋଟି କୋଟି ଟଙ୍କାର ଠକେଇର ଶୀକାର ହୋଇ ବି ନିଶାରାଣୀ ଧୈର୍ଯ୍ୟ ଓ ସାହସ ହରାଇନଥିଲେ। ସତ ପଦାକୁ ଆଣିବାକୁ କୌଣସି କସରତ ଛାଡ଼ିନଥିଲେ କି ନ୍ୟାୟ ପାଇବାକୁ କୌଣସି ଫୋରମକୁ ବାଦ୍ ଦେଇନାହାନ୍ତି ଏ ଯାଏ। ତା ହେଲେ କମିଶନରେଟ ପୁଲିସ କଅଣ କରୁଥିଲା ୧୭ ମାସ ଧରି। ଲୁମେକ୍ସ ନାଁରେ ଜାଲିଆତିର ସାମ୍ରାଜ୍ୟ ବିଛାଇଥିବା ରାଜୀବ, ସୋନିଆ ଓ ସେମାନଙ୍କ ଘନିଷ୍ଠ ସହଯୋଗୀଙ୍କ ଚକ୍ରାନ୍ତରେ ଫସି ବି ସେମାନଙ୍କ ଜାଲିଆତିର ଗୁମର ଫିଟାଇପାରିଲେ ନିଶାରାଣୀ। ଯେଉଁ କଥା ପୁଲିସ ତଦନ୍ତ କରି ବାହାର କରିବାର ଥିଲା। ସେ ସବୁ କାମ ନିଶାରାଣୀ ସାରିଦେଇଥିଲେ। କହିବାର ଅର୍ଥ ପୁଲିସକୁ ତଦନ୍ତରେ କେବଳ ସହଯୋଗ କରିନଥିଲେ। ବରଂ ଅଧିକାଂଶ ଠୋସ୍ ପ୍ରମାଣ ନିଜେ ବାହାର କରି ପୁଲିସର ତଦନ୍ତକୁ ଆହୁରି ସହଜ କରିଦେଇଥିଲେ କହିଲେ ଭୁଲ୍ ହେବନି। ଆଉ ଡିସିପି ପ୍ରତୀକ ସିଂ କହିଥିଲେ ଯେ, ବହୁ ସିନିୟର ଅଫିସରଙ୍କୁ ନିୟୋଜିତ କରାଯାଇଛି

ଏତେ ବଡ଼ଧରଣର ଆର୍ଥିକ ଅନିୟମିତତା ମାମଲାରେ ତଦନ୍ତରେ ସମୟ ଲାଗୁଛି। ଯଦି ଡିସିପିଙ୍କ କଥା ସତ ବୋଲି ଧରାଯିବ, ତା ହେଲେ ନିଶାରାଣୀ ଡିସିପିଙ୍କ ପାଖରେ ଦାଖଲ କରିଥିବା ତଥ୍ୟ ପ୍ରମାଣ କଅଣ ପର୍ଯ୍ୟାପ୍ତ ନଥିଲା କି। ଧର ଏହା ବି ପର୍ଯ୍ୟାପ୍ତ ନଥିଲା। କିନ୍ତୁ ରାଜୀବ ଓ ତାଙ୍କ ସହଯୋଗୀଙ୍କ ମିଛ ବ୍ୟବସାୟିକ କାରବାରକୁ ନେଇ କେତେଥର ତଥାକଥିତ ସିନିୟର ଅଫିସର ଘାଣ୍ଟିଛନ୍ତି। ଭାତ ହାଣ୍ଡିରୁ ଗୋଟିଏ ଚିପୁଡ଼ିଲା ଭଳି ଭଲ ଓ ଭୁଲ୍ ବିବେଚନା କରିବାକୁ କଅଣ କମିଶନରେଟ ପୁଲିସକୁ ସମୟ ଲାଗୁଥିଲା। ନା ସମୟ ଗଡ଼ାଇବାର ବାହାନା ଖୋଜୁଥିଲା ପୁଲିସ ବୋଲି ସବୁଠି ଚର୍ଚ୍ଚା । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ କହିବା ଅନୁଯାୟୀ କ୍ରାଇମବ୍ରାଞ୍ଚ ହାତକୁ କେସ ଗଲାପରେ ବି ସେ ଏ କ୍ଷେତ୍ରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି  । ଉମା ଶଙ୍କର ଦାଶ ଏ କେଶକୁହାତକୁ ନେବାପରେ ବି ଚୁପୁ ବସି ରହିଛନ୍ତି ।

ସେଥିଲାଗି ତ ତଦନ୍ତରେ ବିଳମ୍ୱ ଓ ନ୍ୟାୟ ମିଳିବାର ସବୁ ଆଶା ଛାଡ଼ିଦେଇ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ, ଫାଇଭ-ଟି ସଚିବ, ଗୃହ ସଚିବ ଓ ଡିଜିଙ୍କୁ ଏହା ପଛର ବିସ୍ଫୋରକ କାରଣ ଦର୍ଶାଇଥିଲେ ନିଶାରାଣୀ। କୁଆଡ଼େ ରାଜୀବ ଅତିରିକ୍ତ ସିପି ଉମାଶଙ୍କର ଦାସଙ୍କ ସମ୍ପର୍କୀୟ ହେତୁ ତଦନ୍ତ ଆଗଉନି ବୋଲି ଫେରାଦ୍ ହୋଇଥିଲେ ନିଶାରାଣୀ। ଏତିକିରେ ସରିନି ରାଜୀବର ଠକେଇର କାରସାଦି। ଡିଏଲଏଫ ସାଇବର ସିଟିରେ ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ରଙ୍କ ଘରେ ରାଜୀବ ଭଡ଼ାରେ ଖୋଲିଥିବା ଲୁମେକ୍ସ ସଂସ୍ଥାକୁ ଆରଓସିରେ ପଞ୍ଜୀକରଣ ବେଳେ ବି ଲୋପାମୁଦ୍ରାଙ୍କର ଦସ୍ତଖତକୁ ଜାଲି କରିଥିଲେ। ଏଭଳି ଠକାମୀର ଆଭାସ ପାଇବା ପରେ ଲୋପାମୁଦ୍ରା ଦୁଇ ଦୁଇଟି ନୋଟିସ ପଠାଇଥିଲେ ଲୁମେକ୍ସ ସଂସ୍ଥା ଓ ରାଜୀବଙ୍କୁ। ଗୋଟିଏ ଜୁନ୍ ୧୬, ୨୦୨୧ରେ। ଅନ୍ୟଟି ୩୦ ଜୁନ୍ ୨୦୨୧। ସ୍ପିଡ୍ ପୋଷ୍ଟ ଜରିଆରେ ଇନଫୋସିଟି ଥାନାକୁ ବି ଅବଗତ କରାଇଥିଲେ ଆକ୍ସନ ପାଇଁ। ହେଲେ ପରିତାପର କଥା, ଲୁମେକ୍ସ, ରାଜୀବ ଓ ତାଙ୍କର ସହଯୋଗୀଙ୍କ ବିରୁଦ୍ଧରେ ପୁଲିସ କୌଣସି ଆକ୍ସନ ନେଲାନି। ଏଠି କଅଣ କୁହାଯାଇପାରିବ କି, ବିଜେଡି ନେତ୍ରୀ ବି ଅସହାୟ। ପୁଲିସ ଲୋପାମୁଦ୍ରାଙ୍କୁ ବି ନ୍ୟାୟ ଦେବାକୁ ଅସମର୍ଥ। ଲୋପାମୁଦ୍ରାଙ୍କ ଏହି ନୋଟିସ, ଏତଲା ଓ ଖୋଦ୍ କୋର୍ଟ ଅଫିସରଙ୍କ ସ୍ୱୀକାରୋକ୍ତି ସତ୍ତ୍ୱେ ରାଜୀବ ଦେହରେ ହାତ ମାରିପାରିଲାନି ପୁଲିସ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ବି ରାଜୀବ ଓ ସହଯୋଗୀଙ୍କ ଆଗୁଆ ଜାମିନ୍ ଆବେଦନକୁ ଦୁଇ ଦୁଇ ଥର ଖାରଜ କରିସାରିଲେଣି। ଏହା ବି ପ୍ରମାଣ କରୁଛି, ଅଭିଯୁକ୍ତଙ୍କ ବିରୁଦ୍ଧରେ ସେମିତି ଠୋସ୍ ପ୍ରମାଣ ରହିଛି। ଅଭିଯୁକ୍ତ ଆତ୍ମସମର୍ପଣ କରନ୍ତୁ ନଚେତ୍ ସେମାନଙ୍କୁ ପୁଲିସ ଗିରଫ କରୁ ବୋଲି ଅଦାଲତ ନିର୍ଦେଶ ଦେଇଥିଲେ। ଅଭିଯୁକ୍ତ ଫେରାର୍ ବୋଲି ଏସଡିଜେଏମ କୋର୍ଟରେ ତଦନ୍ତକାରୀ ଅଧିକାରୀ କହିଥିଲେ। ଉଭୟ ଇନଫୋସିଟି ଓ ଏୟାରଫିଲ୍ଡ ପୁଲିସ କୋର୍ଟରେ ଦାଖଲ କରିଥିବା କେସ ଡାଏରୀରେ କହିଥିଲେ, ରାଜୀବ ଓ ସୋନିଆ ଫେରାର୍ ଅଛନ୍ତି। ଆଉ ସେମାନଙ୍କୁ ଧରିବାକୁ ପୁଲିସର ଉତ୍କୃଷ୍ଟ ସ୍ପାଏ ବା ଗୁଇନ୍ଦା ବଳ ଜୁଟିଛି। କେବଳ ଏତିକି ନୁହେଁ, ଏହି ଘଟଣା ବାବଦରେ ଏସିପି, ଡିସିପି ବି ବେଶ୍ ଅବଗତ ଅଛନ୍ତି। ତଦନ୍ତକାରୀ ଅଧିକାରୀ ଭାବରେ ଏ ସବୁ ଉପରିସ୍ଥ ଅଧିକାରୀଙ୍କ ସହ ସେ ଆଲୋଚନା କରିବା ସହ ସେମାନଙ୍କଠୁ ଆବଶ୍ୟକୀୟ ନିର୍ଦେଶ ବି ନେଉଛନ୍ତି। ତା ମାନେ ତଦନ୍ତର ପ୍ରତିଟି ମୂହୂର୍ତ୍ତ ଓ ଅଭିଯୁକ୍ତଙ୍କ ଫେରାର ବାବଦରେ ଏସିପି, ଡିସିପି ପ୍ରମୁଖଙ୍କ ପାଖରେ ଟିକିନିଖି ବିବରଣୀ ଥିଲା। ଦେଖିବାକୁ ଗଲେ ଅକ୍ଟୋବର ୨୦୨୧ରୁ ଏତଲା ହୋଇଥିଲା। ଆଉ ପୁଲିସ ନଭେମ୍ୱର ୨୨ ଯାଏ ତିନୋଟି ତାରିଖରେ କେସ ଡାଏରୀ ଦାଖଲ କରି ମାନିଛି ଯେ, ଦମ୍ପତ୍ତି ରାଜୀବ ଓ ସୋନିଆ ଫେରାର୍। ଯଦି ଏହି ରିପୋର୍ଟ ସତ। ତା ହେଲେ ଏଯାଏ କାହିଁକି ରାଜୀବ ଓ ସୋନିଆଙ୍କୁ ଫ୍ଲାଇଟ ରିସ୍କ ଭାବେ ଘୋଷଣା କରାଗଲାନି। ସେମାନଙ୍କ ସମ୍ପତ୍ତିକୁ ଜବତ କରିବାକୁ କୋର୍ଟର ଅନୁମତି କାହିଁକି ଲୋଡ଼ିଲାନି ପୁଲିସ। ହେଲେ ୧୭ ମାସ ହେଲା କମିଶନରେଟ ପୁଲିସର ବେଷ୍ଟ ସ୍ପାଏ ରାଜୀବ ଓ ସହଯୋଗୀଙ୍କୁ ଠାବ କରିପାରିଲାନି।  ଏ ସବୁ ଦିଗକୁ ଦେଖିଲେ, ପୁଲିସର ଦକ୍ଷତା ଓ ଆଭିମୁଖ୍ୟକୁ ନେଇ ଅଙ୍ଗୁଳି ଉଠୁଛି। କୋର୍ଟ ଅଫିସର ଓ ଫରେନସିକ ଅଡିଟର ବି ମାନିଛନ୍ତି, ସମସ୍ତ ନେଣଦେଣ ଫ୍ରଡ୍। ଏ ସବୁ ତଥ୍ୟ ଓ ପ୍ରମାଣ ଅଭିଯୁକ୍ତକୁ ଗିରଫ କରିବାକୁ ପୁଲିସର ତଦନ୍ତ ପ୍ରକ୍ରିୟାକୁ ସହଜ ଓ ସରଳ କରିଥିଲା। ଅବଶ୍ୟ ଏବେ ଏହି ମାମଲାର ତଦନ୍ତ ଇଓଡବ୍ଲୁ ହାତକୁ ଯାଇସାରିଛି। ଦକ୍ଷ ଅଫିସର ଅରୁଣ ବୋଥ୍ରା ଯେହେତୁ କହିଥିଲେ, ସେ ନିଜେ ଅନୁଧ୍ୟାନ କରିବେ। ହେଲେ ତଦନ୍ତକୁ ନେଇ ଇଓଡବ୍ଲୁ ର ଟ୍ରାକ୍ ରେକର୍ଡ ଯେମିତି ଭଲ ରହିଛି। ଆଉ ଅବସରପ୍ରାପ୍ତ ପୁଲିସ ଅଧିକାରୀ ବି ମାନୁଛନ୍ତି, ଇଓଡବ୍ଲୁର ଦକ୍ଷତାକୁ ନେଇ ଆଜିଯାଏ ସନ୍ଦେହ କି ପ୍ରଶ୍ନ ଉଠିନି। କିନ୍ତୁ ଏ କ୍ଷେତ୍ରରେ କାଇଁ ସେମିତିଆ ଆଖିଦୃଶିଆ ପଦକ୍ଷେପ ସାମ୍ନାକୁ ଆସିପାରିଲାନି। ବୋଥ୍ରା ଓ ତାଙ୍କ ଟିମ୍ ଉପରେ ସେମିତି କାହାର ଚାପ ନାହିଁ ତ।ବରିଷ୍ଠ ଆଇନଜୀବିଙ୍କ ବନ ମହାନ୍ତି କହିବା ଅନୁଯାୟୀ, ଏତେ ବଡ ଆର୍ଥିକ କେଳେଙ୍କାରୀକୁ ଇଓଡବ୍ଲୁ ନିଶ୍ଚିନ୍ତ ଠାବ କରିବେ ଓ ଅପରାଧୀକୁ ଗିରଫ କରିବେ ବୋଲି ସେ ଆଶା ରଖିଛନ୍ତି ।

ଇଓଡବ୍ଲୁ ଆଗକୁ ବଢ଼ିବାକୁ ଚାହୁଁଥିଲେ ବି। ଅଭିଯୁକ୍ତଙ୍କୁ ଠାବ କରିବାକୁ ଉଦ୍ୟମ କରୁଥିଲେ ବି। ଏ ସବୁ ଉଦ୍ୟମରେ ପାଣି ପକାଇଦେବାକୁ କୌଣସି ଅଦୃଶ୍ୟ ଶକ୍ତିର ଚାପ ପଡ଼ୁଛି କି। ଏମିତି ପ୍ରଶ୍ନରେ ବି ପେଶି ହୋଇଯିବାକୁ ଇଓଡବ୍ଲୁକୁ ଅଧିକ ଦିନ ଲାଗି ନପାରେ। ସେଥିଲାଗି ତ କେବଳ ଦକ୍ଷ ହେଲେ ହେବନି। ସ୍ୱଛତା, ନିରପେକ୍ଷ ଅବଲମ୍ୱନ ସହ ତ୍ୱରିତ ତଦନ୍ତ କରି ନିବେଶକଙ୍କୁ ନ୍ୟାୟ ଦେଇପାରିଲେ ହେଁ, ଇଓଡବ୍ଲୁ ପ୍ରତି ସାଧାରଣରେ ଆହୁରି ଆସ୍ଥା ବଢ଼ନ୍ତା। ମୁଖ୍ୟମନ୍ତ୍ରୀଙ୍କ ଖାସ୍ ବିଶ୍ୱସ୍ତ ଓ ଦକ୍ଷ ଅଧିକାରୀ ଅରୁଣ ବୋଥ୍ରାଙ୍କ ପ୍ରତି ବି ପ୍ରଶ୍ନ କରିବାକୁ କେହି ସାହସ କୁଳାନ୍ତେନି। ତା ନହେଲେ ପାଓ୍ୱାର କରିଡରରୁ ନେଇ ସାଧାରଣରେ ଚର୍ଚ୍ଚା ହେବ। ଅଭିଯୁକ୍ତଙ୍କ ବିରୁଦ୍ଧରେ ତଥ୍ୟ ପ୍ରମାଣ ପ୍ରାଞ୍ଜଳ ଭଳି ରହିଛି। ତା ହେଲେ ତଦନ୍ତକାରୀ ଏଜେନ୍ସି କଅଣ କରୁଛି। ଅଭିଯୁକ୍ତ ପାଖରେ ପହଞ୍ଚିବାକୁ ଆଉ କେଉଁ ଆଧାର ଲୋଡ଼ୁଛି ଇଓଡବ୍ଲୁ। କାହାର ଅନୁମତିକୁ ଅପେକ୍ଷା କରିଛି ତା ହେଲେ ତଦନ୍ତକାରୀ ଏଜେନ୍ସି। ଅଭିଯୁକ୍ତଙ୍କ ସୁରକ୍ଷାକବଚ ସାଜିଥିବା କିଛି ଅଧିକାରୀ ପଛରେ ରହି କିଛି ନୂଆ ଷଡ଼ଯନ୍ତ୍ର କରୁନାହାନ୍ତି ତ।

ବ୍ୟୁରୋ ରିପୋର୍ଟ ନକ୍ଷତ୍ର ନ୍ୟୁଜ୍

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *