ଭୁବନେଶ୍ୱର : ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୧୬ ବିମୁଦ୍ରୀକରଣ ଘୋଷଣା ପରେ ପ୍ରଚଳନ ହୋଇଥିବା ୨୦୦୦ ଟଙ୍କା ନୋଟ୍ କୁ ପୁଣି ଅଚଳ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ବିମୁଦ୍ରୀକରଣ ଘୋଷଣାବେଳେ, କଳା ଟଙ୍କା ଜବତ, ଦୂର୍ନୀତିରେ ଅଙ୍କୁଶ, ଆତଙ୍କବାଦୀମାନଙ୍କୁ ଆର୍ଥିକ ସହାୟତା ଯୋଗାଣକୁ ରୋକିବା ସମ୍ଭବ ହେବ ବୋଲି ଘୋଷଣା କରିଥିଲେ । ଏହି ସମସ୍ତ ଆଶ୍ୱାସନା ପ୍ରତାରଣାରେ ପରିଣତ ହୋଇଛି । ୫୦୦ ଓ ୧୦୦୦ଟଙ୍କା ନୋଟ ଅଚଳ କରି ୨୦୦୦ଟଙ୍କା ନୂଆ ନୋଟ ପ୍ରଚଳନ ଯୋଗୁଁ କଳାଟଙ୍କା ଜବତ ହେବା ପରିବର୍ତେ କଳାଟଙ୍କା ଜମା ହେବାରେ ସାହାଯ୍ୟକାରୀ ହେଲା ବୋଲି ସିପିଆଇଏମ୍ ସମ୍ପାଦକ ଅଳି କିଶୋର ପଟ୍ଟନାୟକ କହିଛନ୍ତି ।
ଏକ ପ୍ରେସ୍ ବିଜ୍ଞପ୍ତିରେ ସେ କହିଛନ୍ତି ଯେ ମୋଦୀଙ୍କ ବିମୁ୍ଦ୍ରୀକରଣ ନିଷ୍ପତି ଯୋଗୁଁ କୋଟି କୋଟି ଲୋକଙ୍କଜୀବିକା ଉଜୁଡି ଗଲା । ଅପୌଚାରିକ ଅର୍ଥନୀତି ଏବଂ ଅଣୁ, କ୍ଷୁଦ୍ର , ମଧ୍ୟମ ଶିଳ୍ପ ଉଦ୍ୟୋଗ ଗଭୀର ଭାବେ କ୍ଷତିଗ୍ରସ୍ତ ହେଲା । ଦେଶରେ ରୋଜଗାର ଓ କର୍ମସଂସ୍ଥାନ ସୃଷ୍ଟି କରି ମୋଟ ଜାତୀୟ ଉତ୍ପାଦନ ହାର ବୃଦ୍ଧି କରିବାରେ ଏହି ସଂସ୍ଥାଗୁଡିକର ଅବଦାନ ସବୁଠାରୁ ବେଶି । ଏଣୁ ଦେଶରେ ବେରୋଜଗାରୀ ଓ ବେକାରୀ ବୃଦ୍ଧି ପାଇଲା । ବିମୁ୍ଦ୍ରୀକରଣ ପରେ ଦେଶରେ ଦୂର୍ନୀତି ବନ୍ଦ ହେବା ପରିବର୍ତେ ବହୁଗୁଣ ବୃଦ୍ଧି ପାଇଛି । ଆତଙ୍କବାଦୀ ଆକ୍ରମଣ ଓ ହିଂସା ବନ୍ଦ ହୋଇନାହିଁ । ଦେଶରେ ଡିଜିଟାଲ ନେଣ ଦେଣ ବୃଦ୍ଧି ପାଇବା ପରିବର୍ତେ, ବର୍ତମାନ ଶତକଡା ୮୩ ଭାଗ ନେଣ ଦେଣ ନଗଦ ରାଶିରେ ହେଉଛି । ଏଥିପାଇଁ ବିଜେପି ସରକାରର ଏକଛତ୍ରବାଦୀ ଏକତରଫା ଜନବିରୋଧି ପଦକ୍ଷେପ ଓ ନୀତି ବିରୋଧରେ ବ୍ୟାପକ ଜନ ଆନ୍ଦୋଳନ ପାଇଁ ସିପିଆଇଏମ୍ ଆହ୍ୱାନ କରିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now