ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସହ ଦ୍ୱିପାକ୍ଷିକ ଆଲୋଚନା, ଅଷ୍ଟ୍ରେଲିଆରେ ମନ୍ଦିର ମାନଙ୍କ ଉପରେ ହେଉଥିବା ଆକ୍ରମଣର ପ୍ରସଙ୍ଗକୁ ଉଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଆଲବାନିଜଙ୍କ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଅଷ୍ଟ୍ରେଲିଆର ମନ୍ଦିର ମାନଙ୍କ ଉପରେ ହେଉଥିବା ଆକ୍ରମଣର ପ୍ରସଙ୍ଗକୁ ଉଠାଇଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ଥୋନୀ ଆଲବାନିଜଙ୍କୁ ଭାରତରେ ହେବାକୁ ଥିବା କ୍ରିକେଟ ବିଶ୍ୱକପ ପାଇଁ ନିମନ୍ତ୍ରଣ ମଧ୍ୟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ତିନି ଦେଶର ଯାତ୍ରା କାର୍ଯ୍ୟକ୍ରମର ଶେଷ ପର୍ଯାୟରେ ଅଷ୍ଟ୍ରେଲିଆ ପହଂଚିଥିଲେ । ସେଠାରେ ତାଙ୍କୁ ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ସରକାରୀ ଭାବେ ସ୍ୱାଗତ କରାଯାଇଥିଲା । ତାଙ୍କୁ ସିଡନୀ ଠାରେ ଏଡମିରଲଟି ହାଉସରେ ସେରିମୋନିଆଲ ଗାର୍ଡ ଅଫ ଅନର ଦିଆଗଲା । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଆଲବାନିଜଙ୍କ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିଥିଲେ ।

ଏହି ଦ୍ୱିପାକ୍ଷିକ ବୈଠକ ପରେ ଉଭୟ ନେତାଙ୍କ ପକ୍ଷରୁ ଏକ ଯୁଗ୍ନ ବକ୍ତବ୍ୟ ଜାରୀ କରାଯାଇଛି । ଏହି ସମୟରେ ଉଭୟ ନେତା ଉଭୟ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିନାମା ଆଦାନ ପ୍ରଦାନର ସାକ୍ଷୀ ସାଜିଥିଲେ ।

ଯୁଗ୍ମ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏହା ପୂର୍ବରୁ ମଧ୍ୟ ସେ ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଗୁଡିକ ଉପରେ ଆକ୍ରମଣ ଘଟଣାକୁ ଉଠାଇ ସାରିଛନ୍ତି । ନିଜର କାର୍ଯ୍ୟ ଓ ବିଚାର ଦ୍ୱାରା ଭାରତ ଓ ଅଷ୍ଟେଲିଆ ସମ୍ପର୍କ ମଧ୍ୟରେ ମୈତ୍ରୀପୂର୍ଣ ଓ ମଧୁର ସମ୍ପର୍କକୁ କ୍ଷତି ପହଂଚାଇବାକୁ ଚେଷ୍ଟା କରୁଥିବା ତତ୍ୱ ମାନଙ୍କୁ କଦାପି ବରଦାସ୍ତ କରାଯିବ ନାହିଁ । ଭବିଷ୍ୟତରେ ଏଭଳି ତତ୍ୱ ମାନଙ୍କ ବିରୁଦ୍ଧରେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଆଲବାନିଜ ପୁଣି ଥରେ ପ୍ରତିଶ୍ରୁତି ଦେଇଛନ୍ତି ।

ଯୁଗ୍ନ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଉଭୟ ଦେଶର ସମ୍ପର୍କରେ ଖୁବ କ୍ଷୀପ୍ରତା ଆସିଛି । ସେ କ୍ରିକେଟର ଭାଷାରେ କହିଥିଲେ ଯେ ଏବେ ଏହି ସମ୍ପର୍କ ଟି -20 ମୋଡକୁ ଆସି ଯାଇଛି ।

ସେ କହିଥିଲେ ଯେ ଗତ ଏକ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଏହା ଷଷ୍ଠ ସାକ୍ଷାତ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏହି ଦ୍ୱିପାକ୍ଷିକ ଆଲୋଚନାରେ ଖନନ ଓ ଗୁରୁତ୍ୱପୂର୍ଣ ଖଣିଜ ଉପରେ ରଣନୈତିକ ସହଯୋଗକୁ ନେଇ ଗଠନମୂଳକ ଆଲୋଚନା ହୋଇଛି ।

ଉଭୟ ଦେଶ ଗ୍ରୀନ ହାଇ଼ଡ୍ରୋଜେନ ଉପରେ ଏକ ଟାସ୍କ ଫୋର୍ସ ଗଠନ କରିବାକୁ ନିଷ୍ପତି ନେଇଥିବା ସେ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ଭାରତରେ ହେବାକୁ ଥିବା କ୍ରିକେଟ ବିଶ୍ୱକପ ପାଇଁ ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଆଲବାନିଜ ଓ ଅଷ୍ଟ୍ରେଲିଆର ଜନ ସାଧାରଣଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଥିଲେ । ସେ କହିଥିଲେ ଯେ ଏହି ସମୟ ମଧ୍ୟରେ ସେମାନଙ୍କୁ ଭାରତରେ ଦୀପାବଳୀ ଉତ୍ସବ ପାଳନ ଦେଖିବାକୁ ମିଳିବ ।

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଆଲବାନିଜ କହିଥିଲେ ଯେ ଦ୍ୱିପାକ୍ଷିକ ଆଲୋଚନା ବେଳେ ଉଭୟ ଦେଶ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ୟାପକ ଆର୍ଥିକ ସହଯୋଗ ଚୁକ୍ତିକୁ ଶୀଘ୍ର ପୂରା କରିବାକୁ ଉଭୟ ଦେଶ ସେମାନଙ୍କ ଆକାଂକ୍ଷାକୁ ପୂରା କରିବାର ସଂକଳ୍ପକୁ ଦୋବରାଇଛନ୍ତି । ଅଷ୍ଟ୍ରେଲିଆ ବେଙ୍ଗାଲୁରୁ ଠାରେ ମହାବାଣିଜ୍ୟିକ ଦୂତାବାସ ଖୋଲିବ । ଏହା ଅଷ୍ଟ୍ରେଲିଆର ବ୍ୟବସାୟକୁ ଭାରତରେ କ୍ଷୀପ୍ର ଗତିରେ ବଢୁଥିବା ଡିଜିଟାଲ ଓ ନବସୃଜନ ଇକୋ ସିଷ୍ଟମ ସହ ଯୋଡିବାରେ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *