ବାହାନଗା ରେଳ ଦୁର୍ଘଟଣାର ଉଚ୍ଚ ସ୍ତରରେ ତଦନ୍ତ କରାଯାଉ : ସିପିଆଇ

ଭୁବନେଶ୍ୱର : ଗତକାଲି ବାଲେଶ୍ୱର ଜିଲ୍ଲାର ବାହାନଗାରୁ ପଣପଣା ମଧ୍ୟରେ ବାଙ୍ଗାଲୋର-ହାୱାଡ଼ା ଦୂରନ୍ତୋ ଏକ୍ସପ୍ରେସ୍ ଏବଂ ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ ରେଳ ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ଦୃଷ୍ଟିରୁ ଏହା ମଣିଷକୃତ ବିପର୍ଯ୍ୟୟ ବୋଲି ସିପିଆଇ ରାଜ୍ୟ କମିଟି ପକ୍ଷରୁ କୁହାଯାଇଛି । ଏହାସହିତ ମୃତ ଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶୋକ ପ୍ରକାଶ କରାଯାଇ ସେମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ପାର୍ଟି ପକ୍ଷରୁ ସମବେଦନା ଜ୍ଞାପନ କରାଯାଇଛି । ଆଜି ଦୁର୍ଘଟଣା ଲାଗି ପାର୍ଟି ପକ୍ଷରୁ ରାଜ୍ୟବ୍ୟାପୀ ଶୋକ ପ୍ରକାଶ କରାଯିବା ଘୋଷଣା କରାଯାଇଛି ଏବଂ ଆହତ ଯାତ୍ରୀମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି ।

ଏହି ଦୁର୍ଘଟଣାରେ ପ୍ରତ୍ୟେକ ମୃତ ଯାତ୍ରୀଙ୍କ ପରିବାରକୁ ଅନ୍ୟୁନ୍ୟ ୫୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨୫ ଲକ୍ଷ ଟଙ୍କା, ଏବଂ ଅନ୍ୟାନ୍ୟ ଆହତଙ୍କୁ ୧୫ ଲକ୍ଷଟଙ୍କା ହାରରେ କ୍ଷତିପୂରଣ ଦିଆଯିବା ପାଇଁ ସିପିଆଇ ପକ୍ଷରୁ ଦାବି କରାଯାଇଛି । ସଂରକ୍ଷିତ ଏବଂ ଅସଂରକ୍ଷିତ ଉଭୟ ଯାତ୍ରୀଙ୍କୁ ବୀମାଭୁକ୍ତ କରାଯାଇ ଦୁର୍ଘଟଣା ପାଇଁ କ୍ଷତିପୂରଣ ପ୍ରଦାନକୁ ସରଳୀକୃତ କରାଯାଉ ।

ଘଟଣାସ୍ଥଳକୁ ରେଳ ଉଦ୍ଧାରକାରୀ ଦଳ ଆସିବା ପୂର୍ବରୁ ସ୍ଥାନୀୟ ଲୋକେ ଉଦ୍ଧାରକାରୀ ସାଜି ଯେଭଳି ନିର୍ଭୀକ ଏବଂ ଉତ୍ସର୍ଗୀକୃତ ଭାବରେ ଆହତ ଲୋକମାନଙ୍କ ଜୀବନ ରକ୍ଷାପାଇଁ ଲାଗିପଡ଼ିଲେ ତାହା ମାନବିକତାର ଶ୍ରେଷ୍ଠ ନିଦର୍ଶନ ସୃଷ୍ଟି କରିଛି । କେବଳ ସେତିକି ନୁହେଁ, ଆହତ ଯାତ୍ରୀମାନଙ୍କୁ ରକ୍ତଦାନ କରିବା ଲାଗି ରାତାରାତି ଶହ ଶହ ଯୁବକ ଡାକ୍ତରଖାନାରେ ଧାଡ଼ିବାନ୍ଧି ଛିଡ଼ାହେବା ମାନବିକତା ଓ ଭାଇଚାରା ପ୍ରଦର୍ଶନର ଶ୍ରେଷ୍ଠ ଉଦାହରଣ ପାଇଁ ପାର୍ଟି ପକ୍ଷରୁ ସେହି ଯୁବକମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଲାଗି ଦାବି କରାଯାଇଛି । ଏଭଳି ଦୁର୍ଘଟଣାର ପୁନରାବୃତିକୁ ଏଡ଼େଇବା ପାଇଁ ଓଡିଶା ଭିତରେ ରହିଥିବା ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲାର ରେଳଲାଇନ, ରେଳବାଇ ସିଗ୍ନାଲ ବ୍ୟବସ୍ଥା ତଥା ରେଳ ଚଳାଚଳ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାକୁ ଇଷ୍ଟକୋଷ୍ଟ ରେଳବାଇରେ ସାମିଲ କରାଯାଉ । ବାଲେଶ୍ୱରଠାରେ ସ୍ୱତନ୍ତ୍ର ରେଳବାଇ ଡିଭିଜନ ପ୍ରତିଷ୍ଠା କରିବା ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ସମ୍ପାଦକ ଅଭୟ କୁମାର ସାହୁ ଦାବି ଜଣାଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *