ପୁରୀ : ରଥଯାତ୍ରାର ପ୍ରାରମ୍ଭିକ ପର୍ବ ସ୍ନାନପୂର୍ଣ୍ଣମୀରେ ଆଜି ଚତୁର୍ଦ୍ଧାମୂର୍ତି ରତ୍ନବେଦିରୁ ପହଣ୍ଡି ହୋଇ ସ୍ନାନବେଦିରେ ବିରାଜମାନ କରିଛନ୍ତି । ସ୍ନାନବେଦିରେ ୧୦୮ ଗଡ଼ୁ ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ କରିଛନ୍ତି । ଶ୍ରୀ ଜଗନ୍ନାଥଙ୍କୁ ୩୫ ଗଡ଼ୁ ଜଳ, ବଳଭଦ୍ରଙ୍କୁ ୩୩ ଗଡ଼ୁ, ସୁଭଦ୍ରାଙ୍କୁ ୨୨ ଗଡ଼ୁ ଓ ସୁଦର୍ଶନଙ୍କୁ ୧୮ ଗଡ଼ୁ ଜଳରେ ସ୍ନାନ କରାଯାଇଛି । ଦଇତାପତି ଓ ଗରାବଡ଼ୁ ସେବାୟତ ମାନେ ବିଧି ମୁତାବକ ଏହି ଜଳ ଲାଗି କାର୍ଯ୍ୟ ସମାପନ କରିଥିଲେ । ତେବେ ସ୍ନାନ ମଣ୍ଡପରେ ରକ୍ତଛିଟା ପଡିବାକୁ ନେଇ ଶ୍ରୀଜୀଉଙ୍କ ହାତୀ ବେଶ ବିଳମ୍ବ ହୋଇଛି ।
ଆଜିର ସ୍ଵତନ୍ତ୍ର ନୀତିକାନ୍ତି ଅନୁଯାୟୀ, ଭୋର୍ ୪ଟା ୪୫ରେ ମଙ୍ଗଳାର୍ପଣ, ୪ଟା ୫୦ରେ ଡୋରଲାଗି, ପୁଷ୍ପାଞ୍ଜଳି ଓ ପହଣ୍ଡି ଆରମ୍ଭ ହୋଇଥିଲା । ସକାଳ ୬ଟା ୩୦ ରେ ପହଣ୍ଡି ଶେଷ ହୋଇଥିଲା । ୭ଟା ୧୫ ରେ ରୁନ୍ଧା ଶେଷ, ୭ଟା ୨୦ ରେ ମଦନମୋହନ ବିଜେ, ୮ଟା ୫ରେ ମଙ୍ଗଳଆରତୀ , ୮ଟା ୧୦ ରେ ମଇଲମ, ୮ଟା ୨୦ ରେ ତଡ଼ପ ଲାଗି ଏବଂ ୯ଟା ୨୫ ରେ ଅଧର ପୋଛା ନୀତି ସମ୍ପନ୍ନ ହୋଇଥିଲା । ୯ଟା ୪୫ ରେ ଅବକାଶ ଶେଷ, ୯ଟା ୫୦ ରେ ମଇଲମ ଓ ରୋଷହୋମ, ୧୦ଟା ୩୦ ରେ ବେଶ ଶେଷ ହୋଇଥିଲା । ପୂର୍ବାହ୍ନ ୧୦ଟା ୪୫ରେ ସୂର୍ଯ୍ୟପୂଜା, ୧୧ଟା ୧୫ରେ ଦ୍ୱାରପାଳ ପୂଜା, ୧୧ଟା ୪୦ରେ ଜଳବିଜେ, ୧୨ଟା ୨୦ରେ ଜଳଲାଗି ପୂଜା, ଅପରାହ୍ନ ୧ଟା ୨୫ରେ ଜଳଲାଗି ଶେଷ, ୧ଟା ୩୦ରେ ମଇଲମ, ପରେ ରକ୍ତଛିଟା ଯୋଗୁଁ ବଡ ମହାସ୍ନାନ ହୋଇଛି । ସେଥିପାଇଁ ହାତୀ ବେଶରେ ବିଳମ୍ବ ଘଟିଛି । ଶ୍ରୀଜୀଉଙ୍କ ହାତୀ ବେଶ ପାଇଁ ନିର୍ଦ୍ଧାରିତ ସମୟ ଅପରାହ୍ନ ୨ଟା ୪୦ ଥିବା ବେଳେ ୪ଟା ୪୦ ପର୍ଯ୍ୟନ୍ତ ହାତୀ ବେଶ ହୋଇପାରିନଥିଲା ।
ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକରୁ ୩ ଥାକିଆ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ମନ୍ଦିର ଭିତରେ ଓ ବାହାରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସିସିଟିଭି ୨୪ ଘଂଟିଆ ନଜର ରଖିଛି ଭକ୍ତଙ୍କ ଉପରେ । କେନ୍ଦ୍ରାଚଂଳ ଆଇଜି ଆଶିଷ କୁମାର ସିଂହଙ୍କ ନେତୃତ୍ଵରେ ୭୪ ପ୍ଲାଟୁନ ପୋଲିସ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି । ଭିଡ଼ ନିୟନ୍ତ୍ରଣ ପାଇଁ ସ୍ଵତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ମେଡ଼ିକାଲ ଛକରୁ ମରଚିକୋଟ ଛକ ପର୍ଯ୍ୟନ୍ତ ଦୁଇ ପାର୍ଶ୍ଵରୁ ଉଠାଦୋକାନି ମାନଙ୍କୁ ୫ ତାରିଖ ସକାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now