କେନ୍ଦୁଝରରେ ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ପ୍ରଧାନ ଶିକ୍ଷକ ନିଲମ୍ବିତ

କେନ୍ଦୁଝର : କେନ୍ଦୁଝରରେ ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପରିଚାଳିତ ରେବଣାପଳାସପାଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଇଶ୍ୱର ଚନ୍ଦ୍ର ସାହୁଙ୍କୁ ଚିଠି ନମ୍ବର ୧୩୬୧୩ ନିଲମ୍ବିତ କରାଯାଇଛି । ତାଙ୍କ ବିରୋଧରେ ଛାତ୍ରୀଙ୍କୁ ଅସଦାଚରଣ ନେଇ ଅଭିଯୋଗ ହୋଇଥଲା । ଏହି ସମ୍ବେଦନଳଶୀଳ ମାମଲାରେ ତଦନ୍ତ ହେବାର ୨୪ ଘଣ୍ଟା ମଧ୍ୟରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରଧାନ ଶିକ୍ଷକ ନିଲମ୍ବନ ରେ ଉକ୍ତ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବଳଭଦ୍ର ନାଏକ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱ ନେଇଛନ୍ତି । ଛାତ୍ରୀଙ୍କୁ ଅସଦାଚରଣ ନେଇ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପରେ ସରକାରଙ୍କୁ ଏ ନେଇ ରିପୋର୍ଟ ପ୍ରଦାନ କରାଯାଇଥିଲା । ତଦନ୍ତ ରିପୋର୍ଟ ଆଧାରେ ଅନୁସୂଚିତ ଜନଜାତି ବିଭାଗର ନିର୍ଦ୍ଦେଶକ ଶ୍ରୀକାନ୍ତ ତରେଇ ପ୍ରଧାନ ଶିକ୍ଷକ ଇଶ୍ୱର ଚନ୍ଦ୍ର ସାହୁ ନିଲମ୍ବନ ଆଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଗତ ୬ ତାରିଖ ଦିନ ଏହି ଘଟଣା ବାଳିକା ବିଦ୍ୟାଳୟର ହଷ୍ଟେଲ ପରିସରରେ ହୋଇଥିଲା । ବାଳିକା ରହୁଥିବା ହଷ୍ଟେଲରେ ପଶି ୨ଜଣ ଅନ୍ତେବାସୀଙ୍କୁ ଅସଦାଚରଣ କରିଥିଲେ । କ୍ଲାସ ଚାଲିଥିବା ସମୟରେ ୨ଜଣ ନବମ ଛାତ୍ରୀ ହଷ୍ଟେଲରେ ବିଶ୍ରାମ ନେଉଥିଲେ । ଏହି ସମୟରେ ପ୍ରଧାନ ଶିକ୍ଷକ ଉକ୍ତ କଠୋରୀରେ ପଶି ଛାତ୍ରୀ ଦ୍ୱୟଙ୍କୁ ଅସଦାଚରଣ କରିଥିଲେ । ଏହାକୁ ଛାତ୍ରୀ ଦ୍ୱୟ ପ୍ରତିବାଦ କରି ଅଭିଭାବକଙ୍କୁ ଡାକି ସ୍କୁଲ ଛାଡି ପଳାଇଥିଲେ । ଏ ନେଇ ଅଭିଯୋଗ ହେବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର  ୯ ତାରିଖ ଦିନ ତଦନ୍ତ କରିଥିଲେ । ଏହା ସହ ସେ ହରିଚନ୍ଦନପୁର ବ୍ଲକ ମଙ୍ଗଳ ସଂପ୍ରସାରଣ ରାକେଶ ରଞ୍ଜନ ଦାସ ଏବଂ ମହିଳା ଶିଶୁ ବିକାଶ ବିଭାଗର ସୁପର ଭାଇଜର ସନ୍ଧ୍ୟାରାଣୀ ମହାନ୍ତ ଙ୍କୁ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ କହିଥିଲେ । ୧୦ ତାରିଖ ଦିନ ତଦନ୍ତ କରି ଛାତ୍ରୀ ଦ୍ୱୟ ଓ ତାଙ୍କ ଅଭିଭାବକ ଠାରୁ ବୟାନ ରେକର୍ଡ ସଂଗ୍ରହ କରାଯିବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଏହାର ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଏ ନେଇ ବିଭାଗୀୟ କମିଶନରଙ୍କୁ ଅବଗତ କରିଥିଲେ । ଏହାପରେ ଅନୁସୂଚିତ ଜନଜାତି ଏବଂ ଜାତି ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିଲମ୍ବନ ପରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଙ୍କ ମୁଖ୍ୟାଳୟ ନିର୍ଦ୍ଧାରିତ କରାଯାଇଛି । ଏହି ଘଟଣାକୁ ନେଇ ଆବାସିକ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *