ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରୀ ରହିଛି । ଡ଼୍ୟାମ୍ ର ବାମ ପାର୍ଶ୍ୱର ଡାଇକ୍ ର ଗୋଟିଏ ଓ ଡାହାଣ ପାର୍ଶ୍ଵ ଡାଇକ୍ ର ଗୋଟିଏ ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ଛଡାଯାଉଛି । ଆଜି ସକାଳ ୯ଟା ସୁଦ୍ଧା ୮ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଥିବା ବେଳେ ଉପର ମୁଣ୍ଡରେ ବର୍ଷାର ପରିମାଣ କମି ଥିବାରୁ ଏହାକୁ ଦୃଷ୍ଟିରେ ରଖି ୬ଟି ସ୍ଲୁଇସ୍ ଗେଟ୍ (ବାମ ପାର୍ଶ୍ଵରୁ ୫ଟି, ଡାହାଣ ପାର୍ଶ୍ଵରୁ ଗୋଟିଏ)କୁ ବନ୍ଦ କରାଯାଇଛି ।
ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୫୮ ହଜାର ୯୪୬ ଘନଫୁଟ୍ ଜଳ ପ୍ରବେଶ କରୁଛି । ସେହି ସମୟରେ ମୋଟ୍ ୨ଟି ସ୍ଲୁଇସ୍ ଗେଟ୍, ଅନ୍ୟାନ୍ୟ ପାୱାର ଚାନେଲ ଓ ସ୍ପିଲୱେ ଦେଇ ପ୍ରତି ସେକେଣ୍ଡରେ ୬୯ ହଜାର ୧୫୦ ଘନଫୁଟ୍ ରୁ ଉର୍ଦ୍ଧ୍ଵ ଜଳ ମହାନଦୀକୁ ଛଡାଯାଉଛି । ବନ୍ଧର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଜଳଭଣ୍ଡାରର ଜଳ ପତନ ଶୁକ୍ରବାର ସଂନ୍ଧ୍ୟା ୬ଟା ସୁଦ୍ଧା ୬୦୭.୧୨ ଫୁଟ୍ ରହିଥିବା ହୀରାକୁଦ ନଦୀବନ୍ଧ କର୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି । ଜଳ ଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ।
ଗତ ୨୪ ଘଣ୍ଟାରେ ଜଳ ଭଣ୍ଡାରର ଉପର ମୁଣ୍ଡରେ ୩୨.୧୦ ମି.ମି. ବର୍ଷା ରେକର୍ଡ଼ ହୋଇଥିବା ବେଳେ ତଳ ମୁଣ୍ଡରେ ୧୨.୮୪ ମି.ମି. ବର୍ଷା ରେକର୍ଡ଼ ହୋଇଥିବା ହୀରାକୁଦ ନଦୀବନ୍ଧ କର୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୩ ତାରିଖ ଠାରୁ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ମହାନଦୀକୁ ଛଡାଯିବା ଆରମ୍ଭ ହୋଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now