ଶୋକ ସଭାରେ ନିର୍ବାଚନ ଚିନ୍ତା

Spread the love

()ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ନେତାଙ୍କୁ କେବଳ ଗୋଟିଏ ଚିନ୍ତା। ଝାରସୁଗୁଡ଼ା ଉପନିର୍ବାଚନରେ ଜିତିବା ସହ ବ୍ୟବଧାନ କେମିତି ରେକର୍ଡ ଟପିବ। ଏଭଳି ଅଭାବନୀୟ ଅପିଲ ଓ ଭାବନା ବିଜେଡି ବିଧାୟକ ଶାରଦା ନାୟକଙ୍କ ତୁଣ୍ଡରୁ ବାହାରି ଏବେ ରାଜନୈତିକ ହଲଚଲ ସୃଷ୍ଟି କରିଛି। ସମ୍ୱେଦନହୀନତା ବିଜେଡିରେ ନାହିଁ କହି ସରକାରୀ ଦଳକୁ ଘେରିବାକୁ ବିରୋଧୀଙ୍କୁ ମିଳିଛି ମଉକା।

ଝାରସୁଗୁଡ଼ା ବିଜେଡିର ପର୍ଯ୍ୟବେକ୍ଷକ ସାରଦା ନାୟକ। ଝାରସୁଗୁଡ଼ା ବିଧାୟକ ତଥା ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ବେଶ୍ ମର୍ମାହତ। କିନ୍ତୁ ଶ୍ରଦ୍ଧାଞ୍ଜଳି ସଭାରେ କହୁ କହୁ କହିଦେଲେ, ଉପନିର୍ବାଚନ ପାଇଁ ପ୍ରସ୍ତୁତ ରହିବା। କେମିତି ଜିତିବା। ତା ପୁଣି ରେକର୍ଡ ବ୍ୟବଧାନରେ। ଏ ଦାୟିତ୍ୱ ସମସ୍ତଙ୍କର। ନବୀନଙ୍କ କାର୍ଯ୍ୟକ୍ରମ ଆଗକୁ ନେବା। ନବ ଦାସଙ୍କ ସ୍ମୃତି ଅମର ରହିବ। ବାସ୍ ସୋସିଆଲ ମିଡ଼ିଆରେ ସାରଦାଙ୍କ ଭଳି ନେତାଙ୍କ ଏଭଳି ସମ୍ୱେଦନହୀନତା ମନ୍ତବ୍ୟକୁ ନେଇ ଚାରିଆଡ଼େ ହଇଚଇ। ନବ ଦାସଙ୍କ ପୁଅ ବିଶାଳ ଅସ୍ଥି ବିସର୍ଜନ ପାଇଁ ଆହ୍ଲାବାଦ ଯାଇଛନ୍ତି। ଦଶାହ ଯାଇନି। କିନ୍ତୁ ବିଜେଡିକୁ ନିର୍ବାଚନ ଚିନ୍ତା ଘାରିଛି ବୋଲି ବିରୋଧୀ କଟାକ୍ଷ କରିଛନ୍ତି। ନବଙ୍କ ହତ୍ୟା ରାଜନୀତିକ ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ବିରୋଧୀ ଆରମ୍ଭରୁ କହିଆସୁଛନ୍ତି। ବିଜେଡିର ସମବେଦନା ନାହିଁ କହି ସମାଲୋଚନା କରିଛନ୍ତି ବିରୋଧୀ। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ନବ ତାଙ୍କର ବନ୍ଧୁ। ବନ୍ଧୁଙ୍କ ହତ୍ୟାକୁ ସହଜେ ଗ୍ରହଣ କରିପାରୁନି। କିନ୍ତୁ ବିଜେଡିରେ କୌଣସି ବ୍ୟକ୍ତିର ଗୁରୁତ୍ୱ ନାହିଁ। ନିର୍ବାଚନ ହିଁ ସର୍ବସ୍ୱ।

ସେପଟେ ବିଜେଡି କହିଛି, ଏହା ଗଣତନ୍ତ୍ରର ଏକ ପ୍ରକ୍ରିୟା। କୌଣସି ଆସନ ଖାଲି ପଡ଼ିଲେ, ୬ ମାସ ଭିତରେ ନିର୍ବାଚନ ହୁଏ। ନବ ଦାସଙ୍କୁ ଯେଭଳି ଝାରସୁଗୁଡ଼ାବାସୀ ଭଲ ପାଇବା ଦେଉଥିଲେ, ତାଙ୍କ ଅବର୍ତ୍ତମାନରେ ଯିଏ ବି ନିର୍ବାଚନ ମୈଦାନକୁ ଓହ୍ଲାଇବେ, ତାଙ୍କୁ ବି ଭଲ ପାଇବା ଦେବେ। ନବ ଦାସଙ୍କ ସ୍ଥାନ କେହି ନେଇପାରିବେନି। ଆଉ ସାରଦା କହିଛନ୍ତି, ଶୋକସଭା କେବଳ ଏକ ଔପଚାରିକତା। ଆଗାମୀ ଉପନିର୍ବାଚନରେ ଦଳ କେମିତି ଝାରସୁଗୁଡ଼ାରୁ ରେକର୍ଡ ବ୍ୟବଧାନରେ ଜିତିବ, ସେ ଟାସ୍କ ବି ତାଙ୍କ ମୁଣ୍ଡରେ। ସମବେଦନା ଓ ସମ୍ୱେଦନଶୀଳତା ଗୋଟିଏ ପାର୍ଶ୍ୱରେ। ତ ଅନ୍ୟ ପାର୍ଶ୍ୱରେ ଦଳୀୟ ସଂଗଠନ ସୁଦୃଢ଼ ସହ ନିର୍ବାଚନ ଜିତିବା ।

ନବ ଦାସଙ୍କ ହତ୍ୟା ପରେ ଦଳମତ ନିର୍ବିଶେଷରେ ସମସ୍ତେ ମର୍ମାହତ। ମୁଖ୍ୟମନ୍ତ୍ରୀ ବି ବେଶ୍ ମର୍ମାହତ। ସେଥିଲାଗି ହସ୍ପିଟାଲରୁ ନେଇ ନବଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସାନ୍ତ୍ୱନା ଦେଇଥିଲେ। ହେଲେ ଦଳକୁ ନିର୍ବାଚନସର୍ବସ୍ୱ କରି ସବୁ ସମ୍ୱେଦନଶୀଳତା ଭୁଲି ଯାଆନ୍ତୁ ବୋଲି ଏଭଳି କଥା କଦାପି ସାରଦାଙ୍କ ଭଳି ଅନୁଭବୀ ନେତାଙ୍କୁ ଟିପ୍ସ ଦେଇନଥିବେ ନବୀନ ବୋଲି ସବୁଠି ଚର୍ଚ୍ଚା।

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *