ଓଡ଼ିଶାରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପଛର କାରଣ ଖୋଜିବ ଏଆଇସିସିର ୨ ଜଣିଆ ଟିମ୍

ଓଡ଼ିଶାରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପଛର କାରଣ ଖୋଜିବ ଏଆଇସିସିର ୨ ଜଣିଆ ଟିମ୍। ତେବେ ଏହି ୨ ଜଣିଆ ଟିମ୍ ଓଡ଼ିଶା ଗସ୍ତ ପୂର୍ବରୁ ପିସିସି ସଭାପତିଙ୍କୁ କାଳିମାଡ଼, ୬ କଂଗ୍ରେସ କର୍ମୀ ବହିଷ୍କାରରୁ ନେଇ କଂଗ୍ରେସ ଭବନ ଆଗରେ ବହିଷ୍କୃତ ନେତ୍ରୀଙ୍କ ଆମରଣ ଅନଶନ ଅଧ୍ୟାୟ ସରଗରମ ହୋଇଛି। ଆଉ ଏହା ସାଙ୍ଗକୁ କଂଗ୍ରେସ ବିଧାୟକ ଦଳ ନେତା ଚୟନ ଅଡ଼ୁଆରେ କେଁ ପଶିଛି। ବାହିନୀପତି ପ୍ରମୁଖ ଦାବିଦାର ଥିବା ସତ୍ତ୍ୱେ ସପ୍ତଗିରିଙ୍କ ନେତୃତ୍ୱରେ ୭ଜଣିଆ ବିଧାୟକ ଦଳର ଦିଲ୍ଲୀ ଗସ୍ତ ବିବାଦ ବଢ଼ାଇଛି।

ଓଡ଼ିଶାରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନର କାରଣ ଖୋଜିବାକୁ ଏଆଇସିସି ଜୁନ୍ ୧୯ରେ ୨ ଜଣିଆ କମିଟି ଗଠନ କରିଛି। କାହିଁକି କଂଗ୍ରେସ କମ୍ ଆସନ ପାଇଲା ତାହାର ଅନୁଧ୍ୟାନ କରିବାକୁ ଏଆଇସିସିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଏ ଯାଏ ଓଡ଼ିଶା ଆସିନି। ହେଲେ ତା ଆଗରୁ ପରାଜୟ ପଛରେ ପିସିସି ସଭାପତିଙ୍କୁ ଦାୟୀ କରି ଜୁନ୍ ୨୧ରେ କଂଗ୍ରେସ ଭବନରେ ନିଜ ଚାମ୍ୱରରେ ବସିଥିଲା ବେଳେ କିଛି ଯୁବ କଂଗ୍ରେସ କର୍ମୀ କାଳିମାଡ଼ କଲେ। ଆଉ ଆକ୍ସନ ସ୍ୱରୂପ ୫ ଜଣ କଂଗ୍ରେସ କର୍ମୀଙ୍କୁ ବିଶୃଙ୍ଖଳିତ ଆଚରଣ ଓ ଦଳବିରୋଧୀ କାର୍ଯ୍ୟକଳାପ ଲାଗି ୬ ବର୍ଷ ଲାଗି ଦଳରୁ ବିଦା କରାଗଲା। ଏଭଳି କୌଣସି କାଳିମାଡ଼ରେ ସେ ଦବିଯିବେନି ବୋଲି କହିଥିଲେ ଶରତ। ବହିଷ୍କୃତ ନେତାଙ୍କ ଭିତରେ ଥିବା ମହିଳା କଂଗ୍ରେସ ମହାସଚିବ ଶ୍ରେୟାସ୍ମିତା ପଣ୍ଡା ଏଭଳି ଆକ୍ସନ ପ୍ରତିବାଦରେ ୪ଦିନ ହେଲା କଂଗ୍ରେସ ଭବନ ଆଗରେ ଅହୋରାତ୍ର ଅନଶନ ଜାରି ରଖିଛନ୍ତି। ମାମଲାର ସମାଧାନ ନହେବା ଯାଏ ଉଠିବେନି ବୋଲି କହିଛନ୍ତି। ଶରତ କଂଗ୍ରେସର ସମସ୍ତ ନୈତିକତାକୁ ଭୁଲିଯାଇଛନ୍ତି। ତାଙ୍କର କିଛି ହୋଇଗଲେ, ଶରତ ଓ ସାଲୁଜା ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ଶ୍ରେୟାସ୍ମିତା। ସେପଟେ ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତା ହେବା ପରେ କଂଗ୍ରେସ ଭବନ ଆଗରେ ସମାନ୍ତରାଳ ମିଠା ବଣ୍ଟନ କାର୍ଯ୍ୟକ୍ରମ ବିବାଦକୁ ଅଧିକ ଶାଣିତ କରିଥିଲା। ଗୋଟିଏ ପଟେ ପୂର୍ବରୁ ଦଳବିରୋଧୀ କାମ ପାଇଁ କଂଗ୍ରେସରୁ ନିଲମ୍ୱିତ ନେତା ମାନସ ଚୌଧୁରୀଙ୍କ ଖାସ୍ ସମର୍ଥକ ଶୁଭସ୍ମିତା ମିଠା ବାଣ୍ଟି ସେଲିବ୍ରେସନ କରିଥିଲା ବେଳେ ସେପଟେ ପିସିସି ଉପସଭାପତି ଶିବାନନ୍ଦ ରାୟଙ୍କ ନେତୃତ୍ୱରେ ଆଉ ଏକ ଗୋଷ୍ଠୀ କଂଗ୍ରେସ ଭବନରେ ମିଠା ବଣ୍ଟନ କରିଥିଲେ। ଆଉ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଅପିଲ୍ କରିଥିଲେ, କାହାର କିଛି ପ୍ରତିବାଦ କରିବାର ଅଛି, ଦଳ ଭିତରେ କର। ରାଜରାସ୍ତାରେ ନୁହେଁ। ପିସିସି ସଭାପତିଙ୍କୁ କାଳିମାଡ଼ ଦୁର୍ଭାଗ୍ୟଜନକ। ଧାରଣାରୁ ଓହରି ନିଜ ଅଭିଯୋଗ ପିସିସି ସଭାପତି ନଚେତ ଏଆଇସିସିକୁ ଜଣାନ୍ତୁ।

ସେପଟେ କଂଗ୍ରେସ ବିଧାୟକ ଦଳ ନେତା କିଏ ହେବ, ସେ ଅଡୁଆ ଏ ଯାଏ ତୁଟିଲାନି। ରେସର ସର୍ବାଗ୍ରେ ଯଦିଓ ତାରାପ୍ରସାଦ ବାହିନୀପତିଙ୍କ ନାଁ ଅଛି। କିନ୍ତୁ ତାଙ୍କ ନାଁରେ ଏଆଇସିସି ମୋହର ଲଗାଇନି। ଆଉ ଏହି ଛକାପଞ୍ଝା ଭିତରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ନିଜ ସାଙ୍ଗରେ ୬ ବିଧାୟକଙ୍କୁ ନେଇ ଏଆଇସିସି ଅଧ୍ୟକ୍ଷ ଖଡ଼ଗେଙ୍କ ସହ ଭେଟିବା ଏହି ବିବାଦକୁ ଅଧିକ ଘନେଇଛି। ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ କଂଗ୍ରେସ ବିଧାୟକ ଦଳ ନେତା କରିବା ସପକ୍ଷରେ ସପ୍ତଗିରି ଥିବା ଚର୍ଚ୍ଚା ହେଉଛି। ତେବେ ୧୯ ତୁଳନାରେ ଯଦିଓ ଏଥର ଅଧିକ ୫ଟି ଆସନ ଜିତିଛି କଂଗ୍ରେସ। କିନ୍ତୁ ପଦପଦବୀ ଲାଗି ଯାହା ଦଳରେ ଚାଲିଛି, ତାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ବରିଷ୍ଠ ନେତାଏ।

ଦୁର୍ବଳ ପ୍ରଦର୍ଶନର କାରଣ ଖୋଜିବା ଭିତରେ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ଉଗ୍ର ହେଲାଣି। ପ୍ରଭାରୀ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଏଆଇସିସିକୁ ଗଲାଣି। ତେବେ ଆଗକୁ ଏହା କି ମୋଡ଼ ନେବ, ସମୟ କହିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *