କୋଟା ଭିତରେ କୋଟାକୁ ମଞ୍ଜୁରୀ। ଅନୁସୂଚିତ ଜାତି ଜନଜାତି କ୍ୟାଟେଗୋରୀ ତାଲିକାରେ ଉପ-ଜାତି ବି ସଂରକ୍ଷଣ ପାଇବାକୁ ହକଦାର। ଏହି ତାଲିକା ରାଜ୍ୟ ସରକାର କରିପାରିବେ ବୋଲି କହିଲେ ସୁପ୍ରିମକୋର୍ଟ। ଅନୁଛେଦ ୧୪ ଅନୁସାରେ ଏହାର ଯଥାର୍ଥତା ଅଛି। ଏହା ଆଗରୁ ସୁପ୍ରିମକୋର୍ଟ ଉପ ଜାତିରେ କୋଟାକୁ ନେଇ ୨୦୦୪ରେ ଅଙ୍କୁଶ ଲଗାଇଥିଲେ। ସୁପ୍ରିମକୋର୍ଟର ୭ ଜଣିଆ ଖଣ୍ଡପୀଠ ଗୁରୁବାର ଏହି ଗୁରତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଏଣିକି ରାଜ୍ୟ ସରକାର ଅନୁସୂଚିତ ଜାତି ଜନଜାତି ତାଲିକା ଭିତରେ ଉପ-ତାଲିକା ତିଆରି କରିପାରିବେ ବୋଲି ଇଭି ଚିନୈୟା ମାମଲାରେ ଶୁଣାଣୀ କରି ନିର୍ଦେଶ ଦେଇଛନ୍ତି। କିନ୍ତୁ ଏହା ସହ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଓବିସି ଭଳି ଏହି ବର୍ଗରେ ବି ଲୋକେ ନନକ୍ରିମି ଲେୟାରରୁ ବାଦ୍ ପଡ଼ିବା ଜରୁରୀ।
ଏସସି-ଏସଟି କୋଟା ଉପରେ ସୁପ୍ରିମକୋର୍ଟ ଲଗାଇଲେ ମୋହର। ୨୦୦୪ର ରାୟ ବଦଳିଲା। ୭ ଜଣିଆ ଖଣ୍ଡପୀଠରେ ୬ ଜଣ ପକ୍ଷରେ କହିଥିଲା ବେଳେ କେବଳ ଜଣେ ବିରୋଧ କରିଥିଲେ। ଉପଜାତି ଆଧାରିତ ସଂରକ୍ଷଣକୁ ସମ୍ଭବ ବୋଲି କହିଛନ୍ତି ସୁପ୍ରିମକୋର୍ଟ। କୋଟା ସମାନତା ବିରୁଦ୍ଧରେ ନୁହଁନ୍ତି କୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼, ଜଷ୍ଟିସ ମନୋଜ ମିଶ୍ରା, ଜଷ୍ଟିସ ବେଲା.ଏମ.ତ୍ରିବେଦୀ, ଜଷ୍ଟିସ ବିଆର ଗଭାଇ, ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ ପଙ୍କଜ ମିତ୍ତଲ ଓ ଜଷ୍ଟିସ ଏସସି ଶର୍ମାଙ୍କ ଖଣ୍ଡପୀଠ ଏହାର ଶୁଣାଣୀ କରି ରାୟ ଦେଇଛନ୍ତି। ୬-୧ ବହୁମତରେ ଏହା ରାୟ ପ୍ରକାଶ ପାଇଛି। ଜଷ୍ଟିସ ବେଲା ତ୍ରିବେଦୀ ବହୁମତ ନିଷ୍ପତ୍ତିରୁ ଭିନ୍ନ ରାୟ ଦେଇଥିଲେ। ଯେଭଳି ଢଙ୍ଗରେ ତିନି ଜଣିଆ ଖଣ୍ଡପୀଠ ବିନା କାରଣରେ ଏହାକୁ ବୃହତ୍ତର ବେଞ୍ଚକୁ ପଠାଇଥିଲେ, ସେଥିରେ ସହମତ ନଥିଲେ ଜଷ୍ଟିସ ତ୍ରିବେଦୀ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ରାଜ୍ୟ ସରକାରଙ୍କ ପାଖରେ ଏଣିକି ଅନୁସୂଚିତ ଜାତି, ଜନଜାତି ବର୍ଗକୁ ଉପ-ବର୍ଗିକରଣ ବା ସବ-କ୍ଲାସିଫିକେସନ କରିବାର କ୍ଷମତା ରହିଛି। ରାଜ୍ୟ ଏଣିକି ଅନୁସୂଚିତ ଜାତି ଜନଜାତି ତାଲିକା ଭିତରେ ସବ-ଲିଷ୍ଟ୍ ତିଆରି କରିପାରିବେ। ସରଳ ଭାଷାରେ କହିବାକୁ ଗଲେ, ଏସସି ଓ ଏସଟି ତାଲିକା ଭିତରେ ସବ-ଲିଷ୍ଟ କରି ଅଲଗା ଅଲଗା ସଂରକ୍ଷଣ ଦିଆଯାଇପାରିବ। ଏମିତି କରିବା ଜରୁରୀ। କାରଣ ସାମାଜିକ ଓ ଆର୍ଥିକ ରୂପରେ ଦୁର୍ବଳ ଲୋକଙ୍କୁ କୋଟାର ଫାଏଦା ମିଳିପାରିବ। ଅର୍ଥାତ୍ କୋଟା ଭିତରେ କୋଟାକୁ ଅନୁମତି ମିଳିବ। ୨୦୦୪ର ଇଭି ଚିନୈୟା ବନାମ ଆନ୍ଧ୍ର ସରକାର ମାମଲାରେ ନଜିର ଦେଇଥିଲେ କୋର୍ଟ। ସିଜେଆଇ କହିଥିଲେ, ୨୦୦୪ରେ ଏହି ମାମଲାରେ ଦିଆଯାଇଥିବା ରାୟକୁ ଖାରଜ କରାଗଲା। କେଉଁ କେଉଁ ଜାତିକୁ ସଂରକ୍ଷଣରେ ସାମିଲ୍ କରାଯିବ, ତାହାର ସୂଚୀ ରାଷ୍ଟ୍ରପତି ଭବନରୁ ଜାରି ହୋଇଥାଏ। ଅନୁସୂଚିତ ଜାତିଙ୍କ ତାଲିକା ତିଆରି ଲାଗି ଅବସରପ୍ରାପ୍ତ ବିଚାରପତି ରାମଚନ୍ଦ୍ର ରାଜୁଙ୍କ ଅଧ୍ୟକ୍ଷତାରେ କମିଶନ ଗଠନ କରିଥିଲେ ଆନ୍ଧ୍ର ସରକାର। ବୈଷୟିକ ଶିକ୍ଷାନୁଷ୍ଠାନରେ ନାଁ ଲେଖା ଓ ରାଜ୍ୟ ସରକାରୀ ନିଯୁକ୍ତିରେ ଅନୁସୂଚିତ ଜାତିଙ୍କୁ ସଂରକ୍ଷଣ ଦେବାର ପ୍ରାବଧାନ ରଖାଯାଇନଥିବାରୁ ଅନେକ ଏହାକୁ ଚ୍ୟାଲେଞ୍ଜ କରି କୋର୍ଟ ଯାଇଥିଲେ। ଅନୁସୂଚିତ ଜାତି ଆୟୋଗ ବି କମିଶନଙ୍କ ରିପୋର୍ଟକୁ ସ୍ୱୀକୃତି ଦେଇଥିଲେ। ସମ୍ୱିଧାନର ଅନୁଛେଦ ୧୫(୪) ଓ ୧୬(୪) ଅନୁସାରେ ଏସସି ବର୍ଗଙ୍କୁ ରାଜ୍ୟର ଶିକ୍ଷାନୁଷ୍ଠାନ ଓ ରାଜ୍ୟର ବିଭିନ୍ନ ସେବାରେ ପଛୁଆ ବର୍ଗଙ୍କ ଲାଗି ୧୫ ପ୍ରତିଶତ ସଂରକ୍ଷଣ ଦେବାକୁ ୪ ଭାଗରେ ବଣ୍ଟାଯାଇଥିଲା। ଗ୍ରୁପ୍ ଏ-କୁ ୧ ପ୍ରତିଶତ, ଗ୍ରୁପ୍ ବି କୁ ୭, ଗ୍ରୁପ୍ ସି କୁ ୬ ଓ ଗ୍ରୁପ୍ ଡିକୁ ୧ ପ୍ରତିଶତ ସଂରକ୍ଷଣ ଦେବାକୁ କୁହାଯାଇଥିଲା। ଏହି ଆଧାରରେ ଏ,ବି,ସି ଓ ଡି ଭାବେ ୪ ପ୍ରକାର ବର୍ଗୀକରଣ କରାଯାଇଥିଲା। ୫୭ ଜାତିକୁ ସଂରକ୍ଷଣ ପାଇବେ ବୋଲି ସୂଚୀବଦ୍ଧ କରାଯାଇଥିଲା। ପ୍ରତି ଜାତିରେ ସଂରକ୍ଷଣ ଲାଗି ଅଲଗା କୋଟା ସ୍ଥିର ହୋଇଥିଲା। ୨୦୦୪ରେ ଅନେକ ତର୍କ ପରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ, କୌଣସି ଜାତିକୁ ଏସସି ବର୍ଗରେ ସାମିଲ୍ କରିବା ହେଉ ଅବା ତାଲିକାରୁ ବାଦ୍ ଦେବା କ୍ଷମତା କେବଳ ଦେଶର ରାଷ୍ଟ୍ରପତିଙ୍କ ପାଖରେ ଅଛି। କୌଣସି ରାଜ୍ୟ ସରକାର ଏହି ତାଲିକାକୁ ଏପଟ ସେପଟ କରିପାରିବେନି। ପଞ୍ଜାବ ସରକାର ଏସସି ବର୍ଗଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବାଲ୍ମିକୀ ଓ ଗରିବ ଶିଖ୍ଙ୍କୁ ଦେବାକୁ ପ୍ରାବଧାନ ଆଣିଥିଲେ। ଏହା ଉପରେ ପଞ୍ଜାବ ଓ ହରିଆଣା ହାଇକୋର୍ଟ ରୋକ୍ ଲଗାଇଥିଲେ। ହାଇକୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ପଞ୍ଜାବ ସରକାର ୨୦୨୦ରେ ସୁପ୍ରିମକୋର୍ଟ ଯାଇଥିଲେ। ପାଞ୍ଚ ଜଣିଆ ଖଣ୍ଡପୀଠ ଏହାର ଶୁଣାଣୀ କରି କହିଥିଲେ ଯେ, ବଞ୍ଚିତ ବର୍ଗଙ୍କ ଲାଗି ସଂରକ୍ଷଣ ନିହାତି ଜରୁରୀ। ଆଉ ଶେଷରେ ୭ ଜଣିଆ ଖଣ୍ଡପୀଠ ବି ଆଜି ଏହା ଉପରେ ମୋହର ମାରିଛନ୍ତି।
ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।
Naxatra News is now on Whatsapp
Join and get latest news update delivered to you via whatsapp
Join Now