ସଂରକ୍ଷଣ ତାତିରେ ବିଧାନସଭା

ସଂରକ୍ଷଣ ତାତିରେ ମଙ୍ଗଳବାର ବି ଧୋଇଗଲା ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ଆଲୋଚନା। ଜାତିଭିତ୍ତିକ ଜନଗଣନା ଦାବିରେ ଅଡ଼ି ବସିଥିଲେ ବିରୋଧୀ। ଡାକ୍ତରୀ, ଇଞ୍ଜିନିୟରିଂ ଶିକ୍ଷାରେ ଏସସି, ଏସଟି ଓ ଓବିସିଙ୍କୁ ଉପଯୁକ୍ତ ସଂରକ୍ଷଣ ସହ ଜାତିଭିତ୍ତିକ ଜନଗଣନା ଦାବିରେ ଅଡ଼ି ବସିଥିଲେ ବିରୋଧୀ। ଫଳରେ ବାରମ୍ୱାର ଗୃହକୁ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି। ଗୃହକୁ ସୁରୁଖୁରୁରେ ଚଳାଇବାକୁ ଡାକିଥିଲେ ସର୍ବଦଳୀୟ ବୈଠକ।

ସାମାଜିକ ନ୍ୟାୟ ଆଧାରରେ ଜାତିଭିତ୍ତିକ ଜନଗଣନା ଓ ସମ୍ୱିଧାନ ସମ୍ମତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ଲାଗି ମଙ୍ଗଳବାର ବି ବିରୋଧୀ ଅଡ଼ି ବସିଲେ। ଗୃହ କାର୍ଯ୍ୟ ଆରମ୍ଭରୁ ଉଭୟ କଂଗ୍ରେସ ଓ ବିଜେଡି ଗୃହର ମଧ୍ୟଭାଗକୁ ଓହ୍ଲାଇଥିଲେ। ଏସସି, ଏସଟି ଓ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ଉପଯୁକ୍ତ ଆସନ ସଂରକ୍ଷଣ ଦାବିକୁ ପୁଣି ଥରେ ଶାଣିତ କରିଥିଲେ ଉଭୟ ବିରୋଧୀ ଦଳ। ମୋହନ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ। ସଂରକ୍ଷଣ ଆଇନ ଲାଗି ପ୍ରସ୍ତାବ ପାରିତ ହୋଇଥିଲା। ଏ ନେଇ ସରକାର କାହିଁକି ନୀରବ। ସଂରକ୍ଷଣ ଓ ସାମାଜିକ ନ୍ୟାୟ ପ୍ରସଙ୍ଗରେ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ହଟ୍ଟଗୋଳ ଭିତରେ ବାଚସ୍ପତି ପ୍ରଶ୍ନୋତ୍ତର ଜାରି ରଖିବାରୁ କ୍ଷୁବ୍ଧ ହୋଇଥିଲେ ବିରୋଧୀ। ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ି ମାଇକ ଛଡ଼ାଇବାକୁ ଉଦ୍ୟମ କରିଥିଲେ ବାହିନୀପତି ଓ ଅଧିରାଜ। ନିଜ ଆସନକୁ ଯାଆନ୍ତୁ। ଗୃହ ଚଳାଇବାରେ ସହଯୋଗ କରନ୍ତୁ ବୋଲି ବାଚସ୍ପତି ଯେତେ ବୁଝାଇଲେ ବି ବୁଝିନଥିଲେ ବିରୋଧୀ। ଫଳରେ ଆଗ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି।

ସଂରକ୍ଷଣ ନେଇ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ଏସସି, ଏସଟି ଓ ଓବିସିଙ୍କ ସଂଖ୍ୟା ୯୪ ପ୍ରତିଶତ। କିନ୍ତୁ ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସାମ୍ୱିଧାନିକ ଅଧିକାରରୁ ବଞ୍ଚିତ କରାଯାଉଛି। ଆସନ୍ତା ୨୯ରେ ଆରମ୍ଭ ହେଉଥିବା ଏମବିବିଏସ ନାମଲେଖା ପ୍ରକ୍ରିୟାକୁ ସ୍ଥଗିତ ରଖି ସମ୍ୱିଧାନସମ୍ମତ ସଂରକ୍ଷଣ ଲାଗୁ କରିବାକୁ ଦାବି କରିଥିଲେ। ଶୂନ୍ୟ କାଳରେ କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗକୁ ଏକାକୀ ଓହ୍ଲାଇଥିଲା ବେଳେ ବିଜେଡି ଆସିନଥିଲା। ସେପଟେ ଶାସକ ଦଳ କହିଛି, ଜାଣିଶୁଣି ଗୃହକୁ ଅଚଳ କରିଦେବାର ମାନସିକତା ନେଇ ବିରୋଧୀ ଆସୁଛନ୍ତି। ଏସସି, ଏସଟି ଓ ଓବିସିଙ୍କ ଲାଗି କାହାର କେତେ ଦରଦ, ଏ କଥା କାହାକୁ ଅଛପା ନାହିଁ।

ବାରମ୍ୱାର ଗୃହ ମୁଲତବୀ ହେତୁ ଶେଷରେ ଗୃହକୁ ସୁରୁଖୁରୁରେ ଚଳାଇବାକୁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି। କିନ୍ତୁ ଅଧିବେଶନର ପ୍ରଥମାର୍ଦ୍ଧ ବିଲକୁଲ ବେକାରରେ ଚାଲିଯାଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *