ସୁଭଦ୍ରା ସ୍କିମକୁ ନେଇ ଗୃହରେ ହଟ୍ଟଗୋଳ

ସୁଭଦ୍ରାରେ ଯାହା କହିଥିଲ, ତାହା ଦେଲନି। ମହିଳାଙ୍କୁ ଭୁଆଁ ବୁଲାଇଲ। ଏଭଳି ଢଙ୍ଗରେ ମହିଳାଙ୍କୁ ଅପମାନ ବରଦାସ୍ତ କରାଯିବନି କହି ଗୃହ କାର୍ଯ୍ୟ ଆରମ୍ଭରୁ ହୋହଲ୍ଲା, ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ବାରମ୍ୱାର ବାଧାପ୍ରାପ୍ତ ଘଟିଥିଲା। ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ବିଲକୁଲ ସମ୍ଭବ ହୋଇପାରିଲାନି। ସେପଟେ ଶାସକ ଦଳ କହିଛି, ମୁଲତବୀ ଆକାରରେ ନୋଟିସ୍ ଦେଇ ପୁଣି ଜାଣିଶୁଣି ଗୃହକୁ ଅଚଳ କରିଦେବାର ମାନସିକତାକୁ ରାଜ୍ୟବାସୀ ବେଶ୍ ବୁଝିଛନ୍ତି।

ଆରମ୍ଭରୁ ଅଚଳାବସ୍ଥା। ଶୋକ ପ୍ରସ୍ତାବ ଆଗତ ପରେ ସୋମବାର ପ୍ରଶ୍ନକାଳରେ ଗୃହ ବିଭାଗର ଉତ୍ତର ଦେବାର ପାଳି ପଡ଼ିଥିଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର। ମୁଖ୍ୟମନ୍ତ୍ରୀ ଉତ୍ତର ଦେବାକୁ ଆରମ୍ଭ କରିବା ମାତ୍ରେ ଗୃହର ମଧ୍ୟଭାଗକୁ ଓହ୍ଲାଇଥିଲା ବିଜେଡି। ଆଉ ବିଜେଡି ପଛେ ପଛେ କଂଗ୍ରେସ। ବାଚସ୍ପତି ଯେତେ ବୁଝାଇଲେ ବି ନିଜ ଜିଦରେ ଅଡ଼ି ବସିଲେ ବିରୋଧୀ। ସୁଭଦ୍ରା ଯୋଜନା ନାଁରେ ବିଜେପି ଭଣ୍ଡେଇଲା। ନିର୍ବାଚନୀ ପ୍ରତିଶୃତିରେ ସୁଭଦ୍ରାରେ ସମସ୍ତ ମହିଳା ସାମିଲ୍ ହେବେ ବୋଲି କ୍ଷମତାକୁ ଆସିଥିବା ବିଜେପି ଏବେ ଠକିଲା। ନାନା ଆଳ ଦେଖାଇ ଭିନ୍ନ ଭିନ୍ନ ସମୟରେ ଏସଓପି ବାହାର କରି ଭେଳିକି ରଚୁଛି। ସେଥିଲାଗି ସବୁ ମାନଦଣ୍ଡ ହଟାଅ। ୨ କୋଟି ମହିଳାଙ୍କୁ ସାମିଲ କର ସ୍କିମ୍‌ରେ ବୋଲି ଦାବି କରି ନାରାବାଜି କରିଥିଲା ବିଜେଡି। ଆଉ ବିଜେଡି ଏହି ପ୍ରତିବାଦକୁ ସମର୍ଥନ କରିଥିଲା କଂଗ୍ରେସ।  ସରକାର ସୁଭଦ୍ରା ଲାଗି ଯେଉଁ ମାନଦଣ୍ଡ ରଖିଛନ୍ତି, ଏଥିରେ ଅନେକ ମହିଳା ବାଦ୍ ପଡ଼ିବେ। ୬୦ରୁ ୮୦ ବର୍ଷ ବର୍ଗର ଅନେକ ମହିଳା ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି। ସେମାନଙ୍କୁ ବାଦ୍ ଦେବାକୁ କାହିଁକି ଏସଓପି ଆଳରେ ଷଡ଼ଯନ୍ତ୍ର କରିଛନ୍ତି ସରକାର।

ସେପଟେ ଶାସକ ବିଜେପି ଏହାର କଡ଼ା କାଉଣ୍ଟର କରିଛି। ନିଜେ ବିରୋଧୀ ଦଳ ସୁଭଦ୍ରାକୁ ନେଇ ମୁଲତବୀ ନୋଟିସ୍ ଦେଇଥିଲା। ଏହାକୁ ଗ୍ରହଣ ସହ ଆଲୋଚନା ଲାଗି ସରକାର ବି ପ୍ରସ୍ତୁତ ଥିଲେ। କିନ୍ତୁ ଜାଣିଶୁଣି ଆଲୋଚନା ବନ୍ଦ କରିବା କେତେଦୂର ଯୁକ୍ତିଯୁକ୍ତ। ଲୋକଙ୍କ ଅର୍ଥରେ ଗୃହ ଚାଲୁଛି। କିନ୍ତୁ ବିରୋଧୀ ଚଳାଇ ଦେଉନାହାନ୍ତି। ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ରଖିବା ବେଳେ ଜାଣିଶୁଣି ଏହାକୁ ଭଣ୍ଡୁର କରିବା ଓ ପଲିଟିକାଲ ମାଇଲେଜ୍ ନେବାକୁ ସୁଭଦ୍ରାର ଆଳ ନେଲେ ବିରୋଧୀ। ସୁଭଦ୍ରା ଏସଓପିରେ ନିୟମିତ ପରିବର୍ତ୍ତନ ହେଉଛି। ସମସ୍ତ ଯୋଗ୍ୟ ମହିଳା ସାମିଲ୍ ହେବେ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବି ଗୃହରେ ସ୍ପଷ୍ଟ କରିଥିଲେ।

ଏଭଳି ହଙ୍ଗାମା ଭିତରେ ଲୋକସେବା କନଭେନସନ ହଲରେ ସୁଭଦ୍ରା ପୋର୍ଟାଲର ଉନ୍ମୋଚନ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ସେପ୍ଟେମ୍ୱର ୪ ଅପରାହ୍ନରୁ ଫର୍ମ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଫର୍ମ ସହ ଆବେଦନକାରୀଙ୍କୁ କେବଳ ଆଧାର କାର୍ଡର ନକଲ ଦାଖଲ କରିବାକୁ ହେବ। ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା କିସ୍ତି ସେପ୍ଟେମ୍ୱର ୧୭ରେ ମିଳିବ। ଟୋଲ ଫ୍ରି ନମ୍ୱର-୧୪୬୭୮ରେ କଲ୍ କରିପାରିବେ। ଟୋଲ୍ ଫ୍ରି ନମ୍ୱର ସକାଳ ୬ରୁ ରାତି ୧୦ଟା ଯାଏ କାର୍ଯ୍ୟକ୍ଷମ ହେବ। ହିତାଧିକାରୀଙ୍କ ଯୋଗ୍ୟତା, ସେମାନଙ୍କ ଅଧିକାର, ଦାୟିତ୍ୱ ସହ ବାରମ୍ୱାର ପଚରାଯାଉଥିବା ପ୍ରଶ୍ନ ଓ ଏହାର ଉତ୍ତର ପୋର୍ଟାଲରେ ଉପଲବ୍ଧ ଅଛି।

ସୁଭଦ୍ରା ସ୍କିମରେ କଅଣ କରାଯିବ, କିଏ ସାମିଲ ହେବେ। ଆଉ ୫୦ହଜାର ଭାଉଚର ୫ ବର୍ଷରେ ଦିଆଯିବ ନା ୨ ବର୍ଷରେ ଦିଆଯିବ ବୋଲି କୁହାଯାଇଥିଲା। ଏହାକୁ ଗଣ୍ଠି କରିଛି ବିରୋଧୀ। ଫଳରେ ସୋମବାର ଗୃହର ଅଧା ଦିନ ବେକାରରେ ଚାଲିଯାଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *