ବୁଲଡୋଜର ଆକ୍ସନ ଓ ଚାଷୀ ଆନ୍ଦୋଳନ ସନ୍ଦର୍ଭରେ ସୁପ୍ରିମକୋର୍ଟ ବଡ଼ ନିର୍ଦେଶ

ବୁଲଡୋଜର ଆକ୍ସନ ଓ ଚାଷୀ ଆନ୍ଦୋଳନ ସନ୍ଦର୍ଭରେ ସୋମବାର ସୁପ୍ରିମକୋର୍ଟ ବଡ଼ ନିର୍ଦେଶ ଦେଇଛନ୍ତି। ଅଭିଯୁକ୍ତର ଘରେ ବୁଲଡୋଜର ଆକ୍ସନକୁ ନାପସନ୍ଦ କରିଛନ୍ତି ଅଦାଲତ। ଶମ୍ଭୁ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରି ବିବାଦ ତୁଟାଅ ବୋଲି ରାୟ ଦେଇଛନ୍ତି ବିଚାରପତି।

ଅଭିଯୁକ୍ତ ବୋଲି ଘରେ ବୁଲଡୋଜର ଚାଲିବା କେତେଦୂର ଯୁକ୍ତିସଙ୍ଗତ। ପାନ୍-ଇଣ୍ଡିଆ ଗାଇଡଲାଇନର ଉଦ୍ଦେଶ୍ୟ କଅଣ। ଆଉ ଏହାକୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ବୋଲି ଚିନ୍ତାପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ଅନେକ ରାଜ୍ୟର ପ୍ରଶାସନ ଅଭିଯୁକ୍ତଙ୍କ ଘରେ ବୁଲଡୋଜର ଆକ୍ସନ ନେଇ ଏହାକୁ ଦୃଷ୍ଟାନ୍ତମୂଳକ ଆକ୍ସନ ଭାବେ ଗଣିଲେଣି। ଅନେକ ରାଜ୍ୟରେ ବୁଲଡୋଜର ଆକ୍ସନ ବିରୁଦ୍ଧରେ ପଡ଼ିଥିବା ପିଟିସନର ବିଚାର କରି ଏଭଳି କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ବିଆର ଗଭାଇ ଓ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ବିଭିନ୍ନ ପକ୍ଷକୁ ପ୍ରସ୍ତାବ ମାଗିଛନ୍ତି। ପ୍ରସ୍ତାବ ଆସିଲେ ଏହାକୁ ଅନୁଧ୍ୟାନ କରି ପାନ୍-ଇଣ୍ଡିଆ ଗାଇଡ଼ଲାଇନ ପ୍ରସ୍ତୁତିରେ ସହାୟକ ହେବ। ବରିଷ୍ଠ ଆଇନଜୀବି ନଚିକେତା ଯୋଶୀଙ୍କୁ ଏହି ପ୍ରସ୍ତାବ ସବୁ ସଂଗ୍ରହ କରି କୋର୍ଟରେ ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ। ପାନ୍-ଇଣ୍ଡିଆ ଆଧାରରେ ଏ ସମସ୍ୟାର ସମାଧାନ ଲାଗି କରିବାକୁ ଅପିଲ୍ କରିଛନ୍ତି ସୁପ୍ରିମକୋର୍ଟ। ଶୁଣାଣୀ ବେଳେ ମୌଖିକ ଭାବରେ ଦଣ୍ଡ ଭାବରେ ଅଭିଯୁକ୍ତର ଘରେ ବୁଲଡୋଜର ଚଳାଇବାକୁ ନାପସନ୍ଦ କରିଛନ୍ତ ଅଦାଲତ। ଜଣେ ଅଭିଯୁକ୍ତ ହୋଇଗଲେ, ତା ଘରେ ବୁଲଡୋଜର କେମିତି ଚଲାଯାଇପାରିବ। ସେ ଦୋଷୀ ହେବା ପରେ କଅଣ ଘର ଭଙ୍ଗାଯାଇପାରିବନି କି ବୋଲି କହିଥିଲେ ଜଷ୍ଟିସ୍ ଗଭାଇ। କୋର୍ଟ କଦାପି ବେଆଇନ ନିର୍ମାଣକୁ ସୁରକ୍ଷା ଦେବା ସପକ୍ଷରେ ନାହାନ୍ତି। କିନ୍ତୁ ଏଥିଲାଗି କିଛି ନିର୍ଦ୍ଦିଷ୍ଟ ଗାଇଡଲାଇ ବି ଜରୁରୀ ବୋଲି ମତ ଦେଇଛନ୍ତି ଅଦାଲତ। ଯଦି କୌଣସି ନିର୍ମାଣ ବେଆଇନ ଥିବ, ତାକୁ ବି ଭାଙ୍ଗିବାକୁ କି ଉଛେଦ ଲାଗି ଏକ ପ୍ରକ୍ରିୟା ଥାଏ। ଆଇନ ଅନୁସାରେ ଏହି ପ୍ରକ୍ରିୟା ସମ୍ପାଦନ ହୁଏ। ପୁଅ ଆଜ୍ଞାଧୀନ ହୋଇନପାରେ। ଏହାର ପରିଣାମ ତା ବାପା ଓ ପୁରା ପରିବାର କାହିଁକି ଭୋଗିବ। ଯେଉଁ ଘରେ ମୁଣ୍ଡ ଗୁଞ୍ଜିଛନ୍ତି, ତାକୁ ହଟାଇଦେବା କେତେଦୂର ଯୁକ୍ତିସଙ୍ଗତ। ପିଟିସନକାରୀ ଅନେକ ନଜିର ଦେଇଥିଲେ। ଏପ୍ରିଲ ୨୦୨୨ ଦିଲ୍ଲୀ ଜାହାଙ୍ଗିରପୁରୀରେ ଅନେକଙ୍କ ଘର ଭଙ୍ଗାଗଲା। କାରଣ ସେମାନେ କୁଆଡ଼େ ଦଙ୍ଗାକୁ ଉସୁକାଇଥିଲେ। ଉଦୟପୁରରେ ଯୁବକ ଅପରାଧ କଲା, କିନ୍ତୁ ତା ଘରେ ବୁଲଡୋଜର ଚାଲିଲା।

ଏ ତ ଗଲା ବୁଲଡୋଜର ଆକ୍ସନକୁ ନାପସନ୍ଦ କରି ଖୁବ ଶୀଘ୍ର ପାନ୍-ଇଣ୍ଡିଆ ଗାଇଡଲାଇନ ଆଣିବା ଉପରେ ଅଦାଲତଙ୍କ ଗୁରୁତ୍ୱାରୋପ।ସେପଟେ ଶମ୍ଭୂ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରି ବିବାଦ ତୁଟାଅ ବୋଲି ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିଲାଗି କୋର୍ଟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏ ପ୍ରସଙ୍ଗ ଯେଭଳି ରାଜନୀତିକରଣ ନ ହୁଏ, ସେଥିଲାଗି ବି ଚେତେଇ ଦେଇଛନ୍ତି ସୁପ୍ରିମକୋର୍ଟ। ପଞ୍ଜାବ ଓ ହରିଆଣାର ଶମ୍ଭୁ ସୀମାରେ ଚାଷୀ ଏଯାଏ ଆନ୍ଦୋଳନରେ ବସିଛନ୍ତି। ଏହି କମିଟିର ଅଧ୍ୟକ୍ଷ ଅଛନ୍ତି ପଞ୍ଜାବ ହରିଆଣା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ନଓ୍ୱାବ ସିଂ। ଶମ୍ଭୁ ସୀମାରେ ଚାଷୀଙ୍କ ଅବରୋଧ ହଟାଇବାକୁ ରାୟ ଦେଇଥିଲେ ପଞ୍ଜାବ ଓ ହରିଆଣା ହାଇକୋର୍ଟ। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଏହାର ଶୁଣାଣୀ କରି କହିଛନ୍ତି ଯେ, କମିଟି ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରି ଟ୍ରାକ୍ଟର,ଟ୍ରଲି ଆଦି ଜାତୀୟ ରାଜପଥରୁ ହଟାଇବାକୁ ଅନୁରୋଧ କରିବେ। ଯାହା ଫଳରେ ସାଧାରଣ ଲୋକଙ୍କ ଗମନାଗମନ ସ୍ୱାଭାବିକ ହେବ। ଆନ୍ଦୋଳନରତ ଚାଷୀ ଶମ୍ଭୁ ସୀମା ବଦଳରେ ଉପଯୁକ୍ତ ଜାଗା ଚିହ୍ନଟ କରିବାକୁ ସ୍ୱାଧୀନତା ଦିଆଯିବ। ଏହା ସହ ଚାଷୀଙ୍କୁ ବି ଚେତେଇ ଦେଇଛନ୍ତି, ଏଭଳି ଆନ୍ଦୋଳନକୁ ରାଜନୀତିକରଣରୁ ଦୂରେଇ ରଖନ୍ତୁ। ଏହା ସହ ରାଜ୍ୟ ସରକାରଙ୍କୁ ବି ସତ୍ୟପାଠରେ ଦର୍ଶାଇବାକୁ ପଡ଼ିବ, ଚାଷୀଙ୍କୁ ବିକଳ୍ପ ଭାବେ କେଉଁ ଜାଗା ଦେଲ। ଯେଉଁଠି ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିପାରିବେ। ଚାଷୀଙ୍କ ସହ ଆଲୋଚନା କରି ସପ୍ତାହକ ଭିତରେ କଅଣ ରେଜଲ୍ଟ ଆସିଲା, ତାକୁ କୋର୍ଟକୁ ଅବଗତ କରାଇବାକୁ ମେମ୍ୱର ସେକ୍ରେଟାରୀ ରେକର୍ଡରେ ଜଣାଇବେ।

ବୁଲଡୋଜର ଆକ୍ସନ ଓ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ସନ୍ଦର୍ଭରେ ସୁପ୍ରିମକୋର୍ଟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *