ଏଆଇସିଟିଇ ଅନୁମୋଦନ ବାଧ୍ୟତାମୂଳକ, କାହା ଚାପରେ କୋହଳ?

ଗୁଣାତ୍ମକ ପ୍ରଫେସନାଲ ପାଠ୍ୟକ୍ରମ ଲାଗି ଏଆଇସିଟିଇ ଅନୁମୋଦନ ବାଧ୍ୟ। କାରଣ ବିନା ଏଆଇସିଟିଇ ଅନୁମୋଦନରେ କୌଣସି ପ୍ରଫେସନାଲ କୋର୍ସ ବୈଧ ନୁହେଁ। ହେଲେ ବିଜେବି, ରାଜଧାନୀ ଭଳି ଆଗଧାଡ଼ିର କଲେଜ ଗଲାଥର ଖିଲାଫି ତାଲିକାରେ ଥିଲେ ବି ଏଥର ଉଚ୍ଚଶିକ୍ଷା ବିଭାଗ କୋହଳ କରିଦେଲା। କଥା ପଡ଼ିଛି। ଯେଉଁ ନିୟମ ମେ ମାସରେ ପିଲାଙ୍କ ଭବିଷ୍ୟତ ଲାଗି ଲାଗୁ କରିଥିଲା ବିଭାଗ, ତାକୁ ପୁଣି ସେପ୍ଚେମ୍ୱରରେ କେମିତି ଓଲଟିଗଲା। ଉଭୟ କେନ୍ଦ୍ର ଓ ରାଜ୍ୟରେ ଓଡ଼ିଆ ପୁଅ ଶିକ୍ଷାମନ୍ତ୍ରୀ। କିନ୍ତୁ ଉଭୟଙ୍କ ଭିତରେ ପିଲାଙ୍କ ଭବିଷ୍ୟତକୁ ସୁରକ୍ଷିତ ଲାଗି ସମନ୍ୱୟ ନାହିଁ କି ବୋଲି ଚର୍ଚ୍ଚା ହେଉଛି।

ଏଆଇସିଟିଇ ଅନୁମୋଦନ କଅଣ ନିହାତି ଜରୁରୀ। ପ୍ରଫେସନାଲ କୋର୍ସ ଲାଗି ଏଆଇସିଟିଇ ଅନୁମୋଦନକୁ ବାଧ୍ୟତାମୂଳକ କରିବା କଅଣ ଦରକାର ଥିଲା। ଏଥିରୁ କି ଲାଭ ମିଳିବ। ନ କଲେ ବି ଚଳିବ। ଏମିତି ଧାରଣା କୁଆଡ଼େ ପୁଣି ଧୀରେ ଧୀରେ ବଳବତ୍ତର ହେବାକୁ ଲାଗିଲାଣି ଅଧିକାଂଶ ଶିକ୍ଷାନୁଷ୍ଠାନରେ। ଏମିତି ଭାବିବା ବି ଅମୂଳକ ନୁହେଁ। କାରଣ ସରକାରୀ ଚିଠିର ଗୁରୁତ୍ୱ ରହୁନି। ମେ ମାସରେ ଲାଗୁ କଡ଼ା ନିୟମ ସେପ୍ଟେମ୍ୱରରେ କୋହଳ ହୋଇଯାଉଛି। ଏମବିଏ, ଏମସିଏ, ଇଣ୍ଟିଗ୍ରେଟେଡ୍ ଏମବିଏ, ଇଣ୍ଟିଗ୍ରେଟେଡ୍ ଏମସିଏ, ବିବିଏ, ବିସିଏ ଓ ଅନ୍ୟ ଯେକୌଣସି ପ୍ରଫେସନାଲ କୋର୍ସ କରିବାକୁ ହେଲେ ୨୦୨୪-୨୫ ଶିକ୍ଷାବର୍ଷ ଲାଗି ଏହାକୁ ବାଧ୍ୟତାମୂଳକ କରାଯାଇଥିଲା। ଉଚ୍ଚଶିକ୍ଷା ବିଭାଗ ଏ ସନ୍ଦର୍ଭରେ ସମସ୍ତଙ୍କୁ ଚିଠି କରିଥିଲା। ସାମ୍‌ସ ପୋର୍ଟାଲରେ କେଉଁ କୋର୍ସରେ ନାମଲେଖା ଲାଗି ଆବେଦନ କରୁଛ, ତାକୁ ଏନରୋଲ କରିବା ଆଗରୁ ଏଆଇସିଟିଇର ଅନୁମୋଦନ ପତ୍ରକୁ ଇମେଲ ଜରିଆରେ ସଂପୃକ୍ତ ଶିକ୍ଷାନୁଷ୍ଠାନ ପଠାଇବାକୁ ବିଭାଗ ନିର୍ଦେଶ ଦେଇଥିଲା। ଏହି ନିର୍ଦେଶାନାମା ସେଲ୍ଫ ଫାଇନାନ୍ସିଂ କିମ୍ୱା ପିପିପି ମୋଡ଼ରେ କୋର୍ସ ଖୋଲିଥିବା ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନ ଲାଗି ପ୍ରଯୁଜ୍ୟ। ଏହାକୁ ୟୁଜିସିକୁ ପଠାଇବ ଉଚ୍ଚଶିକ୍ଷା ବିଭାଗ। ବିନା ମଞ୍ଜୁରୀରେ ପିଲାଙ୍କର ଆଡମିଶନ କରିଥିଲେ, ଭବିଷ୍ୟତରେ କୌଣସି ପରିସ୍ଥିତି ଲାଗି ସଂପୃକ୍ତ ଅନୁଷ୍ଠାନ ଉତ୍ତରଦାୟୀ ରହିବ ବୋଲି ସଫା ସଫା କହିଦେଇଥିଲା ଉଚ୍ଚଶିକ୍ଷା ବିଭାଗ। ହେଲେ କଅଣ ହେଲା କେଜାଣି। ସରକାର ବଦଳିବା ପରେ କିଛି କଲେଜ ପ୍ରତି ଏ ନିୟମ ଧରାବନ୍ଧା ନୀତିରେ ପରିଣତ ହୋଇଗଲା। ଏ କଥା ଆମେ କହୁନୁ। ଖୋଦ୍ ଉଚ୍ଚଶିକ୍ଷା ବିଭାଗ କେମିତି ଏଆଇସିଟିଇ ଆପ୍ରୁଭାଲକୁ ନେଇ କେତେବେଳେ କଠୋର ତ କେତେବେଳେ କୋହଳ ହେଉଛି, ଏହା ତାହାର ପ୍ରମାଣ ଦେଉଛି।

ବିନା ଏଆଇସିଟିଇ ଅନୁମୋଦନରେ ପ୍ରଫେସନାଲ କୋର୍ସ ଖୋଲିବା ବେଆଇନ।  ୟୁଜିସି ଗାଇଡଲାଇନର ପରିପନ୍ଥୀ ସତ୍ତ୍ୱେ ବିନା ଏଆଇସିଟିଇର ଅନୁମୋଦନରେ ୮ଟି ସ୍ୱୟଂଶାସିତ ସରକାରୀ କଲେଜ ପ୍ରଫେସନାଲ କୋର୍ସ ଖୋଲିଥିଲେ। ସରକାର ବଦଳିବା ପରେ ଉଚ୍ଚଶିକ୍ଷା ବିଭାଗ ଗଲା ସେପ୍ଟେମ୍ୱର ୨୧ରେ ବିଜେବି ଓ ରାଜଧାନୀ କଲେଜକୁ ଏଆଇସିଟିଇ ଅନୁମୋଦନ ବିନା ପ୍ରଫେସନାଲ କୋର୍ସରେ ନାଁ ଲେଖାଇବାକୁ ଅନୁମତି ଦେଇଛି। ବିଭିନ୍ନ ଷ୍ଟୁଡେଣ୍ଟ ଫୋରମର ଗ୍ରିଭାନ୍ସ ଆଧାରରେ ଏଭଳି ଅନୁମତି ଦେଲା ବୋଲି ଆଳ ନେଇଛି ବିଭାଗ। କିନ୍ତୁ ୨୦୨୫-୨୬ ଶିକ୍ଷାବର୍ଷରେ ଏଆଇସିଟିଇ ଅନୁମୋଦନ ଆଣିବା ବାଧ୍ୟ ବୋଲି ଧାଡ଼ିଟିଏ ଲେଖି ବିଭାଗ ତା କାମ ସାରିଦେଇଛି। କଥା ପଡ଼ିଛି। କଲେଜ ଉପରେ ରିସ୍କ ନାହିଁ। କାରଣ କଲେଜ କହୁଛି, ସରକାର ଏଭଳି ଅନୁମତି ଦେଲେ। କିନ୍ତୁ ଭବିଷ୍ୟତରେ ବିନା ଏଆଇସିଟିଇ ଅନୁମୋଦନରେ ପ୍ରଫେସନାଲ କୋର୍ସରେ ନାଁ ଲେଖାଉଥିବା ପିଲାଙ୍କ ଭବିଷ୍ୟତ ନିରାପଦ ତ। ତା ହେଲେ ଅନ୍ୟ କଲେଜକୁ ଏମିତି ଅନୁଚିତ ଅନୁଗ୍ରହ ଦେଖାଇବ କି ଉଚ୍ଚଶିକ୍ଷା ବିଭାଗ। ଯିଏ ଅନୁମତି ଆଣିନି, ତା ଲାଗି ଏଆଇସିଟିଇ ଆଗରେ ଉଚ୍ଚଶିକ୍ଷା ବିଭାଗ ମାନି ପଡ଼ିବ କି। କଥା ପଡ଼ିଛି। କେନ୍ଦ୍ରରେ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ବିଭାଗର ମୁଖିଆ। ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାରରେ ଉଚ୍ଚଶିକ୍ଷା ବିଭାଗର ମଙ୍ଗ ଧରିଛନ୍ତି ଯୁବ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ। ଏଆଇସିଟିଇ ଧର୍ମେନ୍ଦ୍ରଙ୍କ ଅଧୀନରେ। ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ସୂରଜଙ୍କ ଅଧୀନରେ। କେନ୍ଦ୍ର ଯାହାକୁ ବାଧ୍ୟତାମୂଳକ ବୋଲି କହୁଛି। ତାକୁ ରାଜ୍ୟ ମାନିବ ନା ନିଜ ନୀତିରେ ଚାଲିବ। ମେ ମାସରେ ଏଆଇସିଟିଇ ଅନୁମୋଦନକୁ ନେଇ ନିଜେ କଡ଼ାକଡ଼ି ନିୟମ କରିଥିବା ଉଚ୍ଚଶିକ୍ଷା ବିଭାଗ ଅଚାନକ ୪ ମାସ ପରେ କାହିଁକି କୋହଳ ହୋଇଗଲା। ପିଲାଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଉଭୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସଂକଳ୍ପବଦ୍ଧ ବୋଲି କହୁଛନ୍ତି। ପ୍ରଫେସନାଲ କୋର୍ସର ବୈଧତାକୁ ନେଇତା ହେଲେ କିଏ ନେବ ଗ୍ୟାରେଣ୍ଟି। ଏହା ହିଁ ପ୍ରଶ୍ନ ଉଠୁଛି। ବ୍ୟୁରୋ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *