ଦିଲ୍ଲୀ ପୁଲିସ ହେପାଜତରେ ସାମାଜିକ କର୍ମୀ ସୋନମ ଓ୍ୱାଙ୍ଗଚୁକ ;ତେଜୁଛି ରାଜନୀତି

ଦିଲ୍ଲୀ ପୁଲିସ ହେପାଜତରେ ସାମାଜିକ କର୍ମୀ ସୋନମ ଓ୍ୱାଙ୍ଗଚୁକ୍। ଯାହାକୁ ନେଇ ରାଜନୀତି ଘମାସାନ ହୋଇଛି। ଲଦାଖର ସାମ୍ୱିଧାନିକ ଅଧିକାର ଓ ପରିବେଶ ସଂରକ୍ଷଣ ପାଇଁ ପଦଯାତ୍ରା କରୁଥିବା ବିଶିଷ୍ଟ ପରିବେଶବିତ୍ ସୋନମଙ୍କ ସମେତ ୧୨୦ ଆନ୍ଦୋଳନକାରୀଙ୍କୁ ଦିଲ୍ଲୀ ପୁଲିସ ଦିଲ୍ଲୀ ସୀମାରୁ ହିଁ ହେପାଜତକୁ ନେଇଛି। ସୋମବାର ରାତିରେ ଦିଲ୍ଲୀ ସୀମାରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଆଧାରରେ ୧୬୩ ଧାରା ଲାଗୁ କରିଥିଲା। ସିନ୍ଧୁ ସୀମାରୁ ଏମାନଙ୍କୁ ଅଟକ ରଖିବା ନେଇ ରାହୁଲ, କେଜ୍ରିଓ୍ୱାଲଙ୍କ ଭଳି ବହୁ ନେତା ବିଷୋଦଗାର କରିଛନ୍ତି।

ପଦଯାତ୍ରାରେ ଆସୁଥିଲେ ଲେହରୁ ଦିଲ୍ଲୀକୁ। ପ୍ରମୁଖ ଦାବି ଥିଲା, ଲଦାଖର ସାମ୍ୱିଧାନିକ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା। ସମ୍ୱିଧାନର ଅନୁଛେଦ ୬ରେ ଲଦାଖକୁ ସାମିଲ୍ କର। ଯାହାଫଳରେ ସ୍ଥାନୀୟ ଲୋକେ ନିଜର ଜମି ସହ ସାଂସ୍କୃତିକ ସୁରକ୍ଷା ଓ ସଂରକ୍ଷଣ ପାଇଁ ଆଇନ ତିଆରି କରିବାକୁ ସକ୍ଷମ ହୋଇପାରିବେ। ପରିବେଶ ସନ୍ତୁଳନ ବଜାୟ ରହିବ। ଏଭଳି ଦାବିରେ ସାମାଜିକ କର୍ମୀ ତଥା ବିଶିଷ୍ଟ ପରିବେଶବିତ୍ ସୋନମ ଓ୍ୱାଙ୍ଗଚୁକ୍  ଦିଲ୍ଲୀ ଅଭିମୁଖେ ଆସୁଥିଲା ବେଳେ ଦିଲ୍ଲୀର ସିଙ୍ଘୁ ସୀମାରେ ତାଙ୍କ ସମେତ ୧୫୦ ପଦଯାତ୍ରୀଙ୍କୁ ପୁଲିସ ନିଜ ହେପାଜତକୁ ନେଇଛି। ପଦଯାତ୍ରାରେ ସାମିଲ୍ ଥିଲେ ବୟସ୍କ, ମହିଳା ଓ ଅବସରପ୍ରାପ୍ତ ସେନା ଅଧିକାରୀ। ବାପୁଙ୍କ ସମାଧି ଆଡ଼କୁ ଶାନ୍ତିପୂର୍ଣ୍ଣ ପଦଯାତ୍ରା ବେଳେ ପୁଲିସର ଏଭଳି କାମକୁ ନେଇ କ୍ଷୋଭ ଝାଡ଼ିଛନ୍ତି ଓ୍ୱାଙ୍ଗଚୁକ୍। ଦୁନିଆର ସବୁଠୁ ବଡ଼ ଗଣତନ୍ତ୍ର ରାଷ୍ଟ୍ରରେ ଏଭଳି ଆଚରଣ କେତେ ଗ୍ରହଣୀୟ ବୋଲି ଦୁଃଖପ୍ରକାଶ କରିଛନ୍ତି। ଅକାରଣରେ ଅଟକ ରଖିବାର ଅର୍ଥ କଅଣ।

ସେପ୍ଟେମ୍ୱର ପହିଲାରୁ ପଦଯାତ୍ରା ଆରମ୍ଭ ହୋଇଥିଲା। ସେପ୍ଟେମ୍ୱର ୧୪ରେ ହିମାଚଳପ୍ରଦେଶରେ ଓ୍ୱାଙ୍ଗଚୁକ୍ କହିଥିଲେ ଯେ, ୫ ବର୍ଷ ପୂର୍ବରୁ ସରକାର ଦେଇଥିବା ପ୍ରତିଶୃତିକୁ ମନେ ପକାଇଦେବାକୁ ଦିଲ୍ଲୀ ଯାଉଛୁ। ଏହି ମିଶନ ସେଥିଲାଗି ଉଦ୍ଦିଷ୍ଟ।ଓ୍ୱାଙ୍ଗଚୁକଙ୍କୁ ଦିଲ୍ଲୀ ପୁଲିସର ଅଟକ ରଖିବା ଘଟଣାକୁ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍। ଜଳବାୟୁ କାର୍ଯ୍ୟକର୍ତ୍ତା ସୋନମ ଓ ତାଙ୍କ ସମର୍ଥକଙ୍କୁ ସିଙ୍ଘୁ ସୀମାରୁ ପୁଲିସ ହେପାଜତକୁ ନେବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ। ଚାଷୀଙ୍କ ଭଳି ଏ ଚକ୍ରବ୍ୟୁହ ଓ ମୋଦିଙ୍କ ଅହଙ୍କାର ବି ଭାଙ୍ଗିବ। ଲଦାଖର ସ୍ୱର ଶୁଣିବାକୁ ପଡ଼ିବ। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏଭଳି ଆକ୍ସନକୁ ଭୁଲ୍ ବୋଲି ଅଭିହିତ କରିଛନ୍ତି। ଶାନ୍ତିପୂର୍ଣ୍ଣ ପଦଯାତ୍ରାକୁ ବି ସରକାରଙ୍କର ଏତେ ଡର କାହିଁକି। ସରକାର କେତେବେଳେ ଚାଷୀଙ୍କୁ ଦିଲ୍ଲୀ ଆସିବାକୁ ରୋକୁଛନ୍ତି ତ କେତେବେଳେ ଲଦାଖ ଲୋକଙ୍କୁ। ଦିଲ୍ଲୀ କଅଣ ଜଣେ ବ୍ୟକ୍ତିର ସମ୍ପତ୍ତି କି। ଦିଲ୍ଲୀ ଦେଶର ରାଜଧାନୀ। ସମସ୍ତଙ୍କୁ ଦିଲ୍ଲୀ ଆସିବାର ଅଧିକାର ଅଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ଭାଓ୍ୱନା ଥାନାକୁ ଯାଇ ଓ୍ୱାଙ୍ଗଚୁକ ଓ ତାଙ୍କ ସମର୍ଥକଙ୍କୁ ଭେଟିଛନ୍ତି। ସୋମବାର ରାତିରୁ ଏଭଳି ଥାନାରେ ଅଟକ ବେଆଇନ ବୋଲି କହିଛନ୍ତି ଅତିଶୀ। ଏକଛତ୍ରବାଦ କହିବା ସହ ଲଦାଖକୁ ଗଣତାନ୍ତ୍ରିକ ଅଧିକାର ଦେବା ଲାଗି ସତ୍ୟାଗ୍ରହୀ ସ୍ୱର ଉଠାଇବା କଅଣ ବେଆଇନ କି। ଅଖିଳେଶ ଯାଦବ କହିଛନ୍ତି, ଯଦି ସୀମାନ୍ତ ଲୋକଙ୍କ ସ୍ୱର କେନ୍ଦ୍ର ଶୁଣିବନି, ତା ହେଲେ ସରକାରଙ୍କୁ ରାଜନୈତିକ କାଲ ବୋଲି ବିବେଚନା କରାଯିବ।

ଲଦାଖର ପାହାଡ଼ର ସ୍ଥିତି, ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ଲେହରେ ୯ ଦିନ ଧରି ଉପବାସ କରିଥିଲେ ସୋନମ। ମାର୍ଚ୍ଚରେ ୨୧ ଦିନ ଧରି ଆମରଣ ଅନଶନରେ ବସିଥିଲେ।ଅଗଷ୍ଟ ୨୦୧୯ରେ ଧାରା ୩୭୦କୁ ନିରସ୍ତ୍ର ପରେ ଜମ୍ମୁକଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ଜମ୍ମୁକଶ୍ମୀର ଓ ଲଦାଖରେ ବିଭାଜିତ କରିଦିଆଯାଇଥିଲା। ଦିଲ୍ଲୀ ଚାଲ ପଦଯାତ୍ରାର ଆୟୋଜକ ଲେହ ଆପେକ୍ସ ବଡ଼ି ବା ଲାବ୍‌ ଦ୍ୱାରା ହୋଇଛି। ଯିଏ କାର୍ଗିଲ ଡେମୋକ୍ରାଟିକ ଆଲାଏନ୍ସ ବା କେଡ଼ିଏ ସହ ସଂଯୁକ୍ତ ଭାବେ ୪ ବର୍ଷ ହେଲା ଆନ୍ଦୋଳନ ଜାରି ରଖିଛନ୍ତି। ୨୦୧୯ ପରଠୁ ଲଦାଖକୁ ଷଷ୍ଠ ଅନୁଛେଦରେ ସାମିଲ କରି ରାଜ୍ୟର ମାନ୍ୟତା ଦେବାକୁ ଦାବି ହୋଇଆସୁଛି। ମାଗାସେସ୍ ପୁରଷ୍କାର ବିଜେତା ସୋନମ ଓ୍ୱାଙ୍ଗଚୁକ୍ ଏହି ଆନ୍ଦୋଳନର ନେତୃତ୍ୱ ନେଇଆସିଛନ୍ତି। ଓ୍ୱାଙ୍ଗଚୁକ୍ କହିଆସୁଛନ୍ତି, ଏଯାଏ କେନ୍ଦ୍ର ସରକାର ଏସବୁ ଦାବି ଉପରେ କୌଣସି ଠୋସ୍ ନିଷ୍ପତ୍ତି ନ ନେଇ ଝୁଲାଇ ରଖିଛନ୍ତି। ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ସମ୍ୱିଧାନର ଷଷ୍ଠ ଅନୁଛେଦରେ ସାମିଲ, ଲଦାଖ ପାଇଁ ଲୋକସେବା ଆୟୋଗ ଗଠନ ସହ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ, ଲେହ ଓ କାର୍ଗିଲ ଜିଲ୍ଲା ପାଇଁ ଅଲଗା ଅଲଗା ଲୋକସଭା ସିଟ୍ ଘୋଷଣା ଆଦି ପ୍ରମୁ଼୍ଖ ଦାବି ରହିଛି। ସେପଟେ ଏଭଳି ବେଆଇନ ଅଟକ ବିରୁଦ୍ଧରେ କେଡିଏ, ଏବିଲ ପ୍ରମୁଖ ସଂଗଠନ ଲେହ ଓ କାର୍ଗିଲରେ ବନ୍ଦ ଡାକରା ଦେଇଥିଲା।

ସୋମବାର ରାତିରେ ଦିଲ୍ଲୀ ସୀମାରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଆଧାରରେ ୧୬୩ ଧାରା ଲାଗୁ କରିଛି ପୁଲିସ। ଏହା ବଳରେ ୫ରୁ ଅଧିକ ଲୋକ ଏକାଠି ଜମା ହୋଇପାରିବେନି। ଏହି ନିଷେଧାଦେଶ ଅକ୍ଟୋବର ୫ଯାଏ ବଳବତ୍ତର ରହିବ। ଅବଶ୍ୟ ପୁଲିସ ପଦଯାତ୍ରାରେ ସାମିଲ କୌଣସି ମହିଳାଙ୍କୁ ହେପାଜତକୁ ନେଇନି। ୭ଶହ କିଲୋମିଟର ପଦଯାତ୍ରା କରି ଦିଲ୍ଲୀ ସୀମାରେ ପହଞ୍ଚିଲେ ସତ। କିନ୍ତୁ ଦିଲ୍ଲୀରେ ପ୍ରବେଶ କରିପାରିଲାନି ଓ୍ୱାଙ୍ଗଚୁକଙ୍କ ପଦଯାତ୍ରା। ସୋନମ ଷ୍ଟୁଡେଣ୍ଟସ ଏଜୁକେସନାଲ ଆଣ୍ଡ କଲଚରାଲ ମୁଭମେଣ୍ଟ ଅଫ ଲଦାଖ ବା ଏସଇସିଏମଓଏଲର ସଂସ୍ଥାପକ ତଥା ନିର୍ଦେଶକ ଅଟନ୍ତି। ମେକାନିକାଲ ଇଞ୍ଜିନିୟର ଓ୍ୱାଙ୍ଗଚୁକ୍ ୩୦ବର୍ଷରୁ ଅଧିକ ସମୟ ଧରି ଶିକ୍ଷାରେ ସୁଧାର କ୍ଷେତ୍ରରେ କାମ କରିଆସୁଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *