ଆମେଥିରେ ଗଣହତ୍ୟା ; ଗୋଟିଏ ପରିବାରକୁ ମୂଳପୋଛ କରିଦେଲେ ଦୁର୍ବୃତ୍ତ

ଆମେଥିରେ ଗଣହତ୍ୟା। ଜଣେ ସରକାରୀ ଶିକ୍ଷକ ଓ ତାଙ୍କ ପରିବାରକୁ ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଭଡ଼ା ଘରେ ରହୁଥିବା ସରକାରୀ ଶିକ୍ଷକ ସୁନୀଲ, ତାଙ୍କ ପତ୍ନୀ ପୁନମ, ୬ ବର୍ଷର ଝିଅ ଦୃଷ୍ଟି ଓ ବର୍ଷକର ଝିଅକୁ ଗୁଳି କରି ହତ୍ୟା କରିଛନ୍ତି ହତ୍ୟାକାରୀ। ଏହି ଘଟଣା ବ୍ୟାପକ ପୁଲିସ ବଳର ଉପସ୍ଥିତିରେ ଘଟିଛି। କାରଣ ଅଞ୍ଚଳରେ ମେଳା ଲାଗିଛି। ମେଳାକୁ ହଜାର ହଜାର ଲୋକ ଆସିଥିଲେ। ଗୁରୁବାର ରାତିରେ ଆମେଥି ଜିଲ୍ଲାର ଅହୋରବା ଭବାନୀ ଅଞ୍ଚଳରେ ଅଜ୍ଞାତ ଦୁର୍ବୃତ୍ତ ସୁନୀଲଙ୍କ ପୁରା ପରିବାରକୁ ମୂଳପୋଛ କରିଦେଲେ। ଏସପିଙ୍କ କହିବା କଥା, ସୁନୀଲ ରାଏବରେଲିର ମୂଳବାସିନ୍ଦା। ପନୌହନାର ଏକ ସରକାରୀ ସ୍କୁଲରେ ଶିକ୍ଷକ ଥିଲେ। ଘରେ ପଶି ଅଜ୍ଞାତ ଦୁର୍ବୃତ୍ତ ପୁରା ପରିବାରକୁ ହତ୍ୟା କରିବା ପରେ ଫେରାର୍ ହୋଇଯାଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଗଷ୍ଟ ୧୮ରେ ପରିବାର ଲୋକେ ଚନ୍ଦନ ବର୍ମା ନାମକ ବ୍ୟକ୍ତି ବିରୁଦ୍ଧରେ ଏସସି ଏସଟି ଆକ୍ଟରେ ଏତଲା ଦେଇଥିଲେ। ସୁନୀଲ ନିଜ ଏତଲାରେ ଏହା ବି ଉଲ୍ଲେଖ କରିଥିଲେ ଯେ, ତାଙ୍କର କି ତାଙ୍କ ପରିବାରର କିଛି ଅଘଟଣ ହେଲେ, ସେଥିଲାଗି ଚନ୍ଦନ ବର୍ମା ଦାୟୀ ରହିବେ। ସେଥିଲାଗି ହତ୍ୟା ପଛରେ ଚନ୍ଦନଙ୍କ କୌଣସି ସଂପୃକ୍ତି ଅଛି କି ନାହିଁ, ତଦନ୍ତ ହେଉଛି।

ଘର ଭିତରୁ ଗୁଳିର ଶବ୍ଦ ଶୁଣି ପଡ଼ୋଶୀ ଧାଇଁ ଆସିଥିଲେ। କିନ୍ତୁ ପରିବାରର ସମସ୍ତେ ମରିସାରିଥିଲେ। ପୁଲିସ ଘଟଣାର ତଦନ୍ତ ଲାଗି ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ହତ୍ୟାକାରୀଙ୍କୁ ଚିହ୍ନଟ ଲାଗି ଏରିଆରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ ଚାଲିଛି। ଡିଜି କହିଛନ୍ତି, ଆକ୍ରମଣକାରୀ ମୃତକଙ୍କ ପରିଚିତି ମନେ ହେଉଛି। ଫରେନସିକ୍ ଯାଞ୍ଚରୁ ଜଣାପଡ଼ିଛି, ଘରେ ପଶିବାକୁ କୌଣସି ବଳପୂର୍ବକ ଉଦ୍ୟମ ହୋଇଥିବାର ସଙ୍କେତ ମିଳିନି। ଚିହ୍ନା ପରିଚୟ ହୋଇଥିବାରୁ ଘରେ ଅନାୟାସରେ ପଶିପାରିଥିଲେ ଦୁର୍ବୃତ୍ତ। ପାଦରେ ଚାଲିଚାଲି ଆସିଥିଲେ। ଆଉ ହତ୍ୟା କରିବା ପରେ ବାଇକରେ ଫେରାର୍ ହୋଇଗଲେ। ୩ ଜଣ ଦୁର୍ବୃତ୍ତ ଆସିଥିଲେ। ଘଟଣାସ୍ଥଳରୁ ୯ଟି ଫୁଟା ଗୁଳି ଜବତ ହୋଇଛି।

ଆମେଥିରେ ହୋଇଥିବା ଏହି ଗଣହତ୍ୟାକୁ ନିନ୍ଦା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଘଟଣାରେ ଲିପ୍ତ ଦୋଷୀଙ୍କୁ କୌଣସି ପରିସ୍ଥିତିରେ ବି ଛଡ଼ାଯିବନି। ସେମାନଙ୍କ ଉପରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି, ରାଜ୍ୟର ଆଇନକାନୁନ ବ୍ୟବସ୍ଥା ଭୁଷୁଡ଼ିପଡିଲାଣି। ଜଣେ ଦଳିତ ପରିବାରର ଚାରି ଜଣଙ୍କୁ ନିର୍ମମ ହତ୍ୟା ଘଟଣା ଅତ୍ୟନ୍ତ ଦୁଃଖଦାୟକ ଓ ଚିନ୍ତାଜନକ। ସରକାର ଉଭୟ ଦୋଷୀ ଓ କର୍ତ୍ତବ୍ୟରେ ଅବହେଳା କରିଥିବା ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ବିଏସପି ସୁପ୍ରିମୋ ମାୟାବତୀ କହିଛନ୍ତି, କେବଳ ଦୋଷୀଙ୍କ ବିରୁଦ୍ଧରେ ନୁହେଁ, କର୍ତ୍ତବ୍ୟରେ ଅବହେଳା କରିଥିବା ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ସୁନୀଲଙ୍କ ବାପା କହିଛନ୍ତି, ଦୋଷୀଙ୍କୁ ତୁରନ୍ତ ଧରି ସେମାନଙ୍କୁ ବି ଗୁଳି କରାଯାଉ। ରୋଜଗାରିଆ ପୁଅ ଓ ତାହାର ପରିବାରକୁ ହରାଇ ଭାଙ୍ଗିପଡ଼ିଛନ୍ତି ପରିବାର। ମୃତକଙ୍କ ଶବ ସୁଦାମାପୁରରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାରକୁ ସାନ୍ତ୍ୱନା ଦେବାକୁ ପହଞ୍ଚିଥିଲେ ଆମେଥି ସାଂସଦ କିଶୋରୀଲାଲ୍ ଶର୍ମା। ଆଜାଦ ଅଧିକାର ସେନା କହିଛି, ତୁରନ୍ତ ଡିଜିଙ୍କୁ ପଦରୁ ହଟାନ୍ତୁ ସରକାର।

ଶବ ବ୍ୟବଛେଦ ପରେ ସ୍ପଷ୍ଟ ହୋଇଛି କି, ସାତ ରାଉଣ୍ଡ ଗୁଳି ଚଳାଇଥିଲେ ହତ୍ୟାକାରୀ। ସୁନୀଲଙ୍କୁ କେବଳ ତିନୋଟି ଗୁଳି ଲାଗିଛି। ପତ୍ନୀଙ୍କୁ ଦୁଇଟି ଓ ଦୁ଼୍ଇ ପିଲାଙ୍କୁ ଗୋଟିଏ ଗୋଟିଏ ଗୁଳି ବାଜିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *