ଭାରତର ପୂର୍ବତନ ର ଅଧିକାରୀଙ୍କୁ ମୋଷ୍ଟ ଓ୍ୱାଣ୍ଟେଡ୍ ଭାବେ ଘୋଷଣା କଲା ଆମେରିକା

ଭାରତର ପୂର୍ବତନ ର ଅଧିକାରୀଙ୍କୁ ମୋଷ୍ଟ ଓ୍ୱାଣ୍ଟେଡ୍ ଭାବେ ଘୋଷଣା କଲା ଆମେରିକା। ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ୱନ୍ତ ସିଂ ପନ୍ନୁଙ୍କ ହତ୍ୟା ଷଡ଼ଯନ୍ତ୍ରକାରୀ ଭାବେ ପୂର୍ବତନ ର ଅଧିକାରୀ ବିକାଶ ଯାଦବଙ୍କୁ ମୋଷ୍ଟ ଓ୍ୱାଣ୍ଟେଡ୍ ଘୋଷଣା କରିଛି ଆମେରିକା। ପୂର୍ବରୁ ବିକାଶ ଯାଦବଙ୍କୁ ଦିଲ୍ଲୀ ପୁଲିସର ସ୍ପେଶିଆଲ ସେଲ୍ ଗିରଫ କରିଥିଲା। ୪ ମାସ ହେଲା ତିହାଡ଼ ଜେଲରେ ରହିବା ପରେ ଚଳିତ ବର୍ଷ ଏପ୍ରିଲରେ ଜାମିନରେ ମୁକୁଳିଥିଲେ ବିକାଶ।

ଭାରତର ପୂର୍ବତନ ର ଅଧିକାରୀ ବିକାଶ ଯାଦବ ଆମେରିକାର ମୋଷ୍ଟ ଓ୍ୱାଣ୍ଟେଡ୍। ହତ୍ୟା ଷଡଯନ୍ତ୍ର ଓ ମନି ଲଣ୍ଡରିଂର ଗମ୍ଭୀର ଆରୋପ ଲଦି ଆମେରିକା ବିକାଶଙ୍କୁ ମୋଷ୍ଟ ଓ୍ୱାଣ୍ଟେଡ୍ ଅପରାଧୀ ଭାବେ ଶୁକ୍ରବାର ଘୋଷଣା କରିଛି ଏଫବିଆଇ। ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ୱନ୍ତ ସିଂ ପନ୍ନୁଙ୍କ ହତ୍ୟା ଷଡ଼ଯନ୍ତ୍ରକାରୀ ଭାବେ ବିକାଶଙ୍କୁ ଦାୟୀ କରିଛି ଆମେରିକା। ଆମେରିକାର ଜଷ୍ଟିସ ଡିପାର୍ଟମେଣ୍ଟ ବିକାଶ ଯାଦବଙ୍କ ବିରୁଦ୍ଧରେ ଅପରାଧିକ ଷଡ଼ଯନ୍ତ୍ରର ଆରୋପ ଲଦିଛି ଗୁରୁବାର। ସେପଟେ ଭାରତର ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି, ବିକାଶ ଯାଦବ ଭାରତ ସରକାରଙ୍କ କର୍ମଚାରୀ ଆଉ ନାହାନ୍ତି। ବିକାଶଙ୍କ ସହ ଭାରତର କୌଣସି ଲେନଦେନ ନାହିଁ। ଦିଲ୍ଲୀ ପୁଲିସର ସ୍ପେଶିଆଲ ସେଲ୍ ବିକାଶଙ୍କୁ ଗିରଫ କରିଥିଲା। ୪ ମାସ ହେଲା ତିହାଡ଼ ଜେଲରେ ରହିବା ପରେ ଚଳିତ ବର୍ଷ ଏପ୍ରିଲରେ ଜାମିନରେ ମୁକୁଳିଥିଲେ ବିକାଶ। ୩୯ ବର୍ଷୀୟ ବିକାଶଙ୍କୁ କ୍ୟାବିନେଟ୍ ସେକ୍ରେଟାରିଏଟ୍ ବିଦେଶ ସେବା ଲାଗି ଚୟନ କରିଥିଲା। ଡିସେମ୍ୱର ୧୮, ୨୦୨୩ରେ ଦିଲ୍ଲୀର ସ୍ପେଶିଆଲ ସେଲ ରୋହିଣୀର ଜଣେ ବ୍ୟକ୍ତିଙ୍କ ଏତଲା କ୍ରମେ ବିକାଶଙ୍କୁ ଗିରଫ କରିଥିଲା। ବିକାଶଙ୍କ ଉପରେ ଅପହରଣ, ଦାଦାବଟି ଅସୁଲି ଓ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସହ ସମ୍ପର୍କର ଆରୋପ ରହିଛି।

ଆମେରିକା ଏଫବିଆଇ ଆରୋପ ଲଗାଇଛି କି, ଜୁନ୍ ୨୦୨୩ରେ ବିକାଶ ଯାଦବ ନିଖିଲ ଗୁପ୍ତାଙ୍କ ସହ ମିଶି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁଙ୍କ ହତ୍ୟାର ଷଡ଼ଯନ୍ତ୍ର କରିଥିଲେ। ଏହି ଅଜ୍ଞାତ ବ୍ୟକ୍ତିଙ୍କୁ ଏଫବିଆଇ ଖୋଜୁଥିଲା। ଯିଏ ଏହି କାମ କରିବାକୁ ୧ଲକ୍ଷ ଆମେରିକୀୟ ଡଲାର ଦାବି କରିଥିଲା। ଜୁନ୍ ୨୦୨୩ରେ ଅଗ୍ରୀମ ଆକାରରେ ୧୫ହଜାର ଡଲାର ନେଇଥିଲା। ଏହି ଘଟଣା ସେତେବେଳେ ହୋଇଥିଲା, ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଥିଲେ। ରାଷ୍ଟ୍ରପତି ଜୋ ବାଇଡେନ୍ ମୋଦିଙ୍କୁ ଜନ୍ ୨୨ରେ ଐତିହାସିକ ରାଜକୀୟ ଯାତ୍ରାକୁ ଆମନ୍ତ୍ରଣ କରିଥିଲେ। ଅଭିଯୋଗ ଅନୁସାରେ ନିଖିଲ ଗୁପ୍ତା ଓ ଅନ୍ୟ ସୁପାରୀ କିଲରଙ୍କ ଜରିଆରେ ପନ୍ନୁଙ୍କୁ ହତ୍ୟା ଲାଗି ସେହିଦିନ କିମ୍ୱା ତା ପୂର୍ବରୁ କରିବାକୁ କହିନଥିଲା ବିକାଶ ଯାଦବ। ଆଉ ଏହି ଷଡ଼ଯନ୍ତ୍ର ଓ ଅବଧି ଭିତରେ ସେପଟେ କାନାଡ଼ାରେ ଅନ୍ୟତମ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ହୋଇଥିଲା। ଆଉ ଏହି ଦୁଇ ମାମଲାରେ ବିକାଶଙ୍କ ସଂପୃକ୍ତିକୁ ଯୋଡ଼ାଯାଉଛି। ନିଖିଲ ଗୁପ୍ତାଙ୍କୁ ଗଲା ବର୍ଷ ଚେକ୍ ଗଣରାଜ୍ୟରୁ ଗିରଫ କରାଯାଇଥିଲା। ପ୍ରତ୍ୟର୍ପଣ ପରେ ଏବେ ନିଖିଲ ଆମେରିକା ଜେଲରେ ବନ୍ଦୀ ଅଛନ୍ତି। ଆରମ୍ଭରୁ ବିକାଶ ସିସି-ଓ୍ୱାନ୍ ନାଁରେ ଜଣାଥିଲେ। ଆମେରିକାର ନାଗରିକଙ୍କୁ ଟାର୍ଗେଟ କରୁଥିବା କୌଣସି ତତ୍ତ୍ୱକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ଆଟର୍ଣ୍ଣି ଜେନେରାଲ ମେରିକ ବି।

ଏଫବିଆଇ ବିକାଶଙ୍କ ୩ଟି ଫଟୋ ସହ ମୋଷ୍ଟଓ୍ୱାଣ୍ଟେଡ୍ ପୋଷ୍ଟର ଜାରି କରିଛି। ବିକାଶଙ୍କୁ ଗିରଫର ଓ୍ୱାରେଣ୍ଟ ଅକ୍ଟୋବର ୧୦ରେ ଜାରି କରାଯାଇଛି। ପନ୍ନୁ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ ସରିଲାଣି। ଏଥିରେ ଅଭିଯୁକ୍ତ ନିଖିଲ ଗୁପ୍ତା ଆମେରିକା ଜେଲରେ ଥିଲା ବେଳେ ବିକାଶ ଯାଦବଙ୍କୁ ଭାରତରେ ଗିରଫ କରାଯାଇଛି। ବିକାଶ ପୂର୍ବରୁ କେନ୍ଦ୍ରୀୟ ରିଜର୍ଭ ପୁଲିସରେ କାମ କରୁଥିଲେ। ଓ୍ୱାର୍‌ ଏକ୍ସପର୍ଟ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପରିଚାଳନାରେ ଅଧିକାରୀ ସ୍ତରରେ ତାଲିମ ନେଇଛନ୍ତି ବିକାଶ। ବିକାଶ ଭାରତରେ ରହି ପନ୍ନୁଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବାର ଆରୋପ ଲଦିଛି ଆମେରିକା। ତେବେ ଏହି ମାମଲାରେ ଆମେରିକାକୁ ସହଯୋଗ କରିବାକୁ ଭାରତର ଏକ ତଦନ୍ତକାରୀ ଟିମ୍ ଆମେରିକା ଗସ୍ତ କରିଛି। ଭାରତର ଏଭଳି ସହଯୋଗକୁ ପ୍ରଶଂସା କରିଛି ଆମେରିକା। ଗୁରୁପତଓ୍ୱନ୍ତ ସିଂ ପନ୍ନୁଙ୍କୁ ଭାରତ ଆତଙ୍କବାଦୀ ଭାବେ ଘୋଷଣା କରିଛି। ଯାହାଙ୍କ ପାଖରେ ଆମେରିକାର ନାଗରିକତ୍ୱ ଅଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *