ଆଲିଗଡ଼ ମୁସଲିମ ୟୁନିଭରସିଟିର ସଂଖ୍ୟାଲଘୁ ଷ୍ଟାଟସକୁ କାଏମ ରଖିଲେ ସର୍ବୋଚ୍ଚ ଅଦାଲତ

ସୁପ୍ରିମକୋର୍ଟର ବଡ଼ ନିଷ୍ପତ୍ତି। ଆଲିଗଡ଼ ମୁସଲିମ ୟୁନିଭରସିଟିର ସଂଖ୍ୟାଲଘୁ ଷ୍ଟାଟସକୁ କାଏମ ରଖିଲେ ସର୍ବୋଚ୍ଚ ଅଦାଲତ। ସମ୍ୱିଧାନର ଅନୁଛେଦ ୩୦ ଅନୁସାରେ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଭାବେ ଏହା ବିବେଚିତ ହୋଇପାରିବ ବୋଲି ୭ଜଣିଆ ଖଣ୍ଡପୀଠ ରାୟ ଦେଇଛନ୍ତି। ୪-୩ ବହୁମତରେ ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ୧୯୬୭ରେ ନିଜେ ଦେଇଥିବା ନିଷ୍ପତ୍ତିକୁ ବଦଳାଇଦେଇଛନ୍ତି ସୁପ୍ରିମକୋର୍ଟ। ତେବେ ସଂଖ୍ୟାଲଘୁ ଷ୍ଟାଟସ ବଜାୟ ରହିବ ନା ନାହିଁ, ଏହାର ନିଷ୍ପତ୍ତି ନିୟମିତ ପୀଠ କରିବ।

ଆଲିଗଡ଼ ମୁସଲିମ ୟୁନିଭରସିଟିର ସଂଖ୍ୟାଲଘୁ ଷ୍ଟାଟସ କାଏମ ରହିବ। ସୁପ୍ରିମକୋର୍ଟର ୭ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ୪ ବିଚାରପତି ଏଥିରେ ସହମତ ହୋଇଥିଲା ବେଳେ ୩ ବିଚାରପତି ଅସହମତ ହୋଇଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜେବି ପର୍ଦ୍ଦିଓ୍ୱାଲା ଓ ମନୋଜ ମିଶ୍ରା ଏହାକୁ ସମର୍ଥନ କରିଥିଲେ। ସମ୍ୱିଧାନର ଅନୁଛେଦ ୩୦ ଆଧାରରେ ଆଲିଗଡ଼ ମୁସଲିମ ୟୁନିଭରସିଟିକୁ ସଂଖ୍ୟାଲଘୁ ସଂସ୍ଥା ଭାବେ ସ୍ୱୀକୃତି କାଏମ ରହିପାରିବ ବୋଲି କହିଛନ୍ତି ଏହି ୪ ବିଚାରପତି। ଆଉ ୩ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଦୀପାଙ୍କର ଦତ୍ତା ଓ ସତୀଶ ଚନ୍ଦ୍ର ଶର୍ମା ବିପରୀତ ରାୟ ଦେଇଥିଲେ। ୨୦୦୬ରେ ଆହ୍ଲାବାଦ ହାଇକୋର୍ଟ ନିଜ ନିଷ୍ପତ୍ତିରେ ଆଲିଗଡ଼ ମୁସଲିମ ୟୁନିଭରସିଟିକୁ ଅଳ୍ପସଂଖ୍ୟକ ଶିକ୍ଷାନୁଷ୍ଠାନ ବୋଲି ମାନି ନଥିଲେ। ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସବୁ ପକ୍ଷର ଯୁକ୍ତି ଶୁଣିବା ପରେ ଫେବୃଆରୀ ୧ରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ରାୟ ଶୁଣାଇବା ପରେ ୩ ଜଣିଆ ଖଣ୍ଡପୀଠକୁ ନିୟମିତ ଶୁଣାଣୀ ଲାଗି ପଠାଇ ଦିଆଯାଇଛି। ଅଳ୍ପସଂଖ୍ୟକ ମାନ୍ୟତା ପାଇଁ ନୂଆ ମାନଦଣ୍ଡ ବି ନିର୍ଧାରିତ କରିଛନ୍ତି କୋର୍ଟ।

୨୦୧୯ରେ ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠରୁ ଏହି ମାମଲାକୁ ବୃହତ୍ତର ଖଣ୍ଡପୀଠକୁ ପଠାଇ ଦିଆଯାଇଥିଲା। ଶୁଣାଣୀ ବେଳେ ପ୍ରଶ୍ନ ଉଠିଥିଲା ଯେ, କୌଣସି ବିଶ୍ୱବିଦ୍ୟାଳୟ, ଯାହାର ପ୍ରଶାସନକୁ ସରକାର ନିୟନ୍ତ୍ରଣ କରିଥାଆନ୍ତି। ତାକୁ କଅଣ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନର ମାନ୍ୟତା ଦିଆଯାଇପାରିବ। ୧୯୬୭ରେ ଅଜିଜ୍ ବାସା ବନାମ ଭାରତ ଗଣରାଜ୍ୟ ମାମଲାରେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ବି ଆଲିଗଡ଼ ମୁସଲିମ ୟୁନିଭରସିଟିର ଅଳ୍ପସଂଖ୍ୟକ ମାନ୍ୟତାକୁ ଖାରଜ କରିଦେଇଥିଲେ। ଅବଶ୍ୟ ୧୯୮୧ରେ ସରକାର ଏଏମୟୁ ଆକ୍ଟରେ ସଂଶୋଧନ କରି ବିଶ୍ୱବିଦ୍ୟାଳୟକୁ ସଂଖ୍ୟାଲଘୁ ମାନ୍ୟତା ପୁଣି ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏବେକାର ନିଷ୍ପତ୍ତିରୁ ସ୍ପଷ୍ଟ ଯେ, ସୁପ୍ରିମକୋର୍ଟ ୧୯୬୭ରେ ଦେଇଥିବା ରାୟକୁ ବଦଳାଇଦେଲେ। ପ୍ରଧାନ ବିଚାରପତି କହିଛନ୍ତି, ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଧର୍ମନିରପେକ୍ଷ ଶିକ୍ଷା ଉପରେ ଜୋର୍ ଦେଇପାରିବେ। ଏହା ଲାଗି ପ୍ରଶାସନରେ ସଂଖ୍ୟାଲଘୁ ସଦସ୍ୟ ରହିବା ଜରୁରୀ ନୁହେଁ। ତେବେ ଏହି ବିଶ୍ୱବିଦ୍ୟାଳୟର ସ୍ଥାପନା ଓ ପରିଚାଳନା ଧାର୍ମିକ ଭିତ୍ତିରେ ନା ଭାଷାଭିତ୍ତିରେ କୌଣସି ସଂଖ୍ୟାଲଘୁ ବର୍ଗ ଦ୍ୱାରା କରାଯାଇଥିଲା, ତାକୁ ଦେଖିବା ଜରୁରୀ। କିନ୍ତୁ ସଂଖ୍ୟାଲଘୁ ମାନ୍ୟତା ଏହି କାରଣରୁ ହରାଇବା କଥା କହିବା ଅନୁଚିତ୍ ହେବ। ୟୁନିଭରସିଟି ସୁପ୍ରିମକୋର୍ଟଙ୍କ ଏହି ରାୟକୁ ସ୍ୱାଗତ କରିବା ସହ ୟୁନିଭରସିଟି କ୍ୟାମ୍ପସରେ ସେଲିବ୍ରେସନ କରିଛନ୍ତି ଛାତ୍ରଛାତ୍ରୀ।

୧୮୭୫ରେ ସର ସୟେଦ୍ ଅହମଦ ଖାନଙ୍କ ଦ୍ୱାରା ଏଏମୟୁ ପ୍ରତିଷ୍ଠା ହୋଇଥିଲା। ମୁସଲିମ ବର୍ଗର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ମୁଖ୍ୟ ଆଭିମୁଖ୍ୟ ଥିଲା। ଏଠାରେ ଇସଲାମିକ୍ ମୂଲ୍ୟବୋଧ ସହ ଆଧୁନିକ ଜ୍ଞାନକୌଶଳ ହାସଲ କରିବା ପ୍ରମୁ଼୍ଖ ଉଦ୍ଦେଶ୍ୟ ଥିଲା। ଭାରତର ପ୍ରଥମ ମୁସଲିମ ୟୁନିଭରସିଟି ଭାବେ ୧୯୨୦ରେ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିଲା।  ଏଠାରେ ଏବେ ୩୭ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ନସିରୁଦ୍ଦିନ ଶାହା, ଜାଭେଦ ଅଖତାର, ମହମ୍ମଦ ହମିଦ ଅନସାରୀ, ଲିକାୟତ ଅଲ୍ଲୀ ଖାନ, କୁଲଭୂଷଣ ଖରଓ୍ୱନ୍ଦାଙ୍କ ଭଳି ଅନେକ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ୱ ଏହି ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *