ଅମଳ ସମୟରେ ଅଦିନିଆ ବର୍ଷା ,ମୁଣ୍ଡରେ ହାତ ଦେଇ ବସିଲେଣି ଚାଷୀ

ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ। ଅମଳ ସମୟରେ ଏହି ଅଦିନିଆ ବର୍ଷାରେ ଧାନ ଭିଜୁଛି। ଏଭଳି ସ୍ଥିତିରେ ବିନା କଟନି ଛଟନିରେ ଏଫଏକ୍ୱୁ ମାନର ଧାନ କେମିତି ବିକିବେ, ତାକୁ ନେଇ ଘାରିଛି ଟେନସନ। ଏହାକୁ ନେଇ ବିଧାନସଭାରେ ବି ଉଠିଛି ସ୍ୱର। ଶାସକ ଓ ବିରୋଧୀଙ୍କ ମିଳିତ ଉଦବେଗ ଦେଖାଦେଇଛି। ଆଉ ଗ୍ରାଉଣ୍ଡରେ ଚାଷୀଙ୍କ ସ୍ଥିତି ନ କହିଲେ ନସରେ।

ଅମଳ ସମୟରେ ଅଦିନିଆ ବର୍ଷା। ଚାଷୀଙ୍କ ଚିନ୍ତା ବଢ଼ାଇ ସାରିଲାଣି। ମୁଣ୍ଡରେ ହାତ ଦେଇ ବସିଲେଣି ଧାନ ଚାଷୀ। ଝିପି ଝିପି ବର୍ଷାରେ ଭିଜୁଛି ଧାନ। ଧାନ ଭିଜି ଗଜା ହେବାକୁ ବସିଲାଣି। ଏଭଳି ସ୍ଥିତିରେ ବିନା କଟନିଛଟନିରେ କେମିତି ଧାନ ବିକାଯିବ। କ୍ଷେତ ଓ ଖଳାରେ ପଡ଼ିଛି ଧାନ। ନଭେମ୍ୱର ୨୦ରୁ ବରଗଡ଼ ଜିଲ୍ଲାରେ ମାର୍କେଟୟାର୍ଡ ଖୋଲିଲାଣି। ହେଲେ ଟୋକନ ସମସ୍ୟାରେ ସନ୍ତୁଳିତ ଚାଷୀଙ୍କ ଉପରେ ଦାଉ ସାଧିଲାଣି ଅଦିନିଆ ବର୍ଷା। ଚାଷୀ ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ସମାଧାନ ଲାଗି ଦାବି କରିଛନ୍ତି। କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଧାନର ସୁନାର ଫସଲକୁ ଉଜାଡ଼ିଲାଣି। ଚାଷୀଙ୍କୁ ବି ତର ନାହିଁ। କେଉଁଠି ଧାନର କଳେଇକୁ ଗଦାମାରି ରଖୁଛନ୍ତି ନ କିଏ ଘରକୁ ବୋହିବାରେ ଲାଗିଛି। ପୁଣି ଆଗକୁ ୮ ତାରିଖ ବେଳକୁ ଆଉ ଏକ ଲଘୁଚାପ ଆସୁଥିବା ଜାଣି ଚାଷୀଙ୍କ ଚିନ୍ତା ବଢ଼ିସାରିଲାଣି। ଏଭଳି ସ୍ଥିତିରେ ଋଣ ଛାଡ଼ ସହ ଏଫଏକ୍ୟୁ ମାନର ଧାନ ପରୀକ୍ଷଣ ବେଳେ ଚାଷୀଙ୍କୁ କେମିତି ରିହାତି ମିଳିବ, ସେ ନେଇ ପ୍ରଶାସନକୁ ଗୁହାରି ହୋଇଛନ୍ତି ଚାଷୀକୂଳ।

ଅଦିନିଆ ବର୍ଷାରୁ ଏଥରର ଧାନ ନଷ୍ଟ ହେବାକୁ ବସିଛି। ଧାନର ରଙ୍ଗ ବି ବଦଳିବାର ଆଶଙ୍କା ବଢ଼ିଛି। ଉପକୂଳ ଜିଲ୍ଲାରେ ଧାନ ମଣ୍ଡି ଖୋଲିବାକୁ ଆଉ ସମୟ ଥିଲା ବେଳେ ଅସାଧୁ ବେପାରୀ ଏଭଳି ଅଦିନିଆ ବର୍ଷାରୁ ଚାଷୀଙ୍କଠୁ ଫାଏଦା ନେବାକୁ ଚାହିଁ ବସିଛନ୍ତି। କ୍ୱିଣ୍ଟାଲ ପିଛା ୧୭ଶହରୁ ୧୮ଶହରେ ବିକିଦିଅ କହି ଭୟଭୀତ କରାଉଛନ୍ତି। ପଛରେ ଏମିତି ଧାନକୁ ଏତେ ଟଙ୍କାରେ କେହି ନେବେନି କହି ଚାଷୀଙ୍କୁ ବାଧ୍ୟ କରୁଛନ୍ତି କମ୍ ଦରରେ ବିକିଦେବାକୁ। ଆଉ କିଛି ଚାଷୀ ବି ଦଲାଲଙ୍କ ଏଭଳି କଥାରେ ପଡ଼ି ବାଧ୍ୟ ହୋଇ ବିକିବାକୁ ଆଗେଇ ଆସୁଛନ୍ତି।

ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତି ପ୍ରସଙ୍ଗ ଉଠିଛି ବିଧାନସଭାରେ। ଧାନରେ ଆର୍ଦ୍ରତା ଲାଗି ଧାନ ରଙ୍ଗ ପରିବର୍ତ୍ତନ ହୋଇଛି। ଯାହାକି ଏଫଏକ୍ୟୁ ମାନକୁ ପୂରଣ କରିବନି। ସେଥିଲାଗି ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନିଅନ୍ତୁ କହି ଉଭୟ ଶାସକ ଓ ବିରୋଧୀ ସଭ୍ୟ ଦାବି କରିଛନ୍ତି।

ଅଦିନିଆ ବର୍ଷା କାଳ କରିଛି ଚାଷୀଙ୍କ ସୁନାର ଫସଲକୁ। ସରକାର ଏ ଦିଗରେ ଠୋସ୍ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଚାଷୀକୂଳ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *