ବିବାହ ଭୋଜିରେ ବରଯାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ଛାତ୍ର

ବିବାହ ଭୋଜିରେ ବିନା ନିମନ୍ତ୍ରଣରେ ପଶିଥିଲେ। ବାରଣ କରିବାରୁ ସଂଘବଦ୍ଧ ଆକ୍ରମଣ କଲେ ବରଯାତ୍ରୀଙ୍କୁ। ଏମିତି ଅଭାବନୀୟ ଘଟଣା ଆସିଛି ଲକ୍ଷ୍ନୌରୁ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଛାତ୍ରଙ୍କ ଉନ୍ମତ୍ତକାଣ୍ଡରେ ଛିନଛତ୍ର ହୋଇଯାଇଥିଲେ ବରଯାତ୍ରୀ। ୟୁନିଭରସିଟିର ନିକଟବର୍ତ୍ତୀ ରାମାଧୀନ ସିଂ କଲେଜକୁ ଆସିଥିଲା ବରଯାତ୍ରୀ। ଘଟଣାକୁ ନେଇ ଥାନାରେ ଏତଲା ଦେବା ପରେ ପୁଲିସ ଆରମ୍ଭ କରିଛି ଛାନଭିନ୍।

ବିବାହ ଭୋଜି ଖାଇବାକୁ ବିନା ନିମନ୍ତ୍ରଣରେ ପଶିଥିଲେ। ଏହାକୁ ରୋକିବାରୁ ଘଟିଥିଲା ତୁମୁଳକାଣ୍ଡ। ଲକ୍ଷ୍ନୌ ୟୁନିଭରସିଟିର ହଷ୍ଚେଲ ଛାତ୍ର ସଂଘବଦ୍ଧ ହୋଇ ବରଯାତ୍ରୀଙ୍କ ଉପରେ କରିଛନ୍ତି ସଂଘବଦ୍ଧ ଆକ୍ରମଣ। କେବଳ ମାଡ଼ପିଟରେ ସୀମିତ ରହିଲାନି ଆକ୍ରମଣ। ପଥର, ଗୁଳିମାଡ଼ ସହ ବୋମା ପିଙ୍ଗିବା ଯାଏ କଥା ବଢ଼ିଥିଲା। କ୍ଷଣିକ ଭିତରେ ବରଯାତ୍ରୀଙ୍କ ଉଲ୍ଲାସ ହିଂସାର ମାହୋଲରେ ବଦଳିଯାଇଥିଲା। ଆକ୍ରମଣକାରୀଙ୍କ କବଳରୁ ମହିଳା ମାନେ ବି ବାଦ୍ ପଡ଼ିନଥିଲେ। ଉପଦ୍ରବୀଙ୍କ ଅଭଦ୍ରତା ଚରମସୀମାରେ ପହଞ୍ଚିଥିଲା ବୋଲି ଆରୋପ ଆସିଛି।

ଆଇଟି ଛକରୁ ରାମାଧୀନ ଇଣ୍ଟର କଲେଜ ଯାଏ ପ୍ରାୟ ଘଣ୍ଟାଏ ଧରି ଚାଲିଥିଲା ହଙ୍ଗାମା। ଖାଇବା କାଉଣ୍ଟରଙ୍କୁ ଓଲଟାଇଦେଇଥିଲେ ଆକ୍ରମଣକାରୀ। ଗୁଳିମାଡ଼ରେ ୪ଜଣ ଆହତ ବି ହୋଇଛନ୍ତି। ଉପଦ୍ରବୀଙ୍କ ଉତ୍ପାତ ଏତେ ଥିଲା ଯେ, ଲୁଟପାଟରୁ ନେଇ ଅତିଥିଙ୍କୁ ଅସମ୍ମାନ କରିବାକୁ ପଛାଇନଥିଲେ। ଆଗ କିଛି ଛାତ୍ର ବିବାହ ଭୋଜି ଖାଇବାକୁ ପଶିଥିଲେ। ସେମାନେ ଅତିଥି ନୁହଁନ୍ତି ଜାଣି ଆୟୋଜକ ଖାଇବାକୁ ବାରଣ କରିବାରୁ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ଏଥିରେ ରାଗି ହଷ୍ଚେଲରେ ଥିବା ଶତାଧିକ ଛାତ୍ରଙ୍କୁ ଘଟଣାସ୍ଥଳକୁ ଡାକିଥିଲେ ଅପମାନିତ ବୋଧ କରିଥିବା କିଛି ଛାତ୍ର। ଆଉ ମେଳି ହେବା ପରେ ପରିସ୍ଥିତି ବିଗିଡ଼ିଥିଲା। ଛାତ୍ରଙ୍କ ହଙ୍ଗାମା ପରେ ବିବାହରେ ସାମିଲ ହୋଇଥିବା ଅତିଥି ଜୀବନ ବିକଳରେ ଦୌଡ଼ିବାକୁ ଲାଗିଥିଲେ। ଏପରିକି ରାସ୍ତାରେ ଯାଉଥିବା ସାଧାରଣ ଲୋକ ବି ଆକ୍ରମଣକାରୀଙ୍କ ଆକ୍ରମଣରୁ ବାଦ୍ ପଡିନଥିଲେ। ବରଯାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ଆକ୍ରମଣକାରୀ। ବର ପିତା ଓ ଭାଇ ପାଲଟା ଛାତ୍ରଙ୍କ ଉପରେ ଗୁଳିମାଡ଼ ଓ ବୋମା ପିଙ୍ଗିବା ଭଳି ଆରୋପ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *