ଏକ ପରିତ୍ୟକ୍ତ ଘରର କଂକ୍ରିଟ ଝରକା କାନ୍ଥ ପଡ଼ି ଗୋଟିଏ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଶିଶୁ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ହାଟପଦା ସାହିର ଲକ୍ଷ୍ମଣ ଗୌଡ଼ ଙ୍କ ୧୨ ବର୍ଷ ପୁଅ ମହେଶ ଗୌଡ଼। ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ହାଟପଦା ସାହିର ଦୁଇ ଶିଶୁ ୧୨ ବର୍ଷର ମହେଶ ଗୌଡ ଓ ୧୦ ବର୍ଷର ଝିଅ ଉମା ଜାନି ଶୌଚ ହେବାକୁ ଯାଉଛି କହି ବୁଧବାର ସକାଳ ୫ ଟା ବେଳେ ଘରୁ ବାହାରିଥିଲେ। ତେବେ ଦୁହେଁ ଡାବୁଗାଁ କୃଷି କାର୍ଯ୍ୟାଳୟ ସମ୍ମୁଖ ରେ ଥିବା ଏକ ନିଛାଟିଆ ପରିତ୍ୟକ୍ତ ଗୃହ ମଧ୍ୟକୁ କୌଣସି କାରଣରୁ ଯାଇଥିଲେ। ହଠାତ୍ ପରିତ୍ୟକ୍ତ ଗୃହ ମଧ୍ୟରେ ଥିବା ଏକ କଂକ୍ରିଟ ଝରକା କାନ୍ଥ ଦୁଇ ଶିଶୁ ଙ୍କ ଉପରେ ପଡିବାରୁ ଉଭୟ କାନ୍ଥ ତଳେ ଚାପି ହୋଇ ଯାଇଥିଲେ। ମହେଶ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଉମା ଜାନି ଚାପି ହୋଇ ଆକୁଳ ଚିତ୍କାର କରିଥିଲେ। ତେବେ ଏହି ଘରଟି ପରିତ୍ୟକ୍ତ ନିଛାଟିଆ ସ୍ଥାନରେ ଥିବାରୁ ଶିଶୁ ଟି ର ଚିତ୍କାର କେହି ଶୁଣି ପାରି ନ ଥିଲେ। ଶେଷରେ ସକାଳ ୭ ଟା ସମୟରେ ଆଖ ପାଖ ଅଞ୍ଚଳର ଲୋକେ ଯାଇ ଦେଖିବା ବେଳକୁ ଏଭଳି ଘଟଣା ଘଟିଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଶିଶୁ ଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ଶିଶୁ ମହେଶ ଗୌଡ଼ କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଶିଶୁ ଉମା ଜାନିର ଡାହାଣ ଗୋଡରେ ପ୍ରବଳ ଆଘାତ ଲାଗି ଥିବାରୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି। ଶୌଚ ପାଇଁ ଯାଇ ପୁଅର ଏଭଳି ଅକସ୍ମାତ ମୃତ୍ୟୁ ପରିବାର ଲୋକ ହତବାକ ହୋଇ ଯାଇଥିବା ବେଳେ ପୁରା ଗାଁରେ ଶୋକର ଚାୟା ଖେଳି ଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now