ଆଳୁ ସଂକଟକୁ ନେଇ ବାରମ୍ୱାର ବଙ୍ଗର ବ୍ଲାକମେଲିଂ ସହିବୁନି। ପର୍ଯ୍ୟାପ୍ତ ପରିମାଣର ଆଳୁ ଉତ୍ପାଦନ ହେବ। ଏହାର ସଂରକ୍ଷଣ ଲାଗି ଶୀତଳଭଣ୍ଡାର ବି ହେବ। ଆଉ ସଂରକ୍ଷଣ ହେଲେ ହିଁ ବଜାର ସୃଷ୍ଟି ହେବ। ନା ଆଳୁ ସଂକଟ ରହିବ ନା କଳାବଜାରୀ ବଢ଼ିବ। ଆଳୁ ସଂକଟ ପାଇଁ ଅତୀତ ସରକାର ହିଁ ଦାୟୀ କହି ବିଧାନସଭାର ପ୍ରଶ୍ନକାଳରେ କୃଷିମନ୍ତ୍ରୀ କେଭି ସିଂଦେଓ ଆଜି ବର୍ଷିଛନ୍ତି। ଶୀତଳ ଭଣ୍ଡାର ଅତ୍ୟଧିକ ବିଜୁଳି ଦର ଲାଗି ବନ୍ଦ ହୋଇନି। ବରଂ ଅନେକ ଚିଟ୍ଫଣ୍ଡ କମ୍ପାନୀକୁ ଶୀତଳଭଣ୍ଡାର ଟେକିଦେଇଥିଲେ ନବୀନ ସରକାର। ଯାହାକୁ ଚିଟ୍ଫଣ୍ଡ କମ୍ପାନୀ ବନ୍ଧକ ରଖିବାରୁ ଶୀତଳଭଣ୍ଡାର ବନ୍ଦ ହୋଇଗଲା। ଆଳୁ ମିଶନ ଫେଲ୍ ମାରିଗଲା। ମୋହନ ସରକାର ୫୮ ବ୍ଲକରେ ୫୮ଟି ଶୀତଳଭଣ୍ଡାର ପିପିପି ଓ ହାଇବ୍ରିଡ୍ ମୋଡରେ କରିବାକୁ ଯାଉଛନ୍ତି। ଚଳିତ ରବି ଋତୁରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଗଲା ସରକାର ନଭେମ୍ୱର ପ୍ରଥମ ସପ୍ତାହ ସୁଦ୍ଧା ବିହନ ବାଣ୍ଟିବା ବଦଳରେ ଜାନୁଆରୀରେ ବାଣ୍ଟିଥିଲେ। ସେଥିଲାଗି ଚାଷୀ ବ୍ୟବହାର କରିପାରିନଥିଲେ। ଏଥର ସରକାର ୧ଲକ୍ଷ୩୭ହଜାର ୨୩୦ କୁଇଣ୍ଟାଲ ବିହନ ବାଣ୍ଟି ସାରିଲେଣି। ଖୁବ୍ ଶୀଘ୍ର ଓଡ଼ିଶା ନିଜେ ଗୁଣାତ୍ମକ ବିହନ ଉତ୍ପାଦନ କରି ଚାଷୀଙ୍କୁ ଯୋଗାଇବ।
ପ୍ରଶ୍ନକାଳରେ ଦଳମତ ନିର୍ବିଶେଷରେ ଆଳୁ ସଙ୍କଟକୁ ଟାଳିବା ନେଇ ଅନେକ ପରାମର୍ଶ ସହ କଟାକ୍ଷ କରିଥିଲେ ସରକାରଙ୍କୁ। ୟୁପିରୁ ଆଳୁ ଆସିବା ସତ୍ତ୍ୱେ ଏହା ସୁଆଦିଆ ନଥିବାରୁ ବଙ୍ଗ ଆଳୁକୁ ଅଧିକ ପସନ୍ଦ କରୁଛନ୍ତି ଲୋକେ ବୋଲି କହିଥିଲେ ସିଦ୍ଧାନ୍ତ ମହାପାତ୍ର। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଥିଲେ ଯେ, ଚାଷୀଙ୍କୁ ଆର୍ଥିକ ସ୍ୱାବଲମ୍ୱୀ ଦିଗରେ ସରକାର କି ପଦକ୍ଷେପ ନେଇଛନ୍ତି। ବିଜେଡି ବିଧାୟକ ଗଣେଶ୍ୱର ବେହେରା ଓ ପ୍ରତାପ ଦେବ କହିଥିଲେ ଯେ, ଅତ୍ୟଧିକ ବିଜୁଳି ଦରରୁ ଶୀତଳଭଣ୍ଡାର ଲାଗି ମୁହଁ ମୋଡ଼ିଥିଲେ ଅନେକ ସଂସ୍ଥା ଓ ବ୍ୟକ୍ତି। ଗଲା ସରକାର ବିଜୁଳି ଦର ୟୁନିଟ ପିଛା ୭ଟଙ୍କା୨୦ରୁ ୪ଟଙ୍କା୨୦କୁ କମାଇଦେଇଥିଲେ।
ଆଳୁ ସଙ୍କଟ ଏଯାଏ ଟଳିନି। ଆଳୁ ଯୋଗାଣ ସ୍ୱାଭାବିକ ହୋଇସାରିଛି ବୋଲି ସରକାର କହୁଥିବା ସତ୍ତ୍ୱେ ଆଳୁ ଦର ଖସୁନି। ଏବେ ବି ୪୦ରୁ ୪୫ରେ ବିକୁଛନ୍ତି ବେପାରୀ। ଲୋକେ ବି କିଣିବାକୁ ବାଧ୍ୟ ହେଉଛନ୍ତି। ବଙ୍ଗ ସହ ବିବାଦ, ଆଳୁ ଉତ୍ପାଦନ ଓ ସଂରକ୍ଷଣ ଆତ୍ମନିର୍ଭରଶୀଳତାରେ ପଛୁଆ ଥିବାରୁ ଭୋଗୁଛି ଓଡ଼ିଶା।
Naxatra News is now on Whatsapp
Join and get latest news update delivered to you via whatsapp
Join Now