ଲାପତା ପାର୍ଟ-ଟୁ

ଓସ୍କାର ଲାଗି ଅଫିସିଆଲ ଏଣ୍ଟ୍ରି ପାଇଥିବା ବହୁ ଚର୍ଚ୍ଚିତ ଫିଲ୍ମ ଲାପତା ଲେଜିଡ୍ ଆପଣ ତ ଦେଖିଥିବେ। କିନ୍ତୁ ଲାପତା ଲେଡିଜ୍ ଷ୍ଟୋରୀରେ ସମାଜକୁ ଭିନ୍ନଢଙ୍ଗରେ ସକରାତ୍ମକ ବାର୍ତ୍ତା ଦେବାକୁ ପ୍ରୟାସ ହୋଇଥିଲା। ଇଛା ବିରୁଦ୍ଧରେ ଜଣଙ୍କ ବିବାହ କରାଇଦେବା, ଆଉ ଉଚ୍ଚଶିକ୍ଷା ଲାଭ କରିବାକୁ ପଣ କରିଥିବା ଝିଅଟି କେମିତି ତା ସହ ଦ୍ୱିତୀୟ ବିବାହ କରିଥିବା ଜଣେ ଅହଙ୍କାରୀ ଓ ଯୌତୁକଲୋଭୀ ବ୍ୟକ୍ତି କବଳରୁ ଟ୍ରେନରେ କୌଶଳକ୍ରମେ ଖସିଆସୁଛି। କିନ୍ତୁ ଲକ୍ଷ ଲକ୍ଷ ଟଙ୍କାର ଗହଣା ଓ ଟଙ୍କା ଧରି ଫେରାର୍ ହୋଇଯାଇଛି କହି ତା ମୁଣ୍ଡରେ ଅପବାଦ ବି ଲାଗିଥିଲା। ଆଉ ଶେଷରେ ବହୁ ବାଧାବିଘ୍ନକୁ ଏଡ଼ାଇ ଝିଅଟି ଶେଷରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସଫଳ ହେଉଛି। ଆଗ ଫିଲ୍ମର ବିଷୟବସ୍ତୁ ଦେଖିଲେ ଲାଗୁଥିଲା ଯେମିତି ଟ୍ରେନରେ ନବବଧୂ ଅଦଳବଦଳ ଅଜାଣତରେ ହୋଇଯାଇଛି। ହେଲେ ବିହାରର କିଶନଗଞ୍ଜରୁ ଆସିଥିବା ଲାପତା ଷ୍ଟୋରୀ ପୁରା ଭିନ୍ନ। ଡାକ୍ତରକୁ ଦେଖାଇବା ବାହାନାରେ ଜାଣିଶୁଣି କନ୍ୟା ଲାପତା ହୋଇଗଲା। ବିଜେପି ନେତା ରାକେଶ ଗୁପ୍ତାଙ୍କ ପତ୍ନୀ ଇଶା ମୋଦକଙ୍କ ବାସ୍ତବରେ ଲାପତା ପଛରେ ତାଙ୍କର ଲୁଟ୍ ଅଭିସନ୍ଧି ଥିବା ଅଭିଯୋଗ ହୋଇଛି। ପୁରା ଘଟଣା କୌଣସି ଫିଲ୍ମରୁ କିଛି କମ୍ ନୁହେଁ। ଏପ୍ରିଲ ୨୦୨୪ରେ ଇଶା ରାକେଶଙ୍କ ସହ କୋର୍ଟ ବିବାହ କରିଥିଲେ। ଏହା ପରେ ମନ୍ଦିରରେ ବି ବୈଦିକ ରୀତିରେ ବିବାହ ଅନୁଷ୍ଠିତ ହୋଇଥିଲା। କିନ୍ତୁ ବିବାହର କିଛି ମାସ ପରେ ଲକ୍ଷ ଲକ୍ଷ ଟଙ୍କା ଓ ଗହଣା ସହ ଚମ୍ପଟ ମାରିଛନ୍ତି ଇଶା। ଥାନାରେ ଏତଲା ଅନୁସାରେ, ଇଶା ଓ ତାଙ୍କ ପରିବାରକୁ ୩୦ରୁ ୩୫ଲକ୍ଷ ଟଙ୍କା ଦେଇଥିଲେ ରାକେଶ। ଡିସେମ୍ୱର ୬ରେ ସିଲିଗୁଡ଼ି ଡାକ୍ତରଙ୍କୁ ଭେଟିବାକୁ କହି ଯାଇଥିବା ଇଶା ଆଉ ଫେରିଲେନି। ପଶ୍ଚିମବଙ୍ଗର ଜଣେ ଯୁବକ ସହ ଦ୍ୱିତୀୟ ବିବାହ କରିଛନ୍ତି। ଇଶା ଦ୍ୱିତୀୟ ବିବାହ କରିଥିବାର ଭିଡ଼ିଓ ବି ଜୋରଦାର ଭାଇରାଲ ହେଉଛି। ଶୁଣନ୍ତୁ ପୁରା ଘଟଣାକ୍ରମ ଅଭିଯୋଗକାରୀଙ୍କ ମୁହଁରୁ…

ବିବାହ ପରଠୁ ଅଧିକାଂଶ ସମୟ ନିଜ ମାଆ ଘରେ ରହୁଥିଲେ ଇଶା। ବିବାହର କିଛି ଦିନ ପରେ ଟିଣଛପର ଘରେ ଝିଅ ରହିବନି। ତାଙ୍କ ଲାଗି ପକ୍କା ଘର କଲେ ଯାଇ ଝିଅ ଯିବ ବୋଲି କୁଆଡ଼େ କହିଥିଲେ ଇଶାଙ୍କ ମାଆ। ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରି ଇଶାଙ୍କ ମାଆ କହିଛନ୍ତି, ରାକେଶ ଓ ଇଶାଙ୍କ ଭିତରେ ମୂଳରୁ ବିବାହ ହିଁ ହୋଇନି। କେବଳ ନିର୍ବନ୍ଧ ହୋଇଥିଲା।

ପୁଲିସକୁ ବିବାହ ସନ୍ଦର୍ଭରେ କିଛି ଫଟୋ ଓ ଭିଡ଼ିଓ ରାକେଶ ଦେଇଛନ୍ତି। ପୁଲିସ ଇଶା ଓ ତାଙ୍କ ପରିବାରକୁ ଠାବ କରିବାକୁ ଚେଷ୍ଟା ଚଳାଇଛି। ସତରେ ରାକେଶଙ୍କୁ ଚୂନ ଲଗାଇଛନ୍ତି ଇଶା ନା ଏହା ପଛରେ ଆଉ କୌଣସି ଚାପ କି ଅଭିସନ୍ଧି ରହିଛି, ତାହାର ଖୋଳତାଡ଼ କରୁଛି ପୁଲିସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *