ଭାରତ-ଚୀନ ଭିତରେ ସୀମାକୁ ନେଇ ଲାଗିଥିବା ତିକ୍ତତା ଦୂର ହେବ। ଏ ନେଇ ଆସନ୍ତା ଦୁଇ ଦିନ ଧରି ସୀମାରେ ବିଶେଷ ପ୍ରତିନିଧିସ୍ତରରେ ବୈଠକ ହେବାକୁ ଯାଉଛି। ଡିସେମ୍ୱର ୧୭ ଓ ୧୮ରେ ଏହି ବୈଠକ ବସିବ। ଏହି ଅବସରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନର ବିଦେଶ ମନ୍ତ୍ରୀ ଓ୍ୱାଙ୍ଗ ୟିଙ୍କ ସହ ଚର୍ଚ୍ଚା କରିବେ। ଚୀନ୍ ଗସ୍ତରେ ବାହାରିବେ ଡୋଭାଲ୍। ଦୁଇ ଦେଶ ମଧ୍ୟରେ ଲମ୍ୱା ସମୟ ଧରି ସୀମା ବିବାଦର ସମାଧାନ ପାଇଁ ବଡ଼ ପଦକ୍ଷେପ ନେବାର ଆଶା ରହିଛି। ଦୁଇ ଦେଶ ଭିତରେ ପ୍ରତିନିଧିସ୍ତରୀୟ ଆଲୋଚନା ଡିସେମ୍ୱର ୨୦୧୯ରେ ଶେଷ ଥର ପାଇଁ ହୋଇଥିଲା। ଏଲଏସି ମୁଦ୍ଦାକୁ ନେଇ ବ୍ୟାପକ ବୁଝାମଣା ଓ ଦୀର୍ଘକାଳୀନ ସମାଧାନର ରୂପରେଖ ପ୍ରସ୍ତୁତ ଲାଗି ଏଥରର ବୈଠକ ବେଶ୍ ମାଏନା ରଖୁଛି।
ଜୁନ ୨୦୨୦ରେ ଗଲଓ୍ୱାନ ସଂଘର୍ଷ ପରେ ଏଭଳି ବୈଠକ ପ୍ରଥମ ଥର ବସିବାକୁ ଯାଉଛି। ଦ୍ୱିପାକ୍ଷିକ ସମ୍ପର୍କ ବେଶ୍ ଗୁରୁତର ପ୍ରଭାବିତ ହୋଇସାରିଛି। ଏହି ଉଚ୍ଚସ୍ତରୀୟ ବୈଠକର ନିଷ୍କର୍ସ ପରେ କମାଣ୍ଡରସ୍ତରୀୟ ବାର୍ତ୍ତାଳାପ କରି ସମାଧାନର ବାଟ ବାହାର କରିବାକୁ ଯୋଜନା ହୋଇଛି। ଏହି ବୈଠକର ଏଜେଣ୍ଡା ନିକଟରେ ଦିଲ୍ଲୀରେ ଆୟୋଜିତ ଓ୍ୱାର୍କିଂ ମେକାନିଜିମ୍ ଫର କନସଲଟେସନ ଆଣ୍ଡ କୋର୍ଡିନେସନ ବା ଡବ୍ଲୁଏମସିସି ବୈଠକରେ ଆପୋଷ ସହମତିରେ ସ୍ଥିର ହୋଇଛି। ସ୍ଥାୟୀ ସମାଧାନର ବାଟ ଉଭୟ ଦେଶ ମିଳିତ ଭାବେ ବସି ବାହାର କରିବେ। ଏଲଏସିରେ ପାଟ୍ରୋଲିଂକୁ ନେଇ ଗଲା ଅକ୍ଟୋବରରେ ବଡ଼ ବୁଝାମଣା ହୋଇଥିଲା। ବୁଝାମଣା ଅନୁସାରେ ଏଲଏସିରେ ଗଲଓ୍ୱାନ ସଂଘର୍ଷ ପୂର୍ବରୁ ଯେମିତି ସ୍ଥିତି ଥିଲା, ସେ ଅବସ୍ଥା ଫେରିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now