ଓଡ଼ିଶାର ରାଜ୍ୟପାଳ ହେଲେ ହରିବାବୁ କମ୍ଭମପତି

ବଦଳିଲେ ଓଡ଼ିଶାର ରାଜ୍ୟପାଳ। ରଘୁବର ଦାସଙ୍କୁ ହଟାଇ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି। ହରିବାବୁ ମିଜୋରାମର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିଲେ। ରଘୁବରଙ୍କୁ ଅତର୍କିତ ବଦଳାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ଷମତା କରିଡ଼ରରେ ଚର୍ଚ୍ଚାର ବିଷୟ ସାଜିଛି। ରଘୁବରଙ୍କୁ ଇସ୍ତଫା ଦେବାକୁ ମଙ୍ଗଳବାର ସଂଧ୍ୟାରୁ କେନ୍ଦ୍ର ଜଣାଇଦେବା ପରେ ଝାଡ଼ଖଣ୍ଡ ଗସ୍ତ ବାତିଲ୍ କରି ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ଦେଇଥିଲେ। ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ୍ ସରକାର ଥିବାରୁ ରଘୁବର ରାଜ୍ୟପାଳ ଭାବେ ପୁରା କାର୍ଯ୍ୟକାଳ ପୂରଣ କରିବେ ବୋଲି ଆଶା ଥିଲା। ଓଡ଼ିଶାରେ ବିଜେପି ସରକାର ୬ ମାସ ପୂରଣ କରିଥିଲା ବେଳେ ରଘୁବରଙ୍କ କାର୍ଯ୍ୟକାଳ ଆହୁରି ୪ ବର୍ଷରୁ ଅଧିକ ଥିଲା। ତେବେ ହଟାଇବା ପଛରେ ଅନେକ କାରଣ ଥିବା କୁହାଯାଉଛି। ବିଶେଷ କରି ଏଏସଓଙ୍କୁ ମାଡ଼ ମାରିବା ଘଟଣାରେ ବିବାଦୀୟ ହୋଇପଡ଼ିଥିଲେ ରଘୁବରଙ୍କ ପୁଅ। ବିରୋଧୀ ଦଳ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଦେଇଥିଲା। ପୁଅ ପାଇଁ ପଦ ଚାଲିଗଲା ବୋଲି ଅନେକ ଚର୍ଚ୍ଚା। ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣକୁ ହିନ୍ଦୀରେ ପଢ଼ିଥିବାରୁ ଏହାକୁ ବିରୋଧ କରି ବିରୋଧୀ କକ୍ଷତ୍ୟାଗ କରିଥିଲେ। ସମୀକ୍ଷକଙ୍କ ମତରେ ଏହା ସହ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଚିଠା ପ୍ରସ୍ତାବ, ବିଧାୟକଙ୍କ ବେତନ ଓ ପେନସନ ବୃଦ୍ଧି ସଂକ୍ରାନ୍ତ ବିଧେୟକକୁ ଶୀତକାଳୀନ ଅଧିବେଶନରେ ପାରିତ କରିବାକୁ ଚାହୁଁଥିଲେ ସରକାର। କିନ୍ତୁ ସ୍ୱୀକୃତି ଦେଇନଥିଲେ ରାଜ୍ୟପାଳ। ଏସବୁ ଘଟଣାକ୍ରମକୁ ନେଇ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ଭିତରେ ଦୂରତା ବଢ଼ୁଥିବା ଖବର କେନ୍ଦ୍ର ନଜରକୁ ଆସିଥିଲା। ଝାଡ଼ଖଣ୍ଡ ନିର୍ବାଚନରେ ବିଜେପିର ବିପର୍ଯ୍ୟୟ ଲାଗି ବି ରଘୁବରଙ୍କୁ କେଉଁଠି ନା କେଉଁଠି ଦାୟୀ କରାଯାଉଛି। ସେପଟେ ନବନିଯୁକ୍ତ ରାଜ୍ୟପାଳ ହରିବାବୁ କହିଛନ୍ତି, ସେ ଓଡ଼ିଶାର ବିକାଶ ପାଇଁ କାମ କରିବେ।

ବିରୋଧୀ ଦଳର କହିବା କଥା, ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ଘଟଣାରେ ସରକାର କିଛି କଲେନି। ନିନ୍ଦିତ ସତ୍ତ୍ୱେ ନୀରବ ରହିଲେ। ରାଜଭବନର ଗାରିମା ନଷ୍ଟ କରିଥିଲେ ରଘୁବର। ରାଜଭବନକୁ ଇଲେକ୍ସନ ଓ୍ୱାରରୁମରେ ପରିଣତ କରିଦେଇଥିଲେ ରଘୁବର। ଏସବୁ ବିବାଦକୁ ଆଉ କେତେଦିନ ଚାପି ରଖିଥାଆନ୍ତେ ସରକାର। ସେଥିଲାଗି ଅତର୍କିତ ବଦଳି କରି ଡବଲ ଇଞ୍ଜିନ ସରକାର ନିଜର ଭାବମୂର୍ତ୍ତି ଏହି ଢଙ୍ଗରେ ସୁରକ୍ଷିତ ରଖିବାକୁ କେବଳ ପ୍ରୟାସ କରିଛି। ରଘୁବରଙ୍କୁ ଆଉ କୌଣସି ନୂଆ ନିଯୁକ୍ତି ବି ମିଳିନି।ଶାସକ ଦଳ କହିଛି, ଏହା ଏକ ଚିରାଚରିତ କଥା। କେବଳ ଓଡ଼ିଶା ରାଜ୍ୟପାଳ ବଦଳିନାହାନ୍ତି। ଓଡ଼ିଶା ସମେତ ୫ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଛି।

ରାଜ୍ୟପାଳ ହରିବାବୁ ଛାତ୍ରନେତା ଭାବେ ୧୯୭୨, ଜୟ ଆନ୍ଧ୍ର ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ଜୟପ୍ରକାଶ ନାରାୟଣଙ୍କ ଲୋକ ସଂଘର୍ଷ ସମିତିରେ ଯୋଗ ଦେଇ ୧୯୭୪-୭୫ ମିସା ଆଇନରେ ଗିରଫ ହୋଇ ୬ ମାସ ଜେଲରେ ବନ୍ଦୀ ଥିଲେ। ୧୯୯୧ରୁ ୯୩ ବିଜେପି ଆନ୍ଧ୍ରପ୍ରଦେଶର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ୧୯୯୩ରୁ ୨୦୦୩ ବିଜେପି ଆନ୍ଧ୍ରପ୍ରଦେଶ ରାଜ୍ୟ ସାଧାରଣ ସମ୍ପାଦକ, ୨୦୦୩-୨୦୦୪ ଆନ୍ଧ୍ର ବିଧାନସଭାରେ ବିଜେପି ବିଧାୟକ ଦଳ ନେତା, ୨୦୦୫ରେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ, ୨୦୧୪ରୁ ୨୦୧୮ ବିଜେପି ରାଜ୍ୟ ସଭାପତି ଥିଲେ। ୨୦୨୧ରୁ ୨୦୨୪ ଯାଏ ମିଜୋରାମ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *