ବାଇକରେ ଯାଉଥିଲେ। ଝିଅକୁ ସ୍କୁଲରୁ ଛାଡ଼ି ଘରକୁ ଫେରୁଥିଲେ। ବାଟରେ ମୁଣ୍ଡ ଗଣ୍ଡି ଅଲଗା କରିଦେଲେ ଦୁର୍ବୃତ୍ତ। ରାଜଧାନୀରେ ସକାଳୁ ସକାଳୁ ଘଟିଛି ଏମିତି ଚାଞ୍ଚଲ୍ୟକର ଘଟଣା। ବିଚରାସ୍ତାରେ ଗୋଡ଼େଇ ଗୋଡ଼େଇ ହାଣିଲେ। ବାଣୀବିହାର ଓଭରବ୍ରିଜ୍ ପାଖରେ ରସୁଲଗଡ଼ ଛକରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡରେ ଥରହର ହୋଇଛି ରାଜଧାନୀ। ବ୍ରାଉନସୁଗାର ବେପାରକୁ ବିରୋଧ କରୁଥିଲେ ଯୁବକ। ସେଥିଲାଗି ରାସ୍ତାରୁ ସବୁଦିନ ଲାଗି ହଟାଇଦେବାକୁ ଚକ୍ରାନ୍ତ କରୁଥିଲେ। ମୃତକଙ୍କ ପତ୍ନୀ ହତ୍ୟାକାରୀଙ୍କ ନାଁ କହିଛନ୍ତି। ସଞ୍ଜୟ, ରମା, ପିଲୁ ଓ ସୁଶେଇ ସହ ୪ରୁ ୫ ଜଣ ମିଶି ତାକୁ ମାରିବାକୁ ଛକିକି ଥିଲେ। ସଂସାର ଉଜାଡ଼ି ଦେଇଥିବା ଦୋଷୀଙ୍କୁ ତୁରନ୍ତ ଧରୁ ପୁଲିସ। ନଚେତ ଥାନା ଆଗରେ ଆତ୍ମହତ୍ୟା କରିବି ବୋଲି କହିଥିଲେ ପତ୍ନୀ। ମୃତକ ଥିଲେ ପୁଲିସ ମିତ୍ର ସହଦେବ ନାୟକ। ଓଡ଼ିଶା ସଫେଇ କର୍ମଚାରୀ ସଂଘର ନେତା ଥିଲେ ସହଦେବ।
ସେପଟେ ହତ୍ୟାକାଣ୍ଡ ନେଇ ଡିସିପି ପିନାକ ମିଶ୍ର କହିଛନ୍ତି, ୩ ଜଣଙ୍କୁ ଅଟକ ରଖାଯାଇଛି। ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ ହୋଇଛି। ହତ୍ୟାକାରୀ କେଦାରପଲ୍ଲୀ ଅଞ୍ଚଳର। ଅପରାଧ ପଛରେ ଥିବା କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚୁରା କରାଯାଇଛି। ପ୍ରାଥମିକ ତଦନ୍ତରୁ ପୂର୍ବ ଶତୃତାରୁ ହତ୍ୟା ହୋଇଥିବା ଜଣାପଡ଼ିଛି। ସଂପୃକ୍ତ ଯୁବକ ସେ ଅଞ୍ଚଳରେ ବେଶ୍ ନାଁ କରା ବ୍ୟକ୍ତିତ୍ୱ ଥିଲେ। ଘଟଣା ବେଶ୍ ଗମ୍ଭୀର। ପରିବାରକୁ ଯଥାସମ୍ଭବ ସାହାଯ୍ୟ କରାଯିବ। ଅତିଶୀଘ୍ର ଚାର୍ଜସିଟ ଫାଇଲ୍ ହେବ। ଦୋଷୀଙ୍କୁ କଡ଼ା ଦଣ୍ଡବିଧାନ ଲାଗି ପଦକ୍ଷେପ ନିଆଯିବ। ସମସ୍ତ ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ। ମେୟର ବି କାନ୍ଦି ପକାଇଛନ୍ତି। ଜଲଦି ଗିରଫ ସହ ଶାସ୍ତି ମିଳୁ ବୋଲି ଦାବି କରିଛନ୍ତି।
ପ୍ରବାସୀ ଭାରତୀୟ ସମ୍ମିଳନୀ ବେଳେ ଏଭଳି ଘଟଣାକୁ ନେଇ ରାଜନୀତି ବି ତେଜ୍ ହୋଇଛି। ବିଜେଡି କହିଛି, ସମ୍ମିଳନୀସ୍ଥଳର ୩ କିଲୋମିଟର ଦୂରରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ହେଲା। ରାତିରେ ପ୍ରଧାନମନ୍ତ୍ରୀ ଆସୁଛନ୍ତି। ହେଲେ ରାଜଧାନୀ ଅସୁରକ୍ଷିତ। ନୂଆ ସରକାରରେ ଆଇନଶୃଙ୍ଖଳା ଭୁଷୁଡ଼ିପଡ଼ିଛି। ବ୍ରାଉନସୁଗାର ବେପାରୀଙ୍କୁ ଧରପଗଡ଼ ଥମିଯାଇଛି। ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ। ଆଇନ ମନ୍ତ୍ରୀ କହିଛନ୍ତି, ଦୋଷୀକୁ ନିଶ୍ଚିତ ଧରାଯିବ। ଗଲା ୨୪ ବର୍ଷରେ ଅପରାଧ କରି ଦୋଷୀ ପଳାଉଥିଲେ। ପୁଲିସ ଧରିପାରୁନଥିଲା। କିନ୍ତୁ ମୋହନ ସରକାରରେ କୌଣସି ଅପରାଧୀ ଖସିପାରିବନି। ରାଜଧାନୀରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ପଛରେ ପୂର୍ବ ଶତୃତାକୁ ଦାୟୀ କରାଯାଉଛି। କିନ୍ତୁ ଏହି ଶତୃତା ପଛରେ କି ରହସ୍ୟ ରହିଛି, ତାକୁ ଓଗାଳିବ ପୁଲିସ।
Naxatra News is now on Whatsapp
Join and get latest news update delivered to you via whatsapp
Join Now