କର୍ତ୍ତବ୍ୟରତ ଡାକ୍ତରୀ ଛାତ୍ରୀଙ୍କୁ ଆକ୍ରମଣ ସହ ଲୁଟ ଉଦ୍ୟମ। ମେଡିକାଲ ଫାଟକ ସମ୍ମୁଖରେ ରାତିରେ ଦୁର୍ବୁତ୍ତମାନେ ଏଭଳି ଉଦ୍ୟମ କରିଥିବା ଅଭିଯୋଗ । ସୁରକ୍ଷା ଯୋଗାଇଦେବା ସହ କ୍ୟାମ୍ପସରେ ଅଲୋକୀକରଣ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି କନିଷ୍ଠ ଡାକ୍ତରୀ ସଂଘ। ଏହି ଘଟଣା ହେଉଛି ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜର। ଟିବି ଓ ଚେଷ୍ଟ ବିଭାଗର ଦ୍ବିତୀୟ ବର୍ଷ ପିଜି ଛାତ୍ରୀ ଜଣଙ୍କ ସୋମବାର ରାତି ସାଢେ ୮ଟା ବେଳେ ନିଜ କାର ଧରି ଔଷଧ କିଣିବାକୁ ବାହାରକୁ ଆସିଥିଲେ। ଔଷଧ କିଣି ଆସି ଗାଡ଼ି ଷ୍ଟାର୍ଟ କରୁଥିବା ବେଳେ ଜଣେ ଦୁର୍ବୃତ୍ତ ହଠାତ ତାଙ୍କ ନିକଟରେ ପହଞ୍ଚି ତାଙ୍କୁ କାରର ଅନ୍ୟ ସିଟ ଆଡକୁ ଠେଲି ଦେଇଥିଲେ। ଡାକ୍ତରାଣୀ ଜଣଙ୍କ ଦୁର୍ବୃତ୍ତଙ୍କ ପ୍ରତିବାଦ କରିବା ସହ ଜୋରରେ ଚିତ୍କାର କରିଥିଲେ। ରାସ୍ତାରେ ଯାଉଥିବା କେତେକ ବ୍ୟକ୍ତି ପହଞ୍ଚି ଯିବାରୁ ଦୁର୍ବୃତ୍ତ ଜଣଙ୍କ ଦୌଡି ପଳାଇଥିଲେ। ଲୁଟ୍ ଓ ଆକ୍ରମଣ ଉଦ୍ୟମ କରାଯାଇ ଥିବାନେଇ ବୈଦ୍ୟନାଥପୁର ଥାନାରେ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି। ମୁଖ୍ୟ ଫାଟକ ନିକଟ ସମେତ ଏମକେସିଜି କ୍ୟାମ୍ପସ ଅନ୍ଧାରିଆ ହୋଇଥିବାରୁ ଏଭଳି ଘଟଣା ଘଟିଲା ବୋଲି ଏମକେସିଜି କନିଷ୍ଠ ଡାକ୍ତର ସଂଘ ସଭାପତି କହିଛନ୍ତି। ଏମକେସିଜି କ୍ୟାମ୍ପସକୁ ତୁରନ୍ତ ଆଲୋକୀକରଣ କରିବାକୁ ମେଡିକାଲ ଅଧିକ୍ଷକଙ୍କ ନିକଟରେ ଦାବି କରିଛନ୍ତି। ସେପଟେ ଘଟଣାର ତଦନ୍ତ କରୁଛୁ ବୋଲି ମେଡିକାଲ ଅଧକ୍ଷା କହିଛନ୍ତି। ଅଭିଯୋଗ ପରେ ସିସି ଟିଭି ଭିଜୁଆଲକୁ ଯାଞ୍ଚ କରି ତଦନ୍ତ କରୁଛି ପୁଲିସ। ଜଣେ ମାନସିକ ବିକୃତ ଯୁବକ ଆକ୍ରମଣ କରିଥିବା ପୁଲିସ ସନ୍ଦେହ କରିଛି। କ୍ୟାମ୍ପସ ସମେତ କଲେଜ ଫାଟକ ସମ୍ମୁଖରେ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା କରାଯାଉଥିବା ଏସପି କହିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now