ଆଜି ହେଉଛି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ବା ଜାତୀୟ ଯୁବ ଦିବସ।୧୯୮୪ ମସିହାରୁ ଆଜିର ଦିନକୁ ସମଗ୍ର ଦେଶରେ ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଉଛି। ୧୬୨ ବର୍ଷ ପୂର୍ବେ ଏକ ଶିଶୁ ଜନ୍ମଗ୍ରହଣ କରିଥିଲା। ଯାହାଙ୍କୁ ପୁରା ବିଶ୍ୱ ବିବେକାନନ୍ଦ ଭାବରେ ଜାଣିଛି। କେବଳ ଯେ ଭାରତ ପାଇଁ ନୁହେଁ ସମଗ୍ର ବିଶ୍ୱ ପାଇଁ ସେ ପ୍ରେରଣାର ଉତ୍ସ। କିନ୍ତୁ ୧୨ ଜାନୁଆରୀକୁ ଭାରତରେ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ। ଯୋଗ ଓ ଧ୍ୟାନ ଦୁର୍ବଳ ମାନସିକତାକୁ ପରିବର୍ତ୍ତନରେ ସହାୟକ ହୋଇଥାଏ। ଏହାକୁ ସବୁବେଳେ କହୁଥିଲେ ସ୍ୱାମୀ ବିବେକାନନ୍ଦ। ପ୍ରତ୍ୟେକ ଯୁବକଙ୍କ ଉପରେ ତାଙ୍କର ଅଗାଢ ବିଶ୍ୱାସ ରହିଥିଲା। ସେ ବିଶ୍ୱାସ କରୁଥିଲେ ଯେ ଯୁବକମାନେ ଦେଶର ଭବିଷ୍ୟତ। ଯଦି ଯୁବକମାନେ ସଚେତନ ହୁଅନ୍ତି ତେବେ ଦେଶ ଅଗ୍ରଗତି କରିବ। ସେ କହିଥିଲେ, ତୁମେ ମତେ ୧୦୦ ଯୁବକ ଦିଅ, ମୁଁ ସମଗ୍ର ବିଶ୍ୱକୁ ପରିବର୍ତ୍ତନ କରିବି। କାରଣ ସେ ଜାଣିଥିଲେ ଯେ ଯୁବକଙ୍କ ତ୍ୟାଗ, ବଳିଦାନ, କର୍ମନିଷ୍ଠା ଏବଂ ଆଧ୍ୟାତ୍ମିକତା ଦ୍ୱାରା ଦେଶରେ ପରିବର୍ତ୍ତନ କରିପାରିବ। ଉଠ, ଜାଗ୍ରତ ହୁଅ ଏବଂ ଲକ୍ଷ୍ୟ ହାସଲ ନ ହେବା ଯାଏ ଲାଗିପଡ। ଆତ୍ମନିର୍ଭରଶୀଳ ହେବାକୁ ସେ ଯୁବକମାନଙ୍କୁ ପ୍ରେରଣା ଦେଉଥିଲେ। ଶିକ୍ଷାର ଉଦ୍ଦେଶ୍ୟ କେବଳ ଚାକିରୀ ପାଇବା ନୁହେଁ ବରଂ ଚରିତ୍ର ଏବଂ ଆତ୍ମନିର୍ଭରଶୀଳତା। ପ୍ରାୟ ୧୩୨ ବର୍ଷ ପୂର୍ବେ ଆମେରିକାର ଚିକାଗୋରେ ସ୍ୱାମୀ ବିବେକାନନ୍ଦଙ୍କ ଭାଷଣ ଆଜି ମଧ୍ୟ ମନେ ପଡେ। ଯେତେବେଳେ ସେ କହିଥିଲେ – ଆମେରିକାର ଭାଇ ଓ ଭଉଣୀମାନେ। ଏହି କିଛି ଶବ୍ଦ ତାଙ୍କ ପ୍ରତି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ତାଙ୍କ ଭାଷଣ ପ୍ରମାଣ କରିଛି ଯେ ବିଶ୍ୱରେ ଭାରତୀୟ ସଂସ୍କୃତି ଏବଂ ଦର୍ଶନର କେତେ ମହତ୍ତ୍ୱ ରହିଛି।
୧୨ ଜାନୁଆରୀ ୧୮୬୩ ମସିହରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ ବିବେକାନନ୍ଦ। ତାଙ୍କର ପ୍ରକୃତ ନାମ ଥିଲା ନରେନ୍ଦ୍ର ନାଥ ଦତ୍ତ। ତାଙ୍କ ପିତାଙ୍କ ନାମ ଥିଲା ବିଶ୍ୱନାଥ ଦତ୍ତ ଏବଂ ମାତାଙ୍କ ନାମ ଥିଲା ଭୁବନେଶ୍ୱରୀ ଦେବୀ। ତାଙ୍କ ପିତା ଜଣେ ଓକିଲ ଏବଂ ମାତା ଜଣେ ଧାର୍ମିକ ମହିଳା ଥିଲେ। ପିଲାଟି ଦିନରୁ ବିବେକାନନ୍ଦଙ୍କ ଅନେକ କିଛି ଜାଣିବାର ଶିଖିବାର ପ୍ରବଳ ଆଗ୍ରହ ଥିଲା। ସେ ଏହି ଇଛାକୁ ପୂର୍ଣ୍ଣ କରିବା ପାଇଁ ରାମକୃଷ ପରମହଂସଙ୍କ ଶିଷ୍ୟ ହେଲେ। ପରେ ନିଜ ଗରୁଙ୍କ ଆଦର୍ଶ ଅନୁସରଣ କରି ସମାଜ ଏବଂ ଧର୍ମ ପାଇଁ କାର୍ଯ୍ୟ କଲେ। ଭାରତ ସରକାର ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ୧୯୮୪ ମସିହାରେ ଜାତୀୟ ଯୁବ ଦିବସ ଭାବରେ ଘୋଷଣା କରିଥିଲେ। ଏହାର ଉଦ୍ଦେଶ୍ୟ ହେଉଛି ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ଏବଂ ଆଦର୍ଶକୁ ଯୁବକମାନଙ୍କ ନିକଟରେ ପହଞ୍ଚାଇବା। ଉନବିଂଶ ଶତାବ୍ଦୀରେ ହିନ୍ଦୁ ଧର୍ମକୁ ଏକ ପ୍ରମୁଖ ବିଶ୍ୱଧର୍ମ ରୂପେ ଉପସ୍ଥାପନ କରିଥିଲେ ସ୍ୱାମୀ ବିବେକାନନ୍ଦ। ସେପଟେ ଜାତୀୟ ଯୁବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତ ମଣ୍ଡପମରେ ପହଞ୍ଚି ବିକଶିତ ଭାରତ ଯୁବନେତାଙ୍କ ସହ ସାକ୍ଷାତ କରିଥିଲେ। ଏହି ମଣ୍ଡପରେ ଆୟୋଜିତ ପ୍ରଧାନମନ୍ତ୍ରୀ ମହିଳା ସଶକ୍ତିକରଣ , ବିକଶିତ ଭାରତ, ଡିଜିଟାଲ ଇଣ୍ଡିଆ ଭଳି ୧୦ଟି ପ୍ରସଙ୍ଗରେ ଯୁବକଙ୍କ ସହ ଆଲୋଚନା କରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now