ଜାନୁୟାରୀ ୩ରୁ ଆରମ୍ଭ ହୋଇଥିବା ବରଗଡ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆଜି ଅନ୍ତିମ ଦିବସରେ ପହଞ୍ଚିଛି । ଦୀର୍ଘ ୧୧ଦିନ ଧରି ଚାଲିଥିବା ଏହି ମୁକ୍ତାକାଶ ରଙ୍ଗମଞ୍ଚରେ କୃଷ୍ଣ ଜନ୍ମଠାରୁ ଆରମ୍ଭ କରି ମଥୁରା ଗମନ ପରି ସମସ୍ତ ଦୃଶ୍ୟ ଅଭିନିତ ହୋଇ ସାରିଛି। ସେହିପରି ଆଜି ଅନ୍ତିମ ଦିବସରେ କଂସ ବଧ ଓ ଉଗ୍ରସେନଙ୍କ ରାଜ୍ୟାଭିଷେକ ସହ ଧନୁଯାତ୍ରା ଉଦଯାପିତ ହେବ । ତେବେ ଧନୁଯାତ୍ରାର ନବମ ଦିବସରେ କୃଷ୍ଣ ବଳରାମଙ୍କୁ ମଥୁରାବାସୀ ଘରେ ଘରେ ପୂଜାର୍ଚ୍ଚନା କରି ସ୍ୱାଗତ କରିଥିବା ବେଳେ ଏପଟେ ମହାରାଜ କଂସ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ଯୁଦ୍ଧ ପ୍ରସ୍ତୁତି ଚଳାଇଛନ୍ତି । ପୂର୍ବତନ ମନ୍ତ୍ରୀ ଅକ୍ରୁରଙ୍କ ସହିତ କୃଷ୍ଣ ବଳରାମଙ୍କ ମଥୁରାକୁ ଆଗମନ ପରେ ମଥୁରାର ବାତାବରଣ ବଦଳି ଯାଇଛି । କଂସଙ୍କ ଶାସନରେ ଭୟଭୀତ ମଥୁରାବାସୀ କୃଷ୍ଣଙ୍କ ଆଗମନ ପରେ ଆନନ୍ଦିତ ହୋଇ ଉଠିଛନ୍ତି । ସ୍ଥାନୀୟ ଆଦିମାତା ମନ୍ଦିରରୁ ରାତ୍ରି ଯାପନ ପରେ କୃଷ୍ଣ ବଳରାମ ନଗର ଭ୍ରମଣରେ ବାହାରି ଥିବାବେଳେ ଘରେଘରେ ତାଙ୍କୁ ପୂର୍ଣ୍ଣକଳସି ରଖି ପୂଜାର୍ଚ୍ଚନା କରାଯିବା ସହ ସ୍ୱାଗତ କରୁଛନ୍ତି ମଥୁରାବାସୀ । ପରେ ସ୍ଥାନୀୟ ଖଜୁରଟିକ୍ରା ଠାରେ ସୁଦାମାମାଳି ଓ ରଜକକୁ ସାକ୍ଷାତ କରିବା ସହ କାଳିମନ୍ଦିରରେ କୁବୁଜାକୁ ଉଦ୍ଧାର କରିଛନ୍ତି । ଆଉ ଏସବୁ ଦୃଶ୍ୟକୁ ଦେଖି ଆତ୍ମବିଭୋର ହୋଇ ପଡିଛନ୍ତି ଦର୍ଶକ ।
ଅନ୍ୟପଟେ ମହାରାଜ କଂସ ନଗର ଭ୍ରମଣ କରି ରାଜ ଦରବାରକୁ ପହଞ୍ଚିଛନ୍ତି ଏବଂ ଶତ୍ରୁ କୃଷ୍ଣ ବଳରାମ କପଟର ଯାତ୍ରା ଧନୁଯାତ୍ରା ଦେଖିବାକୁ ମଥୁରା ଆସିଥିବାରୁ ନିଜ ହାତରେ ତାଙ୍କୁ ବଧ କରିବା ସହ ଶୁନ୍ୟବାଣୀକୁ ଭୁଲ ପ୍ରମାଣିତ କରିବେ। ଏହି ଖୁସିରେ ମହାରାଜ କଂସ ନାଚଗୀତର ଆୟୋଜନ କରିବା ସହ ସୁରା ପାନ କରି ଶୋଇ ପଡିଛନ୍ତି । ନିନ୍ଦ୍ରାରେ ମହାରାଜ କଂସ ସ୍ୱପ୍ନ ଦେଖିଛନ୍ତି। ଦେବକୀ ଓ ବସୁଦେବଙ୍କ ସହ ଶ୍ୟାମଳ ବର୍ଣ୍ଣର ଗୋଟିଏ ଆଠ ବର୍ଷର ବାଳକ ଲୁଚକାଳି ଖେଳୁଛନ୍ତି। ଆଉ ଦେବକୀ ବସୁଦେବ ତାକୁ ପୁତ୍ର ପୁତ୍ର କହି ଆ ଧନମାଳି ଆରେ ବୋଳି ଡାକ ଛାଡୁଛନ୍ତି। ଏଥିରେ ବ୍ୟତି ବ୍ୟସ୍ତ କଂସ ସେହି ବାଳକ ସହ ଯୁଦ୍ଧ କରୁଛନ୍ତି। ଯୁଦ୍ଧ ସମୟରେ ମହାରାଜ କଂସ ନିଜକୁ ଦୁର୍ବଳ ଅନୁଭବ କରି ଶକ୍ତିହୀନ ହୋଇ ପଡିଛନ୍ତି। ସେ ବାଳକ କୃଷ୍ଣଙ୍କୁ ଧରିବାକୁ ଚେଷ୍ଟା କରିଛନ୍ତି ହେଲେ କୃଷ୍ଣ ଉଭେଇ ଯାଉଛନ୍ତି । ଏ ସମୟରେ ମହାରାଜ କଂସଙ୍କ ନିଦ ଭାଙ୍ଗୀ ଯାଇଛି ଏବଂ ସେ ଭୟଭୀତ ହୋଇ ପଡିଛନ୍ତି। ପରେ ମହାରାଜ କଂସଙ୍କ ଛାୟା ପ୍ରତିବିମ୍ବ ଆସି ତୋ ଏପରି କର୍ମର ପ୍ରତିଫଳ ନିଶ୍ଚୟ ଭୋଗିବୁ ବୋଲି ଚେତାବନୀ ଦେଇଛି । ଏହାପରେ ମହାରାଜ କଂସ କୃଷ୍ଣ ବଳରାମଙ୍କ ସହ ଆସନ୍ନ ଯୁଦ୍ଧ ପାଇଁ ମନ୍ତ୍ରୀ ସେନାପତିଙ୍କୁ ନିର୍ଦ୍ଦଶ ଦେଇଛନ୍ତି । ଧନୁଯାତ୍ରାର ଅନ୍ତିମ ଦିବସରେ କୃଷ୍ଣ ବଳରାମ ମଥୁରା ଭ୍ରମଣ କରି ଧନୁଯାତ୍ରାକୁ ପହଞ୍ଚିବା ପରେ ପ୍ରଥମେ କୁବଲୟାହସ୍ତି ଓ ଅଷ୍ଟମଲ୍ଳଙ୍କୁ ମାରିବା ସହ ଶିବ ଧନୁ ଭାଙ୍ଗିବେ । ପରେ କଂସଙ୍କୁ ବଧ କରିବା ସହ ଦେବକୀ ଓ ବସୁଦେବଙ୍କୁ କାରାଗୃହରୁ ମୁକ୍ତି କରି ଉଗ୍ରସେନଙ୍କ ରାଜ୍ୟାଭିଷେକ ହେବ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now