ନିକିତାଙ୍କ ପାଖରେ ରହିବ ଅତୁଲଙ୍କ ପୁଅ । ଅଭିଯୁକ୍ତ ହେଲେ ମଧ୍ୟ ମା’ ପାଖରେ ହିଁ ରହିବ ସନ୍ତାନ । ପତ୍ନୀ ଦ୍ୱାରା ପିଡ଼ିତ ହୋଇ ଆତ୍ମହତ୍ୟା କରିଥିବା ଅତୁଲ ସୁବାଷଙ୍କ କେସରେ ଏହି ନୂଆ ଦିଗକୁ ସାମ୍ନାକୁ ଆସିଛି । ଅତୁଲଙ୍କ ମାଆ ଅଞ୍ଜୁ ଦେବୀ ପୁଅର ଶେଷ ଇଛା ମୁତାବକ ନାତିକୁ ପାଖରେ ରଖିବା ପାଇଁ କୋର୍ଟଙ୍କୁ ଆବେଦନ କରିଥିଲେ । ଯାହାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଏବଂ ଛୋଟ ପୁଅଟି ତାଙ୍କ ମା’ ନିକିତା ସିଂଘାଣିଆଙ୍କ ପାଖେ ରହିବା ନିର୍ଦ୍ଦେଶ ଦେଇଛନ୍ତି ।ଏହି ମାମଲାର ଶୁଣାଣି କରି ଜଷ୍ଟିସ ବି.ଭି ନାଗରତ୍ନା ଓ ଜଷ୍ଟିସ ଏସ ସି ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, ବାସ୍ତବରେ ନାତି ପାଇଁ ତାଙ୍କ ଜେଜେ ମାଆ ଅପରିଚିତ । ଦୁଇ ଜଣଙ୍କ ମଧ୍ୟରେ ପରିଚୟ ଅତି ସ୍ୱଳ୍ପ । ତେଣୁ ତାଙ୍କ ସହ ପିଲାକୁ ରଖିବା ଉଚିତ ହେବନାହିଁ ।
ସେପଟେ ଅତୁଲ ଓ ନିକିତାଙ୍କ ପୁଅ ଏବେ ହରିୟାଣାର ଏକ ବୋର୍ଡିଂ ସ୍କୁଲରେ ପଢୁଛି । ପିଲା ସମ୍ପର୍କରେ ସତ୍ୟପାଠ ଦାଖଲ କରିବା ପାଇଁ ହରିୟାଣା ସରକାର ଓ ନିକିତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅତୁଲଙ୍କ ମା’ କହିଥିଲେ ଏତେ ଛୋଟ ପିଲାକୁ ବୋର୍ଡିଂ ସ୍କୁଲ ପଠା ନଯାଉ । ଅତୁଲଙ୍କ ମୃତ୍ୟୁରେ ନିକିତାଙ୍କ ଭୂମିକା କଥା ଉଠାଇ ନାତିର କଷ୍ଟଡି ଚାହିଁଥିଲେ । କିନ୍ତୁ କୋର୍ଟ କହିଲେ ଗଣମାଧ୍ୟମର ରିପୋର୍ଟ ଆଧାରରେ ନିଷ୍କର୍ସ ବାହାର କରାଯାଇ ପାରିବନି । ଅନ୍ୟପଟେ ଅତୁଲଙ୍କ ମୃତ୍ୟୁ ପରେ ନିକିତା ଓ ତାଙ୍କ ପରିବାର ସଦସ୍ୟ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗ ରେ ଗିରଫ ହୋଇଥିଲେ ପରେ ଜାମିନରେ ମୁକୁଳିଛନ୍ତି ।
ବେଙ୍ଗାଲୁରୁ ମୁନ୍ନେକୋଲାଲରେ ରହୁଥିବା ୟୁପି ବାସିନ୍ଦା ଆଇଟି ଇଞ୍ଜିନିୟର ଅତୁଲ ସୁବାଷ ଡିସେମ୍ୱର ୯ ତାରିଖରେ ଆତ୍ମହତ୍ୟା କଲେ । ୨୪ ପୃଷ୍ଠାର ସୁଇସାଇଡ୍ ନୋଟ ଓ ୮୧ ମିନିଟର ଭିଡିଓ ବାର୍ତ୍ତା ଦେଇଥିଲେ । ଯେଉଁଥିରେ ବିବାହ ବିଚ୍ଛେଦ ମାମଲା ସମୟରେ ପତ୍ନୀ ନିକିତା ଓ ତାଙ୍କ ପରିବାର ଦ୍ୱାରା କିଭଳି କେସ ପରେ କେସ ଦିଆଯାଇ ମାନସିକ, ଆର୍ଥିକ ନିର୍ଯାତନା ଦିଆଯାଇଥିଲା । ନ୍ୟାୟିକ ପ୍ରକ୍ରିୟା ଦ୍ୱାରା କିଭଳି ଯନ୍ତ୍ରଣା ସେ ପାଇଥିଲେ । ସବୁ ପ୍ରସଙ୍ଗ ଜଣାଇଥିଲେ । ଯାହା ଦେଶବାସୀଙ୍କୁ ସ୍ତବ୍ଧ କରିଥିଲା ।ଏବଂ ସେଥିରେ ତାଙ୍କ ସନ୍ତାନକୁ ନିକିତାଙ୍କ ଠାରୁ ନେଇ ଆସିବା କଥା ମଧ୍ୟ ଉଲ୍ଲେଖ କରିଥିଲେ । ଯାହାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now