ଟ୍ରମ୍ପ ଟାରିଫ- କାହା ଉପରେ କି ପ୍ରଭାବ?

ଚୀନ୍, ମେକ୍ସିକୋ, କାନାଡ଼ା ଉପରେ ଚଢ଼ା ଶୁଳ୍କ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଛନ୍ତି। ମେକ୍ସିକୋରୁ ଆମଦାନୀ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ମଙ୍ଗଳବାରରୁ କାର୍ଯ୍ୟକାରୀ ହୋଇଥାଆନ୍ତା। କିନ୍ତୁ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡ଼ିଆ ସେଇନବମ୍ ସୋମବାର ଟ୍ରମ୍ପଙ୍କ ସହ କଥା ହୋଇ ସୀମା ସୁରକ୍ଷିତ ରଖିବାକୁ ରାଜି ପରେ ମାସେ ଲାଗି ଟାରିଫ୍ ସ୍ଥଗିତ ରଖିବାକୁ ଟ୍ରମ୍ପ ସହମତ ହୋଇଛନ୍ତି। ଟ୍ରମ୍ପଙ୍କ ଟାରିଫ୍ ବିରୋଧରେ କାନାଡ଼ା ମୁକାବିଲାମୂଳକ ଆଭିମୁଖ୍ୟ ନେଇଥିବାରୁ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଛି। କାନାଡାର ଓଣ୍ଟାରିଓ ପ୍ରଦେଶ ଆମେରିକା କମ୍ପାନୀ ଓ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସେବାକୁ ସୋମବାର ବ୍ୟାନ୍ କରିଦେଇଛି। ଏହା ଦ୍ୱାରା ଷ୍ଟାରଲିଙ୍କର ଶହେ ନିୟୁତ ଡଲାରର ଡିଲ୍ ରଦ୍ଦ ହେବାକୁ ଯାଉଛି। କାନାଡା ଉପରେ ଟ୍ରମ୍ପ ପ୍ରଶାସନ ଲଗାଇଥିବା ଟାରିଫ୍ ନ ଉଠାଇବା ଯାଏ ଏହା ବଳବତ୍ତର ରହିବ। ସେପଟେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଓ୍ୱାର୍ଲଡ୍ ଟ୍ରେଡ୍ ସେଣ୍ଟରରେ ଚ୍ୟାଲେଞ୍ଜ କରିବାକୁ ଯାଉଛି ଚୀନ୍। ଚୀନର ବିଦେଶ ମନ୍ତ୍ରଣାଳୟ କହିଛି, ଏ ସବୁ ଆମେରିକାର ସମସ୍ୟା। ଏଥିରେ ଚୀନ୍‌ର କୌଣସି ଲେନଦେନ ନାହିଁ। ଏଭଳି ଏକତରଫା ନିଷ୍ପତ୍ତି ଡବ୍ଲୁଟିଓର ନିୟମକୁ ଉଲ୍ଲଂଘନ କରୁଛି। ଏହାକୁ ଆପୋଷ ବୁଝାମଣାରେ ସମାଧାନ ହେଲା ଭଳି ଲାଗୁନି। ଏଥିରୁ କୌଣସି ପକ୍ଷକୁ ବି ଫାଏଦା ହେବନି। ଫେଣ୍ଟାନିଲ ଭଳି ବେଆଇନ ନିଶାଦ୍ରବ୍ୟ ଚୋରାଚାଲାଣ ରେକିବା ଆଳରେ ଚୀନରୁ ଆମଦାନୀ ସାମଗ୍ରୀ ଉପରେ ୧୦ ପ୍ରତିଶତ ଅତିରିକ୍ତ ଟାରିଫ୍ ଲଗାଯାଇଛି। ଯାହାକି ବେଆଇନ୍। ନିଜର ବୈଧ ଅଧିକାରର ରକ୍ଷା ଲାଗି ଚୀନ୍‌ ଆବଶ୍ୟକୀୟ ଜବାବୀ ପଦକ୍ଷେପ ଉଠାଇବ।

ବାଣିଜ୍ୟ ଯୁଦ୍ଧରୁ ଦୋହଲିଗଲାଣି ଭାରତୀୟ ବଜାର। ସୋମବାରରୁ ଭାରତର ବିଭିନ୍ନ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଟଙ୍କାରୁ ନେଇ ସେୟାର ବଜାର ସବୁ କିଛି ଦୋହଲିଯାଇଛି। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ପ୍ରଥମ ଥର ୮୭ ଟଙ୍କାରୁ ଅଧିକ ହୋଇଛି। ପୂର୍ବରୁ ଟଙ୍କା ଏଭଳି ଦୁର୍ବଳ ସ୍ତରରେ କେବେ ନଥିଲା। ଟ୍ରମ୍ପ୍ ଝଟକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ୧୨ ଲକ୍ଷ ଟଙ୍କା ଯାଏ ଆୟକର ଛାଡ଼ ଘୋଷଣା ପ୍ରଭାବହୀନ ହୋଇଗଲା। ଦେଶର ଦୁଇ ଷ୍ଟକ୍ ବଜାର ମାନ୍ଦା ରହିଥିଲା। ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ଓ ନାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫଟି ହ୍ରାସ ପାଇଥିଲା। ନିବେଶକମାନେ ଭୟରେ ସେୟାର ବିକ୍ରି କରିଦେଇଥିଲେ। ସୁନା ବଜାରରେ ବି ନିଆଁ ଲାଗିଛି। ସୁନାର ଦାମ ୧୦ ଗ୍ରାମ୍ ପିଛା ଦାମ୍ ୮୫ ହଜାର ଟପିଛି। ରୂପା ବି ମହଙ୍ଗା ହୋଇ କେଜି ପିଛା ୩ଶହ ଟଙ୍କା ବୃଦ୍ଧି ପାଇ ୯୬ ହଜାର ହୋଇଛି।

ଟାରିଫ ଓ୍ୱାରରୁ ଅତୀତରେ ଭାରତ- ଆମେରିକା ଭିତରେ ତିକ୍ତତା ସୃଷ୍ଟି ହୋଇଥିଲା। ୨୦୧୮ରେ ନିଜର ପ୍ରଥମ କାର୍ଯ୍ୟକାଳରେ ଟ୍ରମ୍ପ ପ୍ରଶାସନ ଆଲୁମିନିୟମ ଓ ଷ୍ଟିଲ୍ ସାମଗ୍ରୀ ଉପରେ ଉଚ୍ଚ ଶୁଳ୍କ ଲଗାଇଥିଲେ। ଏହା ବିରୋଧରେ ଭାରତ ବି ଆମେରିକା ସାମଗ୍ରୀ ଉପରେ ଟାରିଫ୍ ଲଗାଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ଦୁଇ ଦେଶ ଭିତରେ ୧୧୯.୭୧ଲକ୍ଷ ଅରବ ଡଲାରର ବେପାର ହୋଇଥିଲା। ଏଥିରୁ ଭାରତର ପ୍ରାୟ ୩୫.୩୧ ଅରବ ଡଲାରର ଟ୍ରେଡ୍ ସରପ୍ଲସ ଅଛି। ଏହାର ସରଳ ଅର୍ଥ ହେଉଛି ଯେ,, ଦେଶରୁ ରପ୍ତାନୀ ହେଉଥିବା ସାମଗ୍ରୀର ମୂଲ୍ୟ ଆମଦାନୀ ମୂଲ୍ୟରୁ ଅଧିକ ଅଟେ। ଦ୍ୱିପାକ୍ଷିକ ବାଣିଜ୍ୟରେ ଏହାର ପ୍ରଭାବ ପଡ଼ିବ। ଆମେରିକାରୁ ଭାରତକୁ କଞ୍ଚା ତେଲ ଓ ପେଟ୍ରୋଲିୟମ ପଦାର୍ଥ ଅଧିକ ରପ୍ତାନୀ ହୋଇଥାଏ। ମୋତି, ଦାମୀ ପଥର ଓ ନକଲି ଆଭୂଷଣ ବି ରହିଛି ଏହି ତାଲିକାରେ। ଏହା ଛଡ଼ା ଆମେରିକାରୁ ଷ୍ଟିଲ୍, ଦାମୀ ମୋଟର ସାଇକେଲ୍, ଇଲେକ୍ଟ୍ରୋନିକ୍ସ ଆଇଟମ୍, ପରମାଣୁ ରିଆକ୍ଟର, ବଏଲର ଭଳି ପାଓ୍ୱାର ପ୍ଲାଣ୍ଟ ଉପକରଣ, ବିଦ୍ୟୁତ ମେସିନାରୀ, ଚିକିତ୍ସା ଓ ସୈନ୍ୟ ଉପକରଣ ବିପୁଳ ପରିମାଣରେ କିଣିଥାଏ। ଭାରତ ଆମେରିକାକୁ ହୀରା, ଆଭୂଷଣ, ଚିକିତ୍ସା ଉପକରଣ, ପେଟ୍ରୋଲିୟମ ଉତ୍ପାଦ, କୃଷି ଉପକରଣ, ବାସୁମତୀ ଚାଉଳ, ହଳଦି, ଇଲାଇଚି, ଟେକ୍ସଟାଇଲ ପରିଧାନ, ଚମଡ଼ା ବ୍ୟାଗ୍, ଜୋତା ଆଦି ରପ୍ତାନୀ କରେ। ଏହା ବ୍ୟତୀତ ସଫ୍ଟଓ୍ୱେର ଓ ଅନ୍ୟ ସର୍ଭିସ ଲାଗି ଭାରତ ପାଇଁ ଆମେରିକା ବଡ଼ ବଜାର ଅଟେ। ଟ୍ରମ୍ପ ପ୍ରଶାସନ ଚାହୁଁଛି ଯେ, ଭାରତ ଆମେରିକା ସାମଗ୍ରୀ ଉପରେ ଶୁଳ୍କ କମାଉ ଓ ଅଧିକ ପରିମାଣରେ କିଣୁ। ଯଦି ଭାରତ ଉପରେ ବର୍ଦ୍ଧିତ ଟାରିଫ୍ ଆମେରିକା ଲଗାଏ, ତା ହେଲେ ଆଇଟି, କପଡ଼ା, ଔଷଧ ଓ ଅଟୋମୋବାଇଲ ଉଦ୍ୟୋଗରେ ବଡ଼ କ୍ଷତି ହେବ। ଉତ୍ପାଦନ କମ୍ ହେଲେ ରୋଜଗାର ଉପରେ ପ୍ରଭାବ ପଡ଼ିବ। ଭାରତ ଶୁଳ୍କ ବଢ଼ାଇଲେ ଆମେରିକା ଉତ୍ପାଦର ବିକ୍ରିକୁ ପ୍ରଭାବିତ କରିବ। ମୋଟରସାଇକେଲ ଓ ଅଟୋମୋଟିଭ୍ ପାର୍ଟସରେ ବିପୁଳ କ୍ଷତି ସହିବ ଆମେରିକା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଏକ ସନ୍ତୁଳିତ ଟାରିଫ୍ ଦୃଷ୍ଟିକୋଣର ଆବଶ୍ୟକତା ଅଛି। ଅନାବଶ୍ୟକ ଶୁଳ୍କ ବୃଦ୍ଧିରୁ ଫାଏଦା ମିଳିବନି। ଯେଉଁ ସାମଗ୍ରୀ ଭାରତରେ ଉପଲବ୍ଧ ନାହିଁ, ତାହା ଉପରେ ଅଧିକ ଶୁଳ୍କ ଲଗାଇଲେ କାହାର ଫାଏଦା ହେବନି।

ଏଭଳି ଘଡ଼ିସନ୍ଧି ମୂହୂର୍ତ୍ତରେ ଫେବୃଆରୀ ୧୨ରୁ ଆମେରିକା ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଟ୍ରମ୍ପଙ୍କ ସହ ମୋଦିଙ୍କ ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନା ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *