ମିଲକିପୁରରେ ଫୁଟିଲା ପଦ୍ମ। ବିଜେପିର ଚନ୍ଦ୍ରଭାନୁ ପାଶଓ୍ୱାନ୍ ବାଜି ମାରିଛନ୍ତି ଉପ-ନିର୍ବାଚନରେ। ୟୁପିର ବହୁ-ଚର୍ଚ୍ଚିତ ମିଲକିପୁର ଆସନରେ ବଡ଼ ବ୍ୟବଧାନରେ ଜିତିଛନ୍ତି ଚନ୍ଦ୍ରଭାନୁ। ଗଣତି ଆରମ୍ଭରୁ ହିଁ ସପା ପ୍ରାର୍ଥୀ ଅଜିତ ପ୍ରସାଦଙ୍କଠୁ ନିରନ୍ତର ଆଗରେ ଚାଲିଥିବା ଚନ୍ଦ୍ରଭାନୁ ଏହା ଶେଷ ଯାଏ ବଳବତ୍ତର ରଖିପାରିଲେ। ତେବେ ଆଜାଦ୍ ସମାଜ ପାର୍ଟିର ସନ୍ତୋଷ କୁମାର ବହୁ ପଛରେ ପଡ଼ିଯାଇଥିଲେ। ଏଏସପିର ଅମାନତ ହରାଇବା ଭଳି ସ୍ଥିତି ଉପୁଜିଥିଲା। ବିଜେପି କହିଛି, ଦିଲ୍ଲୀରେ ଆପ୍ ଓ ୟୁପିରେ ସପା ପ୍ରତି ଜନତାଙ୍କ ଆସ୍ଥା ନାହିଁ। ଏମାନେ ଜନତାର ଭାବନା ସହ ଖେଳୁଥିବାରୁ ଜନତା କଡ଼ା ଜବାବ ଦେଇଛନ୍ତି। ଜନତା ବିଜେପି ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି।
ଅଯୋଧ୍ୟାର ମିଲକିପୁର ଆସନ ସପା ହାତରେ ଥିଲା। ମିଲକିପୁର ବିଧାନସଭା ଆସନରେ ୨୦୨୨ରେ ଅଓ୍ୱଧେଶ ପ୍ରସାଦ ଜିତିଥିଲେ। ୨୦୨୪ରେ ଲୋକସଭା ନିର୍ବାଚନରେ ଜିତିବା ପରେ ବିଧାନସଭା ଆସନରୁ ଇସ୍ତଫା ଦେବାରୁ ମିଲକିପୁରରେ ଉପ-ନିର୍ବାଚନ କରିବାକୁ ପଡ଼ିଥିଲା। ଅଓ୍ୱଧେଶଙ୍କ ପୁଅ ଅଜିତଙ୍କୁ ସପା ମିଲକିପୁର ବିଧାନସଭା ଆସନରେ ଛିଡା କରାଇଥିଲା। ତେଣୁ ପୁଅକୁ ହରାଇ ବାପାଙ୍କ ଜିତ୍କୁ ପାଣିଚିଆ କରାଯିବା ରଣନୀତି ସହ କାମ କରୁଥିଲା ବିଜେପି। ସପା ଏହି ଆସନ ବଜାୟ ରଖିବାରେ ଫେଲ୍ ମାରିଲା। ୨୦୨୨ରେ ଅଯୋଧ୍ୟାର ମିଲକିପୁର ଏକମାତ୍ର ଆସନ ଥିଲା, ଯେଉଁଠାରେ ବିଜେପି ହାରିଥିଲା।
ସେପଟେ ତାମିଲନାଡ଼ୁର ଇରୋଡ଼ ଆସନରେ ଉପ-ନିର୍ବାଚନରେ ବାଜି ମାରିଛି ଡିଏମକେ। ଗଲା ବର୍ଷ ଡିସେମ୍ୱର ୧୪ରେ କଂଗ୍ରେସ ବିଧାୟକ ଇଭିକେଏସ ଏଲାନଗୋଭାନଙ୍କ ଅକାଳ ବିୟୋଗ ପରେ ଏହି ଆସନରେ ହୋଇଥିଲା ଉପ-ନିର୍ବାଚନ। ଏଥର ଉପ-ନିର୍ବାଚନରେ ୪୬ ପ୍ରାର୍ଥୀ ଛିଡ଼ା ହୋଇଥିଲେ। ଏମାନଙ୍କ ଭିତରୁ ୪୪ ଜଣ ସ୍ୱାଧୀନ ପ୍ରାର୍ଥୀ ଥିଲେ। ମୁଖ୍ୟ ପ୍ରତିଦ୍ୱନ୍ଦିତା ହୋଇଥିଲା ଡିଏମକେର ଭିସି ଚାନ୍ଦିରାକୁମାର ଓ ତାମିଲ ନାସନାଲିଷ୍ଟ ପାର୍ଟି ଏନଟିକେର ଏମ.କେ. ସୀତାଲକ୍ଷ୍ମୀଙ୍କ ଭିତରେ। ବଡ଼ ଦଳ ସତ୍ତ୍ୱେ ଏଆଇଏଡିଏମକେ ଓ ବିଜେପି ଏହି ଉପନିର୍ବାଚନକୁ ବୟକଟ୍ କରିଥିଲେ। ଚାନ୍ଦିରାକୁମାର ୨୦୧୧ରେ ଏହି ଆସନରୁ ବି ଜିତିଥିଲେ। କିନ୍ତୁ ଡିଏମଡିକେ ଦଳ ଟିକଟରେ ଜିତିଥିଲେ। ଜୟଲଳିତା ଜୀବିତ ଥିଲା ବେଳେ ଏଆଇଏଡିଏମକେର ସହଯୋଗୀ ଦଳ ଥିଲା ଡିଏମଡିକେ।
ୟୁପିରେ ମୋଦି ମ୍ୟାଜିକ୍ କାଟୁ କରିଥିଲା ବେଳେ ତାମିଲନାଡ଼ୁରେ ଷ୍ଟାଲିନ୍ କରିସ୍ମା ଦେଖାଇଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now