କିଟ୍ କାଣ୍ଡରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କାହିଁକି ଏଯାଏ ବନ୍ଧାଯାଇନି। ସରକାର କେବଳ କାଗଜପତ୍ରରେ ନିନ୍ଦା କଲେ ଚଳିବନି। ଏଠି ମା ମାଟି ସ୍ୱାଭିମାନର କଥା ପଡ଼ିଛି। ଜଗନ୍ନାଥ ସଂସ୍କୃତିର କଥା ପଡ଼ିଛି। ଏ ମାମଲାରେ କୌଣସିମତେ କମ୍ପ୍ରୋମାଇଜ୍ କରିବନି ଗୃହ। ବିଧାନସଭାରେ ଦଳମତ ନିର୍ବିଶେଷରେ ଏମିତି ସମସ୍ୱର ଶୁଭିଛି। କିଟରେ ଆଗରୁ ବହୁତ ଘଟଣା ଘଟିଛି। ଆଗରୁ କେବେ କାର୍ଯାନୁଷ୍ଠାନ ହୋଇନି। କେବଳ ନେପାଳ ପିଲାଙ୍କ ଲାଗି ସାଇନ-ଏ-ଡାଏ ଘୋଷଣା କରିବା, ପିଲାଙ୍କୁ ବାଉନ୍ସର ଲଗାଇ ମାଡ଼ ମାରିବା ପଛରେ ଅଚ୍ୟୁତ ହିଁ ଦାୟୀ। ଜାଣିଶୁଣି ବିଦେଶୀ ପିଲାଙ୍କୁ ନିର୍ଯାତନା ଦିଆଗଲା। ତା ହେଲେ ବିଦେଶରେ ପଢ଼ୁଥିବା ଓଡ଼ିଆ ପିଲାଙ୍କୁ କିଏ ସୁରକ୍ଷା ଦେବ, ତାକୁ ନେଇ ଭାଳେଣି ପଡ଼ିଲାଣି। ଯେଉଁ ଦୁଇ ମହିଳା ଜୟନ୍ତୀ ନାଥ ଓ ମଞ୍ଜୁସା ପାଣ୍ଡେ ଦୁର୍ବ୍ୟବହାର କରିଥିଲେ, ସେମାନଙ୍କୁ କାହିଁକି ଗିରଫ କରାଯାଇନି। ଶିକ୍ଷାନୁଷ୍ଠାନରେ ବାଉନ୍ସର କାହିଁକି ରଖାଯାଇଛି। ସିସିଟିଭି ଯାଞ୍ଚ ସହ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ବାହିନୀପତି। ଆଦିବାସୀଙ୍କ ଆଳରେ ଅର୍ଥ ଆଣି ଯେତେ ଖାଇବା କଥା ଖାଅ। କିନ୍ତୁ ଦିନେ ନା ଦିନେ ସତ ପଦାକୁ ଆସିବ।
ଆଉ ଶାସକ ଦଳର ବିଧାୟକ ବାବୁ ସିଂ ତ ଅଚ୍ୟୁତଙ୍କ କଳା କାରନାମାର ଗୋହି ଖୋଳିଥିଲେ। ୩୨ ବର୍ଷ ତଳେ ୮ଶହ ଟଙ୍କା ପାଉଥିବା ବ୍ୟକ୍ତି ଆଜି ୧୫ହଜାର କୋଟିର ମାଲିକ କେମିତି ହେଲେ। ଭଣ୍ଡ ସାରଥୀ ଭଳି ସମାଜକୁ କଳୁଷିତ କରିବା, ରାଜ୍ୟ ଓ ଦେଶକୁ ଲଜ୍ଜିତ କରିଛନ୍ତି ଅଚ୍ୟୁତ। ଯେତେବେଳେ ଦୁର୍ନୀତିର ପାହାଡ଼ ଉପରେ ବସି ଆଦିବାସୀ ଜମି ମାଡି ବସିଲେ, ଜଙ୍ଗଲ ଜମିର କିସମ ବଦଳାଇ ଅଟ୍ଟାଳିକା ଛିଡ଼ା କଲେ, ସେତେବେଳେ ବିଜେଡି ଏହି ଡକାୟତଙ୍କୁ ସାଂସଦ କଲା। ପିଲାଙ୍କୁ ମାଗଣାରେ ପଢାଇବା କଥା ତୁଛା ମିଛ। କେନ୍ଦ୍ର, ରାଜ୍ୟ, ଏନଜିଓ ଓ ବିଦେଶୀ ସଂସ୍ଥାରୁ କୋଟି କୋଟି ଟଙ୍କାର ସାହାଯ୍ୟ ପାଉଛନ୍ତି ଅଚ୍ୟୁତ।
ଏଭଳି ଅମାନବୀୟ ଆଚରଣରେ ଉଭୟ କିଟ୍ କର୍ତ୍ତୃପକ୍ଷ ଓ ସରକାରଙ୍କ ବିଳମ୍ୱିତ ପଦକ୍ଷେପକୁ ସମାଲୋଚନା କରିଥିଲା ବିଜେଡି। ବିଜେଡିର ଗଣେଶ୍ୱର ବେହେରା ଓ କଳିକେଶ ନାରାୟଣ ସିଂ ଦେଓ କହିଥିଲେ, କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀ ଜଣକ ଅକାଳରେ ଜୀବନ ହାରିଲେ। ଆଉ ଉଦାସୀନତାରୁ ନେପାଳୀ ଛାତ୍ରଛାତ୍ରୀଙ୍କୁ ବଳପୂର୍ବକ ତଡ଼ିଦେବା, ମାଡ଼ମାରିବା ଘଟଣା ଘଟିଲା। ପାଖରେ ଥିବା ଇନଫୋସିଟି ପୁଲିସ ବି ନିଜ ଆଡ଼ୁ ସଂଜ୍ଞାନ ନେଲାନି। ଅପରାଧୀ ଦଣ୍ଡ ପାଉ ଓ ଅପରାଧୀକୁ ପ୍ରଶ୍ରୟ ଦେଉଥିବା ବ୍ୟକ୍ତି ବି ଦଣ୍ଡ ପାଉ। ତଦନ୍ତ କମିଟିର ରିପୋର୍ଟକୁ ସାର୍ବଜନୀନ କରାଯାଉ। ଏଭଳି ଘଟଣାର ପୁନରାବୃତ୍ତି ଯେମିତି ନ ହୁଏ, ସେଥିଲାଗି ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ଉଚ୍ଚଶିକ୍ଷା ମନ୍ତ୍ରୀ କହିଥିଲେ, ଏଭଳି ଘଟଣା ନିନ୍ଦନୀୟ ଓ ବର୍ବୋଚିତ। ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସକୁ ଫେରିବାକୁ ଅପିଲ୍ କରାଯାଇଛି। ଛାତ୍ରଛାତ୍ରୀଙ୍କ ରିମେଡିଆଲ କ୍ଲାସ୍ କରିବା ସହ ମିଡ୍ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଯିବ। ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ ସରକାର। କିଟ୍ ପ୍ରତିଷ୍ଠାତାଙ୍କ ସମେତ ୮ ଜଣଙ୍କୁ କମିଟି ଆଗରେ ହାଜର ଲାଗି ସମନ ହୋଇଛି।
କିଟ୍ କାଣ୍ଡ ନେଇ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହେଲା। କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଜମି ଜବରଦଖଲରୁ ନେଇ ଅନେକ କେଳେଙ୍କାରୀର ଫର୍ଦ୍ଦ ଏହି ଘଟଣା ପରେ ସବୁ କଳଙ୍କକୁ ବଳିଗଲା କହିଲେ ଭୁଲ୍ ହେବନି ବୋଲି ଚର୍ଚ୍ଚା ହେଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now